ଆଜି ଅଯୋଧ୍ୟା ମାମଲାର ରାୟ : ସାରା ଦେଶରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଶାନ୍ତି ଓ ସଦଭାବ ବଜାୟ ରଖିବା ପାଇଁ ଦେଶବାସୀଙ୍କୁ ନିବେଦନ

ନୂଆଦିଲ୍ଲୀ : ବହୁ ପ୍ରତିକ୍ଷୀତ ଅଯୋଧ୍ୟା ମାମଲାର ରାୟ ଶନିବାର ସକାଳ ୧୦.୩୦ରେ ପ୍ରକାଶ ପାଇବ। ୪୦ ଦିନର ଶୁଣାଣିି ପରେ ଆଜି ରାୟ ଆସିବ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ। ତେଣୁ ସୁପ୍ରିମ କୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ପାଇଁ ଜେଡ୍‍ ପ୍ଲସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନ୍ୟ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ସହ ବାସଭବନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।
ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶାନ୍ତି ଓ ସଦଭାବ ବଜାୟ ରଖିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଯାହା ରାୟ ଆସିବ ତାକୁ ସମ୍ମାନ ଜଣାଇ ଶାନ୍ତି ବଜାୟ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।  ଗୁଜବ ଉପରେ ଧ୍ୟାନ ନ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ପଞ୍ଜାବ ଓ ହିରୟାଣାରେ ହାଇ ଆଲର୍ଟ ଜାରି କରାଯାଇଛି।
ତେବେ ସାରା ଦେଶରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜାମ୍ମୁ କାଶ୍ମୀର ଏବଂ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମଗ୍ର ଉତ୍ତର ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ୧୪୪ ଧାରା ଜାରି କରାଯାଇଛି । ଉତ୍ତର ପ୍ରଦେଶରେ ୧୧ ତାରିଖ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଉତ୍ତର ପ୍ରଦେଶର ଆଲିଗଡ଼ରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ।  ମଧ୍ୟ ପ୍ରଦେଶ ଓ ଦିଲ୍ଲୀରେ ମଧ୍ୟ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ କଲେଜ ଶନିବାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। କର୍ଣ୍ଣାଟକ ଏବଂ କେରଳରେ ରେ ମଧ୍ୟ ସରକାର ସ୍କୁଲ କଲେଜ ବନ୍ଦ ରଖିବା ନେଇ ଘୋଷଣା କରିଛନ୍ତି।

Comments are closed.