୨୦୦୫ ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ମାମଲା; ୪ ଜଣଙ୍କୁ ଆଜୀବନ ଜେଲ୍‍

ଲକ୍ଷ୍ନୌ : ୨୦୦୫ ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ମାମଲାରେ ପ୍ରୟାଗରାଜର ସ୍ୱତନ୍ତ୍ର ଅଦାଲତ ମଙ୍ଗଳବାର ୪ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଓ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଆତଙ୍କବାଦୀ ଆକ୍ରମଣର ଦୀର୍ଘ ୧୪ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି।
ସ୍ୱତନ୍ତ୍ର ବିଚାରପତି ଏସସି-ଏସଟି ଦିନେଶ ଚନ୍ଦ୍ର ଦୋଷୀଙ୍କୁ ୨୦ ହାଜର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି। ଅଭିଯୁକ୍ତ ମହମ୍ମଦ ଅଜୀଜଙ୍କୁ ଦୋଷ ମୁକ୍ତ ଘୋଷଣା କରାଯାଇଛି।
୨୦୦୫ ଜୁଲାଇ ୫ ସକାଳେ ଅଯୋଧ୍ୟାର ଜୈନ ମନ୍ଦିର ନିକଟରେ ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଏହାପରେ ଆତଙ୍କବାଦୀମାନେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ବିସ୍ଫୋରଣ, ଗ୍ରେନେଡ, ହାତବୋମା ମାଡ଼ କରିବା ସହ ଏକେ-୪୭ ବନ୍ଧୁକରୁ ଆଖୁ ବୁଜା ଗୁଳି ମାଡ଼ କରିଥିଲେ। ଏଥିରେ ଜୈନ ମନ୍ଦିର କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଅନେକ ସୁରକ୍ଷା କର୍ମୀ ଓ ଲୋକ ଆହତ ହୋଇଥିଲେ। ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଆକ୍ରମଣକୁ ରୂପ ଦେବାରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିଥିବା ଅଭିଯୋଗରେ ପୁଲିସ୍‍ ଓ ଏନଆଇଏ ୫ ଜଣଙ୍କୁ ଗିରଫ କରିଥିଲେ। ଦୀର୍ଘ ୧୪ ବର୍ଷ ପର୍ଯ୍ୟନ୍ତ ମାମଲାର ଶୁଣାଣି ଚାଲିଥିଲା। ଏହି ମାମଲାରେ ଅଭିଯୁକ୍ତ ଡ.ଇର୍ଫାନ, ମହମ୍ମଦ ସକିଲ, ମହମ୍ମଦ ନସିମ ଏବଂ ଫାରୁକ ଦୋଷୀ ସାବ୍ୟସ୍ତ ହୋଇଥିଲା ବେଳେ ମହମ୍ମଦ ଅଜୀଜ ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ୬୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

Comments are closed.