ବନ୍ୟା ସମୟରେ ସାପ ଦାଉରୁ ରକ୍ଷା ପାଇବା ପାଇଁ କିପରି ରହିବେ ସତର୍କ…

ଭୁବନେଶ୍ବର : ବନ୍ୟା ସମୟରେ ଚାରିଆଡେ ପାଣି ଭରିଯିବା ଫଳରେ ସାପ ମାନେ ବାସହରା ହେବା ସହ ନିଜର ଚଳ ପ୍ରଚଳ କ୍ଷେତ୍ରରୁ ମଧ୍ୟ ବିତାଡିତ ହୋଇ ତାଙ୍କ ପାଇଁ ଏକ ଅଜଣା କ୍ଷେତ୍ରକୁ ଭାସି ଚାଲି ଯାଇ ଥାଆନ୍ତି । ଏଣୁ ସେମାନଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିବା ସ୍ୱାଭାବିକ । ପ୍ରଥମ ୮-୧୦ ଦିନ ସିନା ଜୀବନ ବଞ୍ଚେଇବା ପାଇଁ ଶୁଖିଲା ସ୍ଥାନ ଖୋଜିବାରେ ଗଲା, ହେଲେ ତାପରେ ଭୋକ ମେଣ୍ଟେଇବା ପାଇଁ ସାପ ମାନେ ଖାଦ୍ୟ ଖୋଜନ୍ତି । ଆଉ ସେତେବେଳେ ନୂଆ କ୍ଷେତ୍ର ସେମାନଙ୍କ ପାଇଁ ଯାବତୀୟ ଅସୁବିଧା ସୃଷ୍ଟି କରିଥାଏ ।

ବନ୍ୟା ସମୟରେ ସାପ ମାନଙ୍କ ଉପଦ୍ରଵ ବଢିବାର କାରଣ 

– ପ୍ରଥମେ ବନ୍ୟା ଜଳ ସାପ ମାନଙ୍କର ଗାତରେ ପସିଯିବାରୁ ସେମାନେ ବାହାରକୁ ଆସି ଶୁଖିଲା ଯାଗା ଖୋଜନ୍ତି ।

– ବନ୍ୟା ଜଳ ସୁଅରେ ଗୋଟିଏ କ୍ଷେତ୍ରରୁ ସାପ ମାନେ ଭାସି ଯାଇ ଅଜଣା କ୍ଷେତ୍ରରେ ପହଞ୍ଚନ୍ତି । ମଣିଷ ଙ୍କ ପାଇଁ ହୁଏତ ୧-୨ କି.ମି କିଛି ନୁହେଁ । ହେଲେ ସାପ ମାନଙ୍କର ଟେରୀଟୋରି ଖୁବ କମ ଜାଗାରେ ବ୍ୟାପିଥାଏ ।

– ଶୁଖିଲା ଓ ଉଚ୍ଚ ସ୍ଥାନ ପାଇଁ ପ୍ରତିଦ୍ବନ୍ଦିତା  ମଣିଷ ଯେଉଁ ନଦୀ ବନ୍ଧ ବା ଢ଼ିପ ଯାଗାକୁ ଆଶ୍ରୟ ବୋଲି ଭାବିଥାଏ, ସାପ ବି ସେଇ ସମାନ ଯାଗାକୁ ନିଜ ଆଶୟ ବୋଲି ଭାବିଥାଏ । ଆଉ ମଣିଷ କେବେ ବି ସାପ ସହ ବନ୍ୟା ସମୟରେ ଏକ ସ୍ଥାନରେ ରହିବା ଅନୁଚିତ ।

– ମଣିଷ ବନ୍ଧ ବା ଢ଼ିପ ଜାଗାକୁ ନିଜର ଗୃହପାଳିତ ପଶୁ ଯେମିତିକି କୁକୁଡ଼ା ବତକ, ଛେଳି ମେଣ୍ଢା ଆଦିଙ୍କୁ ମଧ୍ୟ ନେଇଥାନ୍ତି । ସାପ ମାନେ ଏମାନଙ୍କୁ ଖାଦ୍ୟ ଭାବରେ ଦେଖିବା ମଧ୍ୟ ସ୍ୱାଭାବିକ ।

– ବନ୍ୟା ପାଣିର ପ୍ରକୋପ ପରେ ମଣିଷ ନିଜ ଘରକୁ ଫେରିବା ବେଳକୁ ହୁଏତ ୨ସପ୍ତାହ ମଧ୍ୟ ଲାଗିଯାଏ । ସେତେବେଳେ ଆଉ ଘରକୁ ଫେରିବାକୁ ସୁବିଧା ନଥାଏ । ଘରକୁ ଫେରିବା ବେଳେ ଅନେକ ସମୟରେ ସାପ ମାନେ ଘର ଭିତରେ ଆଶ୍ରୟ ନେଇ ଥାନ୍ତି, ଯାହାକି ବିଷମ ସମସ୍ୟା ସୃଷ୍ଟି କରିଥାଏ ।

– ପାଣି ଘେରରେ ଥିବା ଗୋଟିଏ ବଡ଼ ଗଛରେ ଅନେକ ସାପ ଆଶ୍ରୟ ନେବା ମଧ୍ୟ ବନ୍ୟା ବେଳେ ଏକ ସାଧାରଣ ଦୃଶ୍ୟ ହୋଇଥାଏ ।

କଣ କରାଯାଇ ପାରିବ …..

