ଡିସେମ୍ବରରେ ଯାନବାହନ ବିକ୍ରି ୧୬% ହ୍ରାସ; ତିନିଚକିଆ ଓ ବାଣିଜ୍ୟିକ ଗାଡି ବିକ୍ରି ବଢିଛି

ନୂଆଦିଲ୍ଲୀ: ୨୦୨୦ ଡିସେମ୍ବର ତୁଳନାରେ ୨୦୨୧ ଡିସେମ୍ବରରେ ଦେଶରେ ଯାନବାହନ ବିକ୍ରି ୧୬% ହ୍ରାସ ପାଇଛି । ଏ ସମ୍ପର୍କରେ ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ) ପକ୍ଷରୁ କୁହାଯାଇଛି ଯେ ୨୦୨୧ ଡିସେମ୍ବର ମାସରେ ତିନିଚକିଆ ଏବଂ ବାଣିଜ୍ୟିକ ଯାନ ବିକ୍ରିରେ ପୂର୍ବବର୍ଷ ଡିସେମ୍ବର ତୁଳନାରେ ଯଥାକ୍ରମେ ୫୯% ଓ ୧୪% ବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ଦୁଇଚକିଆ, ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଗାଡି ଏବଂ ଟ୍ରାକ୍ଟର ବିକ୍ରି ଯଥାକ୍ରମେ ୨୦%, ୧୧% ଓ ୬% ହ୍ରାସପାଇଛି । ସେମିକଣ୍ଡକ୍ଟର ଅଭାବ ଜନିତ ପରିସ୍ଥିତି କାରଣରୁ ଗ୍ରାହକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଥିବାରୁ ଏହି ବିଭାଗରେ ଗାଡି ବିକ୍ରି ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦେଶରେ କୋଭିଡର ତୃତୀୟ ଲହର ବୃଦ୍ଧି ସହିତ ଗ୍ରାମାଞ୍ଚଳ ଅର୍ଥନୀତିରେ ଆଶାନୁରୂପ ସୁଧାର ଆସିନଥିବାରୁ ଦୁଇଚକିଆ ଗାଡି ବିକ୍ରି ସ୍ଥିତି ମଧ୍ୟ ସୁଧୁରିନାହିଁ । କହିବାକୁ ଗଲେ ଦେଶ ପୁନର୍ବାର ଡେଲଟା/ଓମିକ୍ରନ ପ୍ରକରଣ ସଂକ୍ରମଣ ଜନିତ ପ୍ରତିକୂଳ ପ୍ରଭାବର ସମ୍ମୁଖୀନ ହେବା ଆରମ୍ଭ କରିଛି । ଦେଶରେ କୋଭିଡ ଜନିତ କଟକଣା କଡାକଡି କରାଗଲେ ଏହି ପରିସ୍ଥିତି ଅଧିକ ଖରାପ ହୋଇପଡିବ ବୋଲି ଏଫଏଡିଏ ପକ୍ଷରୁ କୁହାଯାଇଛି ।

Comments are closed.