ଅଯୋଧ୍ୟା ମାମଲାର ଫାଷ୍ଟଟ୍ରାକ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଆଇନ ମନ୍ତ୍ରୀଙ୍କ ନିବେଦନ

0

ନୂଆଦିଲ୍ଲୀ : ସାବରିମାଳା ପ୍ରସଙ୍ଗରେ ଯଦି ଫାଷ୍ଟଟ୍ରାକ ଶୁଣାଣି ସମ୍ଭବ ତା’ହେଲେ ଦୀର୍ଘ ଦିନରୁ ପଡି ରହିଥିବା ଅନ୍ୟ ମାମଲାଗୁଡିକର ଶୀଘ୍ର ଶୁଣାଣି ମଧ୍ୟ କରାଯାଇପାରିବ ବୋଲି ଯୁକ୍ତି ଦର୍ଶାଇ ଅଯୋଧ୍ୟା ମାମଲାର ତ୍ବରିତ ଶୁଣାଣି କରିବାକୁ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ସୋମବାର ଅଖିଳ ଭାରତୀୟ ଅଧିବକ୍ତା ପରିଷଦର ୧୫ତମ ଜାତୀୟ ସମ୍ମିଳନୀ ଉଦ୍‌ଘାଟନ କରି ପ୍ରସାଦ କହିଛନ୍ତି ରାମଜନ୍ମଭୂମି ମାମଲା ଫ୍ରାଷ୍ଟ-ଟ୍ରାକ କୋର୍ଟ ଭଳି ଶୁଣାଣି କରିବା ନିମନ୍ତେ ନିଜର ବକ୍ତିଗତ କ୍ଷମତା ମଧ୍ୟରେ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରୁଛନ୍ତି। ସାବରିମାଳାରେ ମହିଳାଙ୍କ ପ୍ରବେଶ ସମ୍ବନ୍ଧୀୟ ଶୁଣାଣି ଶେଷ ହୋଇଥିବା ବେଳେ ରାମ ଜନ୍ମଭୂମି ମାମଲା କାହିଁକି ୭୦ ବର୍ଷ ଧରି ପଡି ରହିଛି ବୋଲି ​‌​ସେ ପ୍ରଶ୍ନ ଉଠାଇଛନ୍ତି। ଲୋକମାନେ କାହିଁକି ବାବରଙ୍କୁ ପୂଜା କରିବେ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ଏମ୍‌. ଆର୍‌. ଶାହ, ଆହ୍ଲାବାଦ ହାଇକୋର୍ଟ ବିଚାରପତି ଗୋବିନ୍ଦ ମାଥୁର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବିଧାନର ଏକ ନମୁନା ଉସ୍ଥାପନ କରି ସେ କହିଛନ୍ତି, ସେଥିରେ ରାମ, କୃଷ୍ଣ ଏବଂ ଆକବରଙ୍କ କଥା ଉଲ୍ଲେଖ ରହିଛି। କିନ୍ତୁ କୌଣସି ସ୍ଥାନରେ ବାବରଙ୍କ ନାମ ଉଲ୍ଲେଖ ନାହିଁ। ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଲେ ଦେଶରେ ଭିନ୍ନ ଧରଣର ବିବାଦ ଉପୁଜୁଛି ବୋଲି ସେ କହିଛନ୍ତି। ଉଲ୍ଲେଖ ଯେ ଅଯୋଧ୍ୟା ମାମଲାର ଉପରେ ଆହ୍ଲାବାଦ ହାଇକୋର୍ଟ ୨୦୧୦ରେ ଦେଇଥିବା ରାୟ ବିରୋଧରେ ହୋଇଥିବା ୧୪ଟି ଆବେଦନର ଶୁଣାଣି ଲାଗି ସୁପ୍ରିମକୋର୍ଟ ତିନି ଜଣିଆ ପୀଠ ଗଠନ କରିବାର ସମ୍ଭାବନା ରହିଛି। ମାମଲାର ଶୁଣାଣି ଜାନୁଆରୀ ହେବ।

Leave A Reply