ଆୟୁଷ୍ମାନ୍‍ ଭାରତ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିପ୍ଳବ ଆଣିଛି : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ :  ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଆୟୁଷ୍ମାନ୍‍ ଭାରତ କାର୍ଯ୍ୟକ୍ରମ ଦେଶର ପ୍ରାଥମିକ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ମୋଟାମୋଟି ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ବିପ୍ଳବ ଆଣିଦେଇଛି। ଆୟୁଷ୍ମାନ୍‍ ଭାରତ କାର୍ଯ୍ୟକ୍ରମରେ ପ୍ରତିଶେଧକ ସ୍ବାସ୍ଥ୍ୟ ସେବା ଉପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସେ କହିଛନ୍ତି, ଆୟୁଷ୍ମାନ୍‍ ଭାରତର ଦୁଇ ମୁଖ୍ୟ ଶାଖା -‘ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର’ ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ମାଧ୍ୟମରେ ସରକାର ଶସ୍ତାରେ ଉତ୍ତମମାନର ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି।

ସେ କହିଛନ୍ତି, ଆୟୁଷ୍ମାନ୍‍ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୧ କୋଟି ୪୫ଲକ୍ଷ ଗରିବ ଲୋକଙ୍କର ବିନା ଅର୍ଥରେ ଚିକିତ୍ସା କରାଯାଇଛି। ମନ୍ତ୍ରୀ କହିଛନ୍ତି, କୋବିଡ୍‍-୧୯ ଦେଶରେ ଏକ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ସ୍ଥାପନର ଆବଶ୍ୟକତାକୁ ହୃଦୟଙ୍ଗମ କରିବାକୁ ଦେଇଛି। ମନ୍ତ୍ରୀ ପଞ୍ଚମ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଉନ୍ମୋଚନ କରିଛନ୍ତି। ଏଥିରେ ଦେଶର ଜନସାଧାରଣ, ସେମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟି ବିଷୟରେ ସବିସ୍ତୃତ ତଥ୍ୟ ରହିଛି। ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‍ ହେବ କାରଣ ଅନ୍ୟ ୯୦ଟି ଦେଶର Demographic Health Surveys Programme ସହ ଏହାର ତୁଳନା କରାଯାଉଛି।  ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ୬ ଲକ୍ଷ ପରିବାରଙ୍କ ନମୁନା ସଂଗ୍ରହ କରାଯାଇ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ସର୍ବେକ୍ଷଣରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତିର ରିପୋର୍ଟ ଉଲ୍ଲେଖ ରହିଛି।

Comments are closed.