କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ମତ୍ସ୍ୟ ଚାଷ ସମ୍ପର୍କିତ ସଚେତନତା ଶିବିର

କଲମପୁର: ଜିଲ୍ଲା ମତ୍ସ୍ୟ ଚାଷ ବିଭାଗ ଓ ହେଡସ ସ୍ୱେଚ୍ଛାସେବୀ ସଂସ୍ଥାର ସହଯୋଗରେ କଲମପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସଭାଗୃହଠାରେ ବ୍ଲକ କୃଷି ଅଧିକାରୀ ଅନନ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ଚାଷ ସମ୍ବନ୍ଧିତ ଏକ ସଚେତନତା ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ମତ୍ସ୍ୟ ଚାଷ ଅଧିକାରୀ ବସନ୍ତ କୁମାର ନାୟକ ଯୋଗ ଦେଇଥିଲେ। ବ୍ଲକର ୪୫ ଜଣ ମତ୍ସ୍ୟ ଚାଷୀ ଏହି ଶିବିରରେ ଯୋଗ ଦେଇଥିଲେ। କଲମପୁର ବ୍ଲକରେ ନିୟୋଜିତ ସହକାରୀ ମତ୍ସ୍ୟ ଚାଷ ଅଧିକାରୀ ମାନବେଶ ମହାପାତ୍ର, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ମତ୍ସ୍ୟ ଚାଷରେ ଦେଖା ଦେଉଥିବା ରୋଗ ପୋକର କାରଣ ନିରାକରଣ ସମ୍ବନ୍ଧରେ ଚାଷୀଙ୍କୁ ବୁଝାଇଥିଲେ। ଏହାସହ ମାଛ ଚାଷର ବିଭିନ୍ନ ପର୍ଯ୍ୟାୟରେ ଦେଖା ଦେଉଥିବା ରୋଗ ପୋକର ଚିହ୍ନଟ ଓ ତାର ନିୟନ୍ତ୍ରଣ ସମ୍ବନ୍ଧରେ ବୁଝାଇଥିଲେ। ମାଛ ଚାଷ ଏବେ ଲାଭଜନକ ହେଇଥିବାରୁ ଅନେକ ଚାଷୀ ମାଛ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ଗତ କିଛି ବର୍ଷ ପୂର୍ବରୁ ଆନ୍ଧ୍ର ମାଛର ପ୍ରମୁଖ ବଜାର ଥିଲା କଳାହାଣ୍ଡି। କିନ୍ତୁ ଏବେ କଳାହାଣ୍ଡିରେ ମଧ୍ୟ ମାଛ ଚାଷ ର ପ୍ରଭାବ ଦେଖା ଯାଉଛି। ବିଶେଷ କରି କଲମପୁର ବ୍ଲକର ପଣ୍ଡିଗାଁ, ବିଜମରା, ମୀନଗୁର, ମଣ୍ଡଳ, ନୁଆଗାଁ, କୋଟାଗାଁ, ବଲାଗାଁ, ବନ୍ଧକନା ଆଦି ଅଂଚଳର ଚାଷୀ ପ୍ରାୟତଃ ମାଛ ଚାଷ ଉପରେ ନିର୍ଭର କରୁଛନ୍ତି। ଆଗାମୀ ଦିନରେ କଲମପୁର ବ୍ଲକ ମାଛ ଚାଷରେ ଅଗ୍ରଣୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ହେଡସର ମୁଖ୍ୟ ସହଦେବ ବେହେରା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Comments are closed.