ରଘୁନାଥ ଓ ନିର୍ମଳ ପାଇବେ ସରୋଜ ମହାସୁଆର ସମ୍ମାନ

0

ଭୁବନେଶ୍ୱର : ସରୋଜ ମହାସୁଆର ସ୍ମୃତି କମିଟି ପକ୍ଷରୁ ସମ୍ମାନଜନକ ୧୫ତମ ସରୋଜ ମହାସୁଆର ସ୍ମୃତି ସମ୍ମାନ ଘୋଷଣା କରାଯାଇଛି। ଚଳିତବର୍ଷ ଲାଗି ଏହି ସମ୍ମାନ ଯୁବ ବ୍ୟାଟ୍‍ସମ୍ୟାନ ରଘୁନାଥ ମଲ୍ଲ ଓ ଅଭିଜ୍ଞ ଅମ୍ପାୟାର ନିର୍ମଳ ମିଶ୍ର ପାଇବାକୁ ମନୋନୀତ ହୋଇଛନ୍ତି। ସରୋଜ ମହାସୁଆର ସ୍ମୃତି କମିଟି ଓ କ୍ରୀଡ଼ା ସାମ୍ବାଦିକମାନଙ୍କୁ ନେଇ ଗଠିତ ପୁରସ୍କାର କମିଟି ପକ୍ଷରୁ ରଘୁନାଥଙ୍କୁ ଶ୍ରେଷ୍ଠ ଯୁବ କ୍ରିକେଟର ଓ ନିର୍ମଳଙ୍କୁ ଶ୍ରେଷ୍ଠ ଅମ୍ପାୟାର ଭାବେ ମନୋନୟନ କରିଛନ୍ତି। ଆସନ୍ତା ୬ରେ ସରୋଜ ମହାସୁଆରଙ୍କ ଶ୍ରାଦ୍ଧବାର୍ଷିକୀରେ ପୁରୁଣା ଭୁବନେଶ୍ୱରସ୍ଥିତ ଟାଉନ୍‍ କ୍ଲବ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସ୍ମୃତି କମିଟିର ଆବାହକ ମନୋଜ ମହାପାତ୍ର ଜଣାଇଛନ୍ତି।
ରଘୁନାଥ ୨୦୧୩-୧୪ରୁ ଓଡ଼ିଶା ପାଇଁ ଘରୋଇ କ୍ରିକେଟ ଖେଳୁଥିବାବେଳେ ଲଗାତାର ୪ ବର୍ଷ ହେବ ପୂର୍ବାଞ୍ଚଳ ଆଞ୍ଚଳିକ କ୍ରିକେଟ ଏକାଡ଼େମୀ ଲାଗି ମନୋନୀତ ହୋଇଛନ୍ତି। ଗତ ୨୦୧୭-୧୮ ସିିଜିନରେ ୧୯ ବର୍ଷରୁ କମ୍‍ କୁଚବେହାର ଟ୍ରଫିରେ ଓଡ଼ିଶା ଦଳର ନେତୃତ୍ୱ ନେବା ସହିତ ମୋଟ ୪୯୨ରନ କରିଥିଲେ। ତାମିଲନାଡ଼ୁ ବିପକ୍ଷରେ ୧୭୫, ସୌରାଷ୍ଟ୍ର ବିପକ୍ଷରେ ଅପରାଜିତ ୧୧୦ ଓ ୬୮ରନ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଜୋନାଲ ପ୍ରତିଯୋଗିତାରେ ପୂର୍ବାଞ୍ଚଳ ପକ୍ଷରୁ ପ୍ରତିନିଧିତ୍ୱ କରି ଉତ୍ତରାଞ୍ଚଳ ବିପକ୍ଷରେ ୧୩୦ରନ ଓ ଉତ୍ତର ପୂର୍ବାଞ୍ଚଳ ବିପକ୍ଷରେ ୧୨୬ ରନ କରିଥିଲେ। ଏହି ସଫଳତା ଲାଗି ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡ଼େମୀରେ ପ୍ରଶିକ୍ଷଣ ନେବା ଲାଗି ମଧ୍ୟ ସୁଯୋଗ ପାଇଥିଲେ। କେନ୍ଦ୍ରାପଡ଼ା ଜିଲା ନେତୁଆ ନିବାସୀ ନିର୍ମଳ ଚନ୍ଦ୍ର ଓ ସରୋଜବାଳା ମଲ୍ଲଙ୍କ ପୁତ୍ର ରଘୁନାଥ ଭୁବନେଶ୍ୱର ପ୍ରଗତି ସ୍ପୋର୍ଟିଂରେ କିଶୋର ମାଣିଆ ଓ ଟୁନା ସାହୁଙ୍କ ମାଗଦର୍ଶନରେ କ୍ୟାରିୟର ଗଢିଛନ୍ତି। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ କ୍ରିକେଟ ଅମ୍ପାୟାରିଂକୁ ନୂଆ ସ୍ତରକୁ ନେଇଥିବା ନିର୍ମଳ କୁମାର ମିଶ୍ର ବୃତ୍ତିରେ ଶିକ୍ଷକତା କରୁଛନ୍ତି। ୨୦୦୬ରେ ଓସିଏ ପ୍ୟାନେଲ ଅମ୍ପାୟାର ହେବା ପୂର୍ବରୁ ସେ ୨୦୦୨ରେ ରାଜ୍ୟ ପ୍ୟାନେଲ ଫୁଟବଲ ରେଫରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। କ୍ଲବ କ୍ରିକେଟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ, ସର୍ବଭାରତୀୟ କ୍ରିକେଟ ପ୍ରତିଯୋଗିତା, କଳାହାଣ୍ଡି କପ, ଓଡ଼ିଶା ପ୍ରିମିୟର ଲିଗ୍‍, ଜୋନାଲ ଏକାଡ଼େମୀ ଟ୍ରାଏଲ୍ସ ଭଳି ଏକାଧିକ ବୃହତ ପ୍ରତିଯୋଗିତାରେ ସଫଳତାର ସହିତ ଅମ୍ପାୟାର ଦାୟିତ୍ୱ ତୁଲାଇଛନ୍ତି। ସୂଚନାଯୋଗ୍ୟ, ୨୦୦୪ରେ ପ୍ରଥମଥର ସରୋଜ ମହାସୁଆର ସ୍ମୃତି ସମ୍ମାନ ଦୀପକ ମଙ୍ଗରାଜଙ୍କୁ ପ୍ରଦାନ କରାଯାଇଥିଲା।

Leave A Reply