ବିଟେକ ଡିଗ୍ରିଧାରୀ ଭିକ୍ଷୁଙ୍କଙ୍କ ଅନ୍ତର୍ଦାହ – ଅଜାଗା ଘା’ କ’ଣ ଦେଖାଇ ହୁଏ?

- ବଡ଼ଦାଣ୍ଡରେ ଉଚ୍ଚ ଶିକ୍ଷିତ ଭିକାରି, ପୁଲିସର ତନାଘନା

ପୁରୀ: ସମୟର ଖେଳ ବଡ ବିଚିତ୍ର। କଥାରେ ଅଛି, ଆଜି ଯିଏ ରାଜା କାଲି ସିଏ ଭିକାରି, ପୁଣି ଆଜି ଯିଏ ଭିକାରି କାଲି ସିଏ ରାଜା। କଥାଟି ହୁଏତ ଅବିଶ୍ୱାସ ମନେ ହୋଇପାରେ କିନ୍ତୁ ଏମିତି କିଛି ଘଟିଛି ସ୍ମାର୍ଟ ସହର ରାଜଧାନୀ ଭୁବନେଶ୍ୱରରୁ ମାତ୍ର ୬୦ କିଲୋମିଟର ଦୂର ପୁରୀରେ। ଭୁବନେଶ୍ୱର ଜୟଦେବ ବିହାର ନିବାସୀ ଜଣେ ଅବସରପ୍ରାପ୍ତ ପୁଲିସ ଡେପୁଟି ସୁପରିଟେଣ୍ଡେଣ୍ଟଙ୍କ ଇଞ୍ଜିନିଅରିଂ ବିଟେକ ଡିଗ୍ରିଧାରୀ ପୁଅ ଏବେ ପୁରୀ ଶ୍ରୀମନ୍ଦିର ସାମ୍ନାରେ କରୁଛନ୍ତି ଭିକ୍ଷାବୃତ୍ତି। ସେ ହେଉଛନ୍ତି ଗିରିଜା ଶଙ୍କର ମିଶ୍ର। ଏବେ ସବୁ ଗଣମାଧ୍ୟମରେ ଗିରିଜାଙ୍କୁ ନେଇ ଚର୍ଚ୍ଚା ଏବଂ ତା ସହିତ ସମସ୍ତଙ୍କର ଗୋଟିଏ ପ୍ରଶ୍ନ…କାହିଁକି…କଣ ପାଇଁ ଓ କେମିତି? ଏ ସବୁର ପ୍ରଶ୍ନର ଉତ୍ତରରେ ଗିରିଜାଙ୍କ ଗୋଟିଏ ଉତ୍ତର…ଅଜାଗା ଘା’ କ’ଣ ଦେଖାଇ ହୁଏ?

ଘଟଣାଟି ଠିକ ଏମିତି। ପୁରୀ ବଡ଼ଦାଣ୍ଡରେ ଜଣେ ଉଚ୍ଚଶିକ୍ଷିତ ଯୁବକଙ୍କ ଭିକ୍ଷାବୃତ୍ତିକୁ ନେଇ ରାଜ୍ୟରେ ଆଲୋଡନ ସୃଷ୍ଟି ହେବା ଏବଂ ଭିକାରି ଜଣକ ଜଣେ ବିଟେକ ଇଞ୍ଜିନିୟର ବୋଲି ଜାଣିବା ପରେ ଟାଉନଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଏକ ଇଞ୍ଜିନିୟରିଂ କଲେଜରୁ ଅଧ୍ୟାପକ ଚାକିରି ଛାଡି ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରିବାର କାରଣ ଖୋଜୁଛି ପୁଲିସ। ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳର ବିଟେକ ଇଞ୍ଜିନିୟର ଗିରିଜାଶଙ୍କର ମିଶ୍ର ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ବସି ଭିକ୍ଷା​‌ ମାଗୁଥିବା ଜଣାପଡ଼ିଛି। କେବଳ ସେ ଜଣେ ଇଞ୍ଜିନିୟର ତା ନୁହେଁ ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପୁଲିସ ଡିଏସ୍‌ପି ବୋଲି ସୂଚନା ମିଳିଛି।

ଶୁକ୍ରବାର ଗିରିଜା ଶଙ୍କରଙ୍କ ସହ ଜଣେ ରିକ୍ସା ଚାଳକଙ୍କ ଗଣ୍ଡଗୋଳ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ଗିରିଜାଶଙ୍କର ଏକ ପ୍ରତିଷ୍ଠିତ କଲେଜରୁ ବିଏସ୍‌ସି ପାସ୍‌ କରିବା ପରେ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ଏହା ପରେ ତାଙ୍କୁ ଏକ କଲେଜରେ ଅଧ୍ୟାପକ ଚାକିରି ମିଳିଥିଲା। ଚାକିରି ଚାଲିଯିବା ପରଠାରୁ ସେ ପୁରୀ ବଡ଼ଦାଣ୍ଡରେ ବସି ଭିକ୍ଷା ମାଗୁଛନ୍ତି। ଜଣେ ରିକ୍ସା ଚାଳକଙ୍କ ସହ ତାଙ୍କ ମାରପିଟ ହେବା ସମ୍ପର୍କରେ ଗିରିଜା ଶଙ୍କର ଶୁକ୍ରବାର ଟାଉନ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ। ତାହାକୁ ଭିତ୍ତିକରି ପୁଲିସ ତଦନ୍ତ କରିବାବେଳେ ଅଭିଯୋଗକାରୀ ବିଟେକ ଇଞ୍ଜିନିୟର ବୋଲି ଜଣାପଡ଼ିଥିଲା। କେଉଁ ପରିସ୍ଥିତିରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତିକୁ ଆପଣାଇଲେ ସେଥିନେଇ ସେ ମୁହଁ ଖୋଲିନାହାନ୍ତି। ଅପରପକ୍ଷେ ତାଙ୍କୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଲୋକଙ୍କ ଗହଳି ପରିଲକ୍ଷିତ ହୋଇଛି। ଭିକ୍ଷାବୃତ୍ତିର କାରଣ ସମ୍ପର୍କରେ ପଚାରିବାରୁ ଅଜାଗା ଘା’ ଦେଖାଇହୁଏ ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଏହାଛଡ଼ା ଭିକ୍ଷାବୃତ୍ତି ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ କହିଛନ୍ତି।

Comments are closed.