ଅଯୋଧ୍ୟା ସମୀକ୍ଷା ଆବେଦନର ଶୁଣାଣି ଆଜି

ନୂଆଦିଲ୍ଲୀ: ରାମ ଜନ୍ମଭୂମି ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ହୋଇଥିବା ସମୀକ୍ଷା ଆବେଦନଗୁଡିକ ଉପରେ ଗୁରୁବାର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ।

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ହିନ୍ଦୁ ମହାସଭା ଓ ଜାମିୟତ ଉଲେମା-ଏ-ହିନ୍ଦ ପକ୍ଷରୁ ସମୀକ୍ଷା ଆବେଦନ ଦାଖଲ କରାଯାଇଛି । ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜାଗା ଯୋଗାଇଦେବାକୁ ସରକାରଙ୍କୁ ନିର୍ଦେଶ ଦେଇଥିବାବେଳେ ଅଖିଳ ଭାରତ ହିନ୍ଦୁ ମହାସଭା ଏହାକୁ ଚ୍ୟାଲେଞ୍ଜ କରି ରିଭ୍ୟୁ ପିଟିଶନ ଦାଖଲ କରିଥିଲା । ହିନ୍ଦୁ ମହାସଭା ପକ୍ଷରୁ ବିଷ୍ଣୁ ଶଙ୍କର ଜୈନ ଗତ ସୋମବାର ଏହି ପିଟଶନ ଦାଖଲ କରିଛନ୍ତି। ସେ କହିଛନ୍ତି, ମୁସଲିମ ପକ୍ଷ ବିକଳ୍ପ ଜାଗା ଯୋଗାଇଦେବାକୁ କେବେ ହେଲେ ଦାବି କରି ନ ଥିବାବେଳେ ସୁପ୍ରିମକୋର୍ଟ ସେମାନଙ୍କୁ ଏଭଳି ପୁରସ୍କାର ଦେଇପାରିବେ ନାହିଁ। ଯେଉଁମାନେ ହିନ୍ଦୁମାନଙ୍କ ଧାର୍ମିକ ସ୍ଥାନକୁ ପାଦରେ ଦଳିଦେଇଛନ୍ତି, ସେମାନଙ୍କୁ ଏହି ବେଆଇନ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇ ପାରିବ ନାହିଁ।

ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଅଲ ଇଣ୍ଡିଆ ମୁସଲିମ ଲ’ ବୋର୍ଡ ସମର୍ଥନରେ ଜାମିୟତ ଉଲେମା-ଏ-ହିନ୍ଦ ପକ୍ଷରୁ ଗତ ସପ୍ତାହରେ ରିଭ୍ୟୁ ପିଟିଶନ ଦାଖଲ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ କରିଥିଲେ। ଖଣ୍ଡପୀଠ ବିବାଦୀୟ ସ୍ଥଳକୁ  ହିନ୍ଦୁ ପକ୍ଷଙ୍କୁ ଦେବା ସହିତ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ମସଜିଦ ନିର୍ମାଣ ଲାଗି ଅଯୋଧ୍ୟା ଭିତରେ ୫ ଏକର ଜାଗା ଯୋଗାଇଦେବାକୁ କେନ୍ଦ୍ର ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

Comments are closed.