ଆୟରଲାଣ୍ଡ ପରାସ୍ତ; ଶ୍ରୀଲଙ୍କା ସୁପର-୧୨ରେ

ଆବୁଧାବି: ‌ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ପ୍ରଥମ ରାଉଣ୍ଡରୁ ପ୍ରଥମ ଦଳ ଭାବେ ସୁପର-୧୨ରେ ପହଞ୍ଚିଛି ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା। ବୁଧବାର ପ୍ରଥମ ରାଉଣ୍ଡର ଗ୍ରୁପ୍ ‘ଏ’ ମ୍ୟାଚ୍‌ରେ ଆୟରଲାଣ୍ଡକୁ ୭୦ ରନ୍‌ରେ ଶ୍ରୀଲଙ୍କା ପରାସ୍ତ କରିଛି। ପାଥୁମ୍ ନିଶଙ୍କା ଓ ୱାନିନ୍ଦୁ ହସରଙ୍ଗାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୭ ୱିକେଟରେ ୧୭୧ ରନ୍‌ କରିଥିଲା। ପରେ ଆୟରଲାଣ୍ଡ ୧୮.୩ ଓଭରରେ ୧୦୧ ରନ୍‌କରି ସମସ୍ତ ୱିକେଟ ହରାଇଥିଲା। ଶୁକ୍ରବାର ହେବାକୁ ଥିବା ଆୟରଲାଣ୍ଡ-ନାମିବ୍ୟା ମୁକାବିଲାର ବିଜେତା ଏହି ଗ୍ରୁପ୍‌ରୁ ୨ୟ ଦଳ ଭାବେ ସୁପର-୧୨ରେ ପ୍ରବେଶ କରିବ।

୧୭୨ ରନ୍‌ ଲକ୍ଷ୍ୟରେ ଆୟରଲାଣ୍ଡ ୩୨ ରନ୍‌ରେ ୩ଟି ୱିକେଟ ହରାଇଥିଲା। ପଲ୍‌ ଷ୍ଟର୍ଲିଂ ୭, କେଭିନ୍ ଓ’ବ୍ରାଇନ୍ ୫ ଓ ଗାରେଥ୍‌ ଡିଲାନି ୨ ରନ୍‌କରି ଆଉଟ ହୋଇଥିଲେ। ଅଧିନାୟକ ଆଣ୍ଡି ବାଲ୍‌ବର୍ନି ଓ କର୍ଟିସ୍ କାମ୍ଫର ୪ର୍ଥ ୱିକେଟ ପାଇଁ ୫୩ ରନ୍‌ ଯୋଡ଼ିଥିଲେ। କାମ୍ଫର ୨ଟି ଚୌକା ସହ ୨୪ ରନ୍‌ କରିଥିଲେ। ହ୍ୟାରି ଟେକ୍ଟର ୩ ଓ ନିଲ୍‌ ରକ୍‌ ୧ ରନ୍‌କରି ବିଦାୟ ନେଇଥିଲେ। ୧୬ ରନ୍‌ରେ ଆୟରଲାଣ୍ଡ ଶେଷ ୭ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ଆଣ୍ଡି ବାଲ୍‌ବର୍ନି ୩୯ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୪୧ ରନ୍‌ କରିଥିଲେ। ମାହିଶ ତୀକ୍ଷଣ ୩ଟି ଏବଂ ଚମିକା କରୁଣାରତ୍ନେ ଓ ଲାହିରୁ କୁମାର ୨ଟି ଲେଖାଏଁ ୱିକେଟ ନେଇଥିଲେ। ୱାନିନ୍ଦୁ ହସରଙ୍ଗା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଟସ୍ ଜିତି ଆୟରଲାଣ୍ଡ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ମାତ୍ର ୮ ରନ୍‌ରେ ଶ୍ରୀଲଙ୍କା ୩ଟି ୱିକେଟ ହରାଇ ବିପର୍ଯ୍ୟୟ ଭୋଗିଥିଲା। କୁଶଳ ପରେରା, ଦିନେଶ ଚାନ୍ଦିମାଲ ଓ ଅଭିକ୍ଷା ଫର୍ଣ୍ଣାଣ୍ଡୋ ଆଉଟ ହୋଇ ଯାଇଥିଲେ। ତେବେ ୪ର୍ଥ ୱିକେଟ ପାଇଁ ପାଥୁମ୍ ନିଶଙ୍କା ଓ ୱାନିନ୍ଦୁ ହସରଙ୍ଗା ୧୨୩ ରନ୍ ଯୋଗ କରିଥିଲେ। ହସରଙ୍ଗା ବିସ୍ଫୋରକ ବ୍ୟାଟିଂକରି ୪୭ ବଲ୍‌ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୭୧ ରନ୍‌ କରିଥିଲେ। ପାଥୁମ୍ ନିଶଙ୍କା ୪୭ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୬୧ ରନ୍‌ କରିଥିଲେ। ଅଧିନାୟକ ଦାସୁନ ଶନକ ୧୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ଅପରାଜିତ ଥିଲେ। ଜୋସ୍ ଲିଟ୍‌ଲ ୪ଟି ଓ ମାର୍କ ଆଡାୟର ୨ଟି ୱିକେଟ ନେଇଥିଲେ।

Comments are closed.