ସ୍ଥାୟୀ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଆୟୁଷ ଡାକ୍ତର

ଭୁବନେଶ୍ବର : ସ୍ଥାୟୀ ନିଯୁକ୍ତି ଦାବି କରି ଗୁରୁବାର ରାସ୍ତାକୁ ଓହ୍ଲାଇଛନ୍ତି ଆୟୁଷ ଡାକ୍ତର ଡେଭଲପମେଣ୍ଟ ଆସୋସିଏସନ। ଦୀର୍ଘ ଦିନ ହେଲା ରାଜ୍ୟ ସରକାରଙ୍କୁ ଏବାବଦରେ ଜଣାଇଥିଲେ ମଧ୍ୟ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏହାକୁ ବିରୋଧ କରି ଆଜି ଲୋୟର ପିଏମ୍‌ଜିଠାରେ ଶତାଧିକ ଆୟୁଷ ଡାକ୍ତର ଧାରଣା ଦେଇଥିଲେ। ସଂଘର ଦାବି ପୂରଣ ନେଇ ଆସନ୍ତାକାଲି ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ସଭାପତି ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଓଡ଼ିଶାର ପ୍ରତ୍ୟେକ ଜିଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏନ୍‌ଏଚ୍ଏମ୍ ଜରିଆରେ ୧୪୮୫ ଆୟୁଷ ଡାକ୍ତର ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ୧୧୫୧ ଜଣ କାର୍ଯ୍ୟରତ ଅଛନ୍ତି। ସରକାରଙ୍କ ଲକ୍ଷ୍ୟ ଥିଲା ଏଲୋପାଥିକ ଡାକ୍ତରଙ୍କ ଅଭାବରେ ରୋଗୀଙ୍କୁ ବିକଳ୍ପ ଚିକିତ୍ସା ଯୋଗାଇଦେବା। ଦୀର୍ଘ ୧୪ବର୍ଷ ଧରି ଏଲୋପାଥିକ ଡାକ୍ତର ଅଭାବରେ ଆୟୁଷ ଡାକ୍ତରମାନେ ବହିର୍ବିଭାଗ ସହିତ ଜରୁରୀକାଳୀନ ଚିକିତ୍ସା ଓ ପ୍ରସୂତି ଚିକିତ୍ସା କରିଆସୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓପିଏସ୍‌ସି ପରୀକ୍ଷା ପରିବ‌େ‌ର୍ତ୍ତ ସ୍ଥାୟୀ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମାତ୍ର ତାହା ଏଯାବତ ଫାଇଲରେ ହିଁ ରହିଯାଇଛି। ଯଦି ସରକାର ତୁରନ୍ତ ସ୍ଥାୟୀ ନିଯୁକ୍ତି ନଦିଅନ୍ତି ତେବେ ସଂଘ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ସଭାପତି ଜ୍ୟୋତିରଞ୍ଜନ ଗାହାଣ କହିଛନ୍ତି।

Comments are closed.