ଡାକ ବିଭାଗର ସର୍ବୋଚ୍ଚ ପୁରସ୍କାର ‘ମେଘଦୂତ’ ପ୍ରାପ୍ତ କଲେ  ସୁନୀତା ପ୍ରିୟଦର୍ଶିନୀ

ସମ୍ବଲପୁର :  ଭାରତୀୟ ଡାକ ବିଭାଗର ସର୍ବୋଚ୍ଚ ପୁରସ୍କାର ‘ମେଘଦୂତ ପୁରସ୍କାର’ପ୍ରାପ୍ତ କରିଛନ୍ତି ସମ୍ବଲପୁର ଡାକ ବିଭାଗର କର୍ମଚାରୀ ସୁନୀତା ପ୍ରିୟଦର୍ଶିନୀ ସାମନ୍ତରାୟ। ଭାରତୀୟ ଡାକ ବିଭାଗ ଅଧିନସ୍ଥ ଓଡିଶା ଡାକ ସାର୍କିଲର ସମ୍ବଲପୁର ଡିଭିଜନ ଅର୍ନ୍ତଗତ ମୁଖ୍ୟ ଡାକ ଘରରେ ଅଫିସ ଆସିଷ୍ଟାନ୍ଟ ଭାବରେ କାର୍ଯ୍ୟରତ ସୁନୀତା ୬ ଏପ୍ରିଲ ୨୦୧୫ ରେ ଡାକ ବିଭାଗରେ ଯୋଗ ଦେଇଥିଲେ। ସମ୍ବଲପୁର ନିବାସୀ ଡି.ସି. ସାମନ୍ତରାୟ ଓ ସରୋଜିନୀ ସାମନ୍ତରାୟ ଙ୍କ ଝିଅ ସୁନୀତା ପଶ୍ଚିମ ଓଡିଶାର ତଥା ସମ୍ବଲପୁର ଡାକ ଡିଭିଜନରୁ ପ୍ରଥମ କର୍ମଚାରୀ ଭାବରେ ଏହି ପୁରସ୍କାର ପ୍ରାପ୍ତ କରିଛନ୍ତି। ବିଭାଗରେ ଯୋଗ ଦେବାର ମାତ୍ର ୪ ବର୍ଷ ମଧ୍ୟରେ ଏହି ସର୍ବୋଚ୍ଚ ପୁରସ୍କାର ପ୍ରାପ୍ତ କରିବାରେ ସୁନୀତା ହେଉଛନ୍ତି ସର୍ବ କନିଷ୍ଠ କର୍ମଚାରୀ ଅଟନ୍ତି। ୨୦୧୫ ମସିହାରେ ଡାକ ବିଭାଗର ସିଏସଆଇ କାର୍ଯ୍ୟକ୍ରମ ସମ୍ବଲପୁର ଡିଭିଜନରେ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ଲାଗୁ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସୁନୀତା ନିର୍ବାହ କରିଥିଲେ। ଏହା ସହିତ ଡାକ ବିଭାଗର ବିଭିନ୍ନ ସ୍କିମ, ଦୁଇଟି ଡିଭିଜନ ସ୍ତରୀୟ ଫିଲାଟେଲିକ ପ୍ରଦର୍ଶନୀ ‘ମହାନଦୀପେକ୍ସ – ୨୦୧୭’ ଓ ‘ସମଲେଇପେକ୍ସ – ୨୦୧୮’ କାର୍ଯ୍ୟକ୍ରମକୁ ମଧ୍ୟ କାର୍ଯ୍ୟକାରିତା କରିବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ଏହା ସହିତ ଡାକ ବିଭାଗର ବିଭିନ୍ନ ଯୋଜନା ଗୁଡିକୁ ଲାଗି କରିବା ଓ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଗୁଡିକ ପାଇଁ ବିଭିନ୍ନ ସମୟରେ ପ୍ରମୂଖ ଭୂମିକା ଗ୍ରହଣ କରିଆସୁଛନ୍ତି। ସୁନୀତାଙ୍କ କାର୍ଯ୍ୟ ଦକ୍ଷତା ଯୋଗୁଁ ବିଭାଗର ଅଭିବୃଦ୍ଧି ଘଟିଛି। ଏଣୁ ଦେଶର ରାଜଧାନୀ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଡାକ ସପ୍ତାହର ସମାପନ ସମାରୋହରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରଦାନ ମେଘଦୂତ ପୁରସ୍କାର ସୁନୀତାଙ୍କୁ ମଙ୍ଗଳବାର ଦିନ ପ୍ରଦାନ କରିଛନ୍ତି। ଏହି ସମୟରେ ଡାକ ବିଭାଗର ସଚିବ ଅନନ୍ତ ନାରାୟଣ ନନ୍ଦ, ପ୍ରଦୀପ କୁମାର ବିଶୋଇ, ଅରୁନ୍ଧତୀ ଘୋଷ ଙ୍କ ସମେତ ଡାକ ବିଭାଗର ବହୁ ଉଚ୍ଚସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସୁନୀତାଙ୍କ ଏହି ସଫଳତା ପାଇଁ ସମ୍ବଲପୁର ଡାକ ଡିଭିଜନ ସୁପରିନ୍ଟେଣ୍ଡାନ୍ଟ ବାନାମ୍ବର ସେଠୀଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Comments are closed.