ରାଜଧାନୀରେ ଅଟୋ ଉପରେ କଟକଣା: କଳ୍ପନା, ରାଜମହଲ ଓ ବାଣୀବିହାରରେ ଷ୍ଟାଣ୍ଡ

ଭୁବନେଶ୍ବର: ରାଜଧାନୀର ଅସଂଗଠିତ ତଥା ଅମାନିଆ ଅଟୋ ଚାଳକଙ୍କୁ ସଂଗଠିତ ଓ ଶୃଙ୍ଖଳିତ କରିବା ଲାଗି ଗତ କିଛି ଦିନ ଧରି କସରତ ଆରମ୍ଭ ପରେ କମିସନରେଟ୍‌ ପୁଲିସ କଟକଣା ଆରମ୍ଭ କରିଛି। ରବିବାର ଅଟୋ ମହାସଂଘଗୁଡ଼ିକ ସହିତ ଶେଷଥର ଲାଗି ଆଲୋଚନା ପରେ ବିଧିବଦ୍ଧ ଭାବେ ନିର୍ଦେଶନାମା ଜାରି କରାଯାଇଛି। ରାଜଧାନୀର ୩ଟି ପ୍ରମୁଖ ଛକ କଳ୍ପନା, ରାଜମହଲ ଓ ବାଣୀବିହାର ଛକରେ ଅଟୋଷ୍ଟାଣ୍ଡ ପାଇଁ ସ୍ଥାନ ନିରୂପଣ କରାଯାଇଛି। କମିସନରେଟ ପୁଲିସର ସହରାଞ୍ଚଳ ଆଇନର ଧାରା-୨୮ ଏବଂ ଟ୍ରାଫିକ୍‌ ଓ ପବ୍ଲିକ ଅର୍ଡର ନିୟମ-୩୭ ଅନୁଯାୟୀ ଏହି ନିର୍ଦେଶନାମା ଜାରି କରାଯାଇଛି। କଳ୍ପନା ଛକରେ ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅଟୋ ଏଣେତେଣେ ଅଟକିବ ନାହିଁ। କଳ୍ପନା ଛକ ନିକଟରେ ଦୁଇଟି ସ୍ଥାନରେ ଅଟୋ ଷ୍ଟାଣ୍ଡ ଚିହ୍ନଟ କରାଯାଇଛି। ଗୋଟିଏ ଭୁବନେଶ୍ବର ମାର୍ଗ, ଅନ୍ୟଟି ବିଏମ୍‌ସି ଅଫିସ ନିକଟ ମାଉସୀମା ରାସ୍ତା। କଳ୍ପନା ଛକର ଏହି ଦୁଇ ଷ୍ଟାଣ୍ଡରେ ଅଟୋ ପାର୍କିଂ କରିବ। ଏହି ଦୁଇ ସ୍ଥାନ ବ୍ୟତୀତ ଅଟୋ ରାସ୍ତାରେ ଅଟକିବ ନାହିଁ। କଳ୍ପନା ଫାୟାର ଷ୍ଟେସନ୍‌ ନିକଟରୁ ସଂଗ୍ରହାଳୟ ଗେଟ୍‌ ପର୍ଯ୍ୟନ୍ତ ୫୦ ମିଟର ରାସ୍ତାକୁ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ସେଠାରେ ବସ୍‌, କାର୍, ଅନ୍ୟ ଚାରିଚକିଆ ଓ ଦୁଇ ଚକିଆ ଯାନ ଅଟକିବା ଉପରେ କଟକଣା କରାଯାଇଛି। ଯାତ୍ରୀଙ୍କୁ ସେଠାରେ ଓହ୍