ସମୂହ ଇସ୍ତଫା ଦେବେ ଆୟୁଷ ଡାକ୍ତର, ୧୪ ସୁଦ୍ଧା ନିଷ୍ପତ୍ତି ନେବାକୁ ଚେତାବନୀ

ବଲାଙ୍ଗିର: କରୋନା ଭଳି ଏକ ବିପଦପୂର୍ଣ୍ଣ ସମୟରେ ଆଗ ଧାଡିରେ ରହି ଲଢେଇ କରୁଥିବା ଆୟୁଷ ଡାକ୍ତରମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଅବହେଲା ପ୍ରତିବାଦରେ ରାଷ୍ଟ୍ରିୟ ବାଳ ସୁରକ୍ଷା କାର୍ଯ୍ୟକ୍ରମରେ ନିୟୋଜିତ ଡାକ୍ତରମାନେ ଦୀର୍ଘ ଦିନ ହେଲା କଲାବ୍ୟାଜ ପିନ୍ଧି ପ୍ରତିବାଦ ଜାରି ରଖିଛନ୍ତି। ଏହି ପରିପେକ୍ଷୀରେ ବଲାଙ୍ଗିର ଜିଲାରେ ମଧ୍ୟ ଏହି ଯୋଜନାରେ ନିୟୋଜିତ ଡାକ୍ତରମାନେ ପ୍ରତିବାଦ କରିଛନ୍ତି। ଆସନ୍ତା ୧୪ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ ଆୟୁଷ ଡାକ୍ତର ସମୁହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଅଭିଯୋଗ ଅନୁସାରେ କରୋନା ସମୟରେ ବିନା କୈାଣସି ସୁରକ୍ଷାରେ ଆୟୁଷ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି। ଡାକ୍ତରଖାନା ଓପିଡିଠାରୁ ଆରମ୍ଭ କରି ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରମାନଙ୍କରେ ଡ୍ୟୁଟି ପ୍ରଦାନ କରାଯାଇଛି। ଯାହାଫଳରେ ସିଧାସଳଖ ସେମାନେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିବାର ଆଶଙ୍କା ବେଶୀ ରହିଛି। ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନେ କର୍ତ୍ତବ୍ୟରେ ଅବହେଲା କରିନଥିବା ବଲାଙ୍ଗିର ଜିଲା ଆୟୁଷ (ଆରବିଏସକେ) ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ସରକାରୀ ସୁବିଧା ସୁଯୋଗ ରହିଥିବା ବେଳେ କରୋନା ଯୋଦ୍ଧାର ମାନ୍ୟତା ପୂର୍ବକ ବୀମା, ଦରମା ପ୍ରଦାନ କରାଯାଉଛି। କିନ୍ତୁ ଆୟୁଷ ଡାକ୍ତରମାନଙ୍କ ପ୍ରତି ସରକାରଙ୍କ ବେପାରୁଆ ମନୋଭାବ ରହିଥିବା ସଂଘ ଅଭିଯୋଗ କରିଛି।

ଗତ କିଛି ମାସ ପୂର୍ବରୁ ରାଜ୍ୟର ସମସ୍ତ ଜିଲାରେ ଆୟୁଷ ଡାକ୍ତରମାନେ ଏନେଇ ଅଭିଯୋଗ ଆଣିବା ସହ ମୁଖ୍ୟମନ୍ତ୍ରୀଙ୍କଠାରେ ୮ ଦଫା ଦାବି କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୈାଣସି ନିଷ୍ପତ୍ତି ହୋଇନଥିବାରୁ କଲାବ୍ୟାଜ ପିନ୍ଧି ଏହାକୁ ପ୍ରତିବାଦ ଜଣାଇଛନ୍ତି। ଏପରିକି ଆସନ୍ତା ୧୪ ତାରିଖ ସୁଦ୍ଧା ଆୟୁଷ ଡାକ୍ତର ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିଷ୍ପତ୍ତି ଗ୍ରହଣ ନକଲେ ରାଜ୍ୟରେ ରାଷ୍ଟ୍ରିୟ ବାଳ ସୁରକ୍ଷା କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା ସମସ୍ତ ଆୟୁଷ ଡାକ୍ତର ସମୂହ ଇସ୍ତଫା ପ୍ରଦାନ କରିବେ ବୋଲି ସଂଘ ଚେତାବନୀ ଦେଇଛି। ଯଦି ରାଜ୍ୟ ସରକାର ଏହାକୁ ଅଗ୍ରାହ୍ୟ କରନ୍ତି ତେବେ ଜିଲାରେ ସ୍ୱାସ୍ଥ୍ୟସେବା ବ୍ୟାହତ ହେବ ଓ ଗ୍ରାମାଞ୍ଚଳରେ ରହିଥିବା ସିଏଚସି ଅବସ୍ଥା ସାଂଘାତିକ ହେବ ବୋଲି ଜିଲା ସଂଘ ପକ୍ଷରୁ କୁହାଯାଇଛି।

Comments are closed.