– ଯେଉଁ ନଦୀ ବନ୍ଧ ବା ଉଚ୍ଚ ସ୍ଥାନରେ ମଣିଷ ମାନେ ଆଶ୍ରୟ ନେଇଥିବେ, ସେମାନେ ପ୍ରାୟତଃ ପଲିଥିନ ବା ତମ୍ବୁ ବ୍ୟବହାର କରି ଥାନ୍ତି । କୁକୁଡ଼ା ବତକ ଆଦି ପ୍ରାଣୀଙ୍କୁ ଚୋରି ଭୟରେ ନିଜ ପାଖେ ରଖନ୍ତି ସତ,ହେଲେ ତାହା ସାପ ମାନଙ୍କ ତରଫରୁ ବିପଦ ବଢ଼େଇ ଦେଇଥାଏ । ଏଣୁ କେବେ ବି ମଣିଷଙ୍କ ତମ୍ବୁ ଭିତରେ ଗୃହ ପାଳିତ ପ୍ରାଣୀଙ୍କୁ ରଖନ୍ତୁ ନାହିଁ ।

– ବନ୍ୟା ପରେ ଘରକୁ ଫେରିବା ପୂର୍ବରୁ ଭଲ ଭାବରେ ସାପର ଉପସ୍ଥିତିକୁ ଖୋଜି ନିଅନ୍ତୁ । ଚାଳ ବା ଆଜବେସ୍ଟସ୍ ଘର ହୋଇଥିଲେ ସାପ ଙ୍କୁ ଲୁଚିବା ପାଇଁ ଛପର ତଳେ ଢେର ଜାଗା ମିଳିଥାଏ । ସେଗୁଡିକୁ ଭଲ ଭାବରେ ଯାଞ୍ଚ ନକରି ଘରକୁ ଆସନ୍ତୁ ନାହିଁ ।

– ନିଜର ତମ୍ବୁ ଏବଂ ଗୃହପାଳିତ ପ୍ରାଣୀଙ୍କ ଚାରି ପଟେ ମାଛ ଜାଲ ଘେରେଇ ଦେଲେ, ସାପ ଯଦି ପଶିବାକୁ ଚେଷ୍ଟା କରିବ ତେବେ ଜାଲରେ ଛନ୍ଦି ହେଇଯିବ ।

– ବନ୍ୟା ବେଳେ ଯଦିଓ ପାଇବା କଷ୍ଟ, କିନ୍ତୁ ଯଦି ବ୍ଲିଚିଂ ପାଉଡର ଏବଂ କଳା ଫିନାଇଲ ଆଦି ମିଳିଲେ ତାକୁ ସୁରକ୍ଷା ବଳୟ ଭାବରେ ବ୍ୟବହାର କଲେ କିଛି ସୁଫଳ ମିଳିବ ।

– ପାଳି କରି ବନ୍ଧ ବା ଢ଼ିପ ଜାଗାରେ ନିଜ ଆଡୁ ସାପର ଉପସ୍ଥିତି ଖୋଜି ସେମାନଙ୍କୁ ସେଇ ଜାଗାରୁ ବିତାଡିତ କରିବା ପାଇଁ ଟିମ ଗଠନ କରି କାମ କରନ୍ତୁ । କାରଣ ସବୁ ଲୋକ ସାପକୁ ମାରିବା ପାଇଁ ମଧ୍ୟ ସକ୍ଷମ ନଥାନ୍ତି ।

– ବନ୍ୟା ବେଳେ ସାପ ବି ମଣିଷ ଭଳି ଭୋକରେ ଥାଏ। ନୂଆ ଟେରୀଟୋରୀ ରେ ଖାଦ୍ୟ ନପାଇ ସାପଟିଏ ମଧ୍ୟ ରାଗିକି ଥାଏ। ଏଣୁ ଅଧିକ ସାବଧାନତା ଆବଶ୍ୟକ ।

– ପାଣିରେ ପହଁରିବା ବେଳେ କାଠ ଗଡ଼ ବା ବାଉଁଶ ଭେଳା ଇତ୍ୟାଦି ଲୋକେ ବ୍ୟବହାର କରିଥାନ୍ତି । ସାପ ମଧ୍ୟ ସେହି ଭେଳା ପାଖକୁ ଆସିବା ଉଦାହରଣ ବହୁତ ରହିଛି ।

– ଛୋଟ ବଡ଼ ସମସ୍ତେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ହାତରେ ଲମ୍ବା ଶକ୍ତ ବାଡ଼ି ଖଣ୍ଡିଏ ନିହାତି ଧରନ୍ତୁ ।

