ମେଘା ସେକ୍ଟରରେ ସ୍ତନକର୍କଟ ସଚେତନତା ମାସ ପାଳନ

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଏକମାସ ବ୍ୟାପୀ ୩୩ଟି ଗାଁ କଲ୍ୟାଣ ସମିତି ମାଧ୍ୟମରେ ସ୍ତନକର୍କଟ ସଂପର୍କୀତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସ ଏହି ସଚେତନତା କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ । ରବିବାର ଆଠଗଡ ବ୍ଲକର କଟକିଆସାହି ପଞ୍ଚାୟତ ଅନ୍ତର୍ଗତ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ଆୟୋଜିତ ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା କରି ସ୍ତନକର୍କଟ ରୋଗର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣା ନଥିଲେ ମଧ୍ୟ ଏହାର ନିରାକରଣ ଓ ସଠିକ୍‍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ୱାରା ଭଲ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଶେଷକରି ଏହା କେତେକାଂଶରେ ବଂଶଗତ ରୋଗ ହୋଇଥିବା ବେଳେ ସମ୍ଭାନ୍ତ ଶ୍ରେଣୀର ମହିଳା, ଅବିବାହିତ ମହିଳା ଏବଂ ସର୍ବୋପରି ଯେଉଁ ମାଆମାନେ ଶିଶୁଙ୍କୁ ସ୍ତନ୍ୟପାନ କରାନ୍ତି ନାହିଁ ଓ ଯେଉଁ ମହିଳାଙ୍କର ଋତୁସ୍ରାବ ଅଧିକ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ସେମାନଙ୍କ ଠାରେ ସ୍ତନକର୍କଟ ରୋଗ ହେବାର ସମ୍ଭାବନା ଅଧିକ ଥାଏ । ସ୍ତନରେ ଆବୁ ବା କିଛି ଟାଣ ଲାଗିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ସାଧାରଣତଃ ପ୍ରାରମ୍ଭିକ ଅବସ୍ଥାରେ ସ୍ତନକର୍କଟ ନିରୁପଣ କରାଯାଇପାରିଲେ ରୋଗ ସଂପୂର୍ଣ୍ଣ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ଥାଏ ବୋଲି ଶ୍ରୀ ଅସଲମ କହିଥିଲେ । ଏହି ରୋଗ ମାମୋଗ୍ରାଫି ପରୀକ୍ଷା ଦ୍ୱାରା ନିରୂପଣ କରାଯାଇଥାଏ । ପ୍ରତ୍ୟେକ ଗ୍ରାମରେ ନିର୍ଦ୍ଧାରିତ ମଙ୍ଗଳବାର ଓ ଶୁକ୍ରବାର ମମତା ଦିବସରେ ସ୍ତନକର୍କଟ ସଂପର୍କରେ ପରାମର୍ଶ ଦିଆଯାଇଥାଏ ଏବଂ ଏହାର ସୁଯୋଗ ନେବା ପାଇଁ ସେ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପ୍ରଣିତା ବେହେରା, ଅମରେନ୍ଦ୍ର ପ୍ରଧାନ, ଆଶାକର୍ମୀ ହେମା ଶର୍ମା, ଗାଁ କଲ୍ୟାଣ ସମିତିର ସଦସ୍ୟ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ମା ଓ ଝିଅମାନେ ଯୋଗଦାନ କରିଥିଲେ।

Comments are closed.