ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ

ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌-୨୦୨୦ ଆଜି ରାଜ୍ୟସଭାରେ ଅନୁମୋଦନ ଲାଭ କରିଛି । ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ମାର୍ଚ୍ଚ ୧୯ ତାରିଖରେ ଗୃହୀତ ହୋଇଥିଲା । ଏହା ଫଳରେ ଏହି ବିଲ୍‌ ସଂସଦର ଅନୁମୋଦନ ଲାଭ କରିଛି ଏବଂ ଏହା ଫଳରେ ଏକ ଅତ୍ୟାଧୁନିକ ଆୟୁର୍ବେଦିକ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ପଥ ଉନ୍ମୁକ୍ତ ହୋଇଛି । ଏହାର ନାମ ରଖାଯିବ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ଆଇଟିଆରଏ । ଗୁଜରାଟର ଜାମନଗରଠାରେ ଏହା ପ୍ରତିଷ୍ଠା ହେବ ଏବଂ ଏହାକୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ବା ଆଇଏନ୍‌ଆଇ ମର୍ଯ୍ୟାଦା ପ୍ରଦାନ କରାଯିବ ।

ଏବେ ଜାମନଗରସ୍ଥିତ ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ଆୟୁର୍ବେଦ ପ୍ରତିଷ୍ଠାନ ଏକ ସ୍ୱୟଂ ସଂପୂର୍ଣ୍ଣ ଅନୁଷ୍ଠାନଭାବେ ସ୍ୱତନ୍ତ୍ରଭାବେ ତିଆରି ହେବ । ଏହା ସହିତ କେତେଗୁଡିଏ ପ୍ରତିଷ୍ଠିତ ଆୟୁର୍ବେଦିକ ଅନୁଷ୍ଠାନକୁ ଏହା ସହିତ ସହବନ୍ଧିତ କରି କାର୍ଯ୍ୟ କରିବାର ସୁବିଧା ଯୋଗାଇ ଦିଆଯିବ । ବର୍ତ୍ତମାନର ଜାମନଗର ସ୍ଥିତ ଉପାଧ୍ୟୁତ୍ତର ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଶ୍ରୀ ଗୁଲାବ କୁନବର୍ବା ଆୟୁର୍ବେଦ ମହାବିଦ୍ୟାଳୟ ଓ ଆୟୁର୍ବେଦ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଏହା ଅଧୀନରେ କାର୍ଯ୍ୟ କରିବ । ଏହାଛଡା ଜାମନଗରଠାରେ ଥିବା ମହର୍ଷି ପତଞ୍ଜଳି ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନକୁ ଆଂଶିକଭାବେ ଆଇଟିଆରଏର ଅନ୍ତର୍ଭୁକ୍ତ କରାଯିବ । ଏସବୁ ପ୍ରତିଷ୍ଠାନ ଜାମନଗରଠାରେ ଅନେକ ଦିନୁ ଗଢି ଉଠିବା ସହ ଆୟୁର୍ବେଦ ଶିକ୍ଷା, ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗାଉଛନ୍ତି । ପାଖାପାଖି ରହିଥିବା ସବୁ ଅନୁଷ୍ଠାନ ସବୁ ଏବେ ଆଇଟିଆରଏ ଅଧୀନରେ କାର୍ଯ୍ୟ କରିବ ।

ଆଶା କରାଯାଉଛି ଯେ ଏହି ନୂଆ ବିଲ୍‌ ଆଇନରେ ପରିଣତ ହେଲେ ଏସବୁ ଆୟୁର୍ବେଦିକ ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନଗୁଡିକୁ ଅଧିକ ସ୍ୱୟଂଶାସନ ମିଳିବ ଏବଂ ସେମାନେ ସ୍ୱାଧୀନଭାବେ ନିଜ ନିଜର କାର୍ଯ୍ୟ କରିପାରିବେ । ଆୟୂଷ ଚିକିତ୍ସା ଓ ଅଧ୍ୟୟନ କ୍ଷେତ୍ରରେ ଏହି ଅନୁଷ୍ଠାନ ନୂଆମାନ ସୃଷ୍ଟି କରିବା ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ସହାୟକ ହେବ । ଏଠାରେ ମଧ୍ୟ ଆୟୁର୍ବେଦର ସବୁ ବିଭାଗରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ତାଲିମ ପ୍ରଦାନ କରାଯିବ ଏବଂ ଆୟୁର୍ବେଦ ଭେଷଜ କ୍ଷେତ୍ରରେ ମଧ୍ୟ ଅଧିକ ଗବେଷଣା ପାଇଁ ମଧ୍ୟ ଏହା ସହାୟକ ହେବ ।

ଆୟୂଷ କ୍ଷେତ୍ରରେ ଆଇଏନ୍‌ଆଇ ମର୍ଯ୍ୟାଦା ପାଇବାରେ ଆଇଟିଆରଏ ପ୍ରଥମ ଅନୁଷ୍ଠାନ ହେବ । ଏହି ଅନୁଷ୍ଠାନ ସ୍ୱାଧୀନଭାବେ ଏହାର ପାଠ୍ୟକ୍ରମ ଓ ପରିଚାଳନା ଦାୟିତ୍ୱ ତୁଲାଇବ । ଏହାଛଡା ସ୍ୱାଧୀନଭାବେ ମଧ୍ୟ ଏହି ଅନୁଷ୍ଠାନ ପାଠ୍ୟକ୍ରମମାନ ପ୍ରବର୍ତ୍ତନ କରିବାର ଅଧିକାର ପାଇବ । ଏବେ ସାରା ବିଶ୍ୱରେ ପାରମ୍ପରିକ ଚିକିତ୍ସ ପଦ୍ଧତି ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଥିବାରୁ ସେହି ଆବଶ୍ୟକତା ପୂରଣ ପାଇଁ ଭାରତରେ ପ୍ରଥମ କରି ଏକ ଜାତୀୟ ପ୍ରତିଷ୍ଠାନ ଆଇଟିଆରଏ ସ୍ଥାପନ ହେବାକୁ ଯାଉଛି ।

Comments are closed.