-ବନ୍ୟା ବେଳେ ବନ୍ଧ ବା ଢ଼ିପ ରେ ଆଶ୍ରିତ ଲୋକଙ୍କ ଏକ ପ୍ରମୁଖ କାମ ହୋଇଥାଏ ମାଛ ଧରିବା । ବେଳେ ବେଳେ ଅଧିକ ମାଛ ପଡିଯାନ୍ତି, ଯାହାକୁ ଭାଜିବା ପାଇଁ ନା ତେଲ ଥାଏ, ନା ଚୁଲି ପାଇଁ ଜାଳ ଥାଏ । ଲୋକେ ତାକୁ ତମ୍ବୁ ପାଖେ ଶୁଖେଇ ଦିଅନ୍ତି । ତେବେ ଅନେକ ସାପ ମୃତ ମାଛ ବି ଖାନ୍ତି, ଏଣୁ ବଳକା ମାଛକୁ କେବେ ହେଲେ ରହିବା ସ୍ଥାନ ପାଖରେ ଖୋଲାରେ ଶୁଖାନ୍ତୁ ନାହିଁ । ଅଯଥାରେ ମାଛର ବାସ୍ନାରେ ସାପ ମାନେ ଆକୃଷ୍ଟ ହେଇ ଆସିବେ ।

ବନ୍ୟା ବେଳେ ରାସ୍ତା ଘାଟ ବୁଡି ଯୋଗଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥାଏ । ଏଇ ସମୟରେ କାହାକୁ ବି ବିଷଧର ସାପ କାମୁଡିବା ଅଧିକ ବିପଦ ସୃଷ୍ଟି କରିବା ସ୍ୱାଭାବିକ, କାରଣ ଆକ୍ରାନ୍ତ ବ୍ୟକ୍ତିକୁ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚେଇବା ସମ୍ଭବ ହୋଇନଥାଏ ।

ଏଣୁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ସାପ କାମୁଡ଼ିଲେ ଉପଯୁକ୍ତ ପ୍ରାଥମିକ ଚିକିତ୍ସା କରି ଅନ୍ୟ କୌଣସି କାମରେ ସମୟ ନଷ୍ଟ କରି ଡ଼ଙ୍ଗା ବା କୌଣସି ଉପାୟରେ ରାସ୍ତାକୁ ଆସି ପୁନଶ୍ଚ ଡାକ୍ତରଖାନାରେ ପହଞ୍ଚିଚିବା ପାଇଁ ଅନ୍ୟ ଗାଡି ଇତ୍ୟାଦିର ସାହାଯ୍ୟ ନିଆଯିବା ଉଚିତ ।

– ଯେଉଁ ବ୍ୟକ୍ତିଙ୍କୁ ସାପ କାମୁଡିଥିବ, ସେ ଯେତେ ଭଲ ପହଁରାଳି ହେଲେ ମଧ୍ୟ ବନ୍ୟା ପାଣିରେ ପହଁରି ରାସ୍ତା ଅତିକ୍ରମ କରିବା ଉଚିତ ନୁହେଁ । କାରଣ ପହଁରିବାରେ ଯେତିକି ଶାରୀରିକ ପରିଶ୍ରମ ହେବ, ବିଷ ସେତେ ଶୀଘ୍ର ଦେହରେ ଖେଳିଯିବ । ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅନ୍ୟମାନେ ଭେଳା ବା ହାଣ୍ଡି ଡେକଚି ଯାହା ବି ମିଳିଲା ସେଥିରେ ପାଣି ଘେରରୁ ବାହାରକୁ ଆଣିବା ଉଚିତ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

– ବନ୍ୟା ବେଳେ  ବେଶ କିଛି ଦିନ ଯାଏଁ ଯୋଗାଯୋଗ ବିଛିନ୍ନ ହୋଇଯାଏ। ଆଜି କାଲି ମୋବାଇଲ ମଧ୍ୟ ସୋଲାର ବ୍ୟାଟେରୀ ମାଧ୍ୟମରେ ଚାର୍ଜ ହେଇପାରୁଛି । ମୋବାଇଲ ଫୋନ୍ ଟିଏ ଥିଲେ ସାପ କାମୁଡା ଖବର ଆମ୍ବୁଲାନ୍ସ ବା ଅନ୍ୟ କେଉଁ ଗାଡି ବାଲାଙ୍କୁ ଦେଇ ହେବ। ତେବେ, ଅଯଥାରେ ଗେମ ବା ସୋସିଆଲ ମେଡିଆରେ ସମୟ ନଷ୍ଟ କରନ୍ତୁ ନାହିଁ । ବ୍ୟାଟେରୀ ରେ ଚାର୍ଜ ଥିଲେ ତ’ ଆପଣ ଆମ୍ବୁଲାନ୍ସକୁ ଫୋନ କରିବେ ବୋଲି କହିଛନ୍ତି ଶ୍ରୀ ମଲ୍ଲିକ।

Comments are closed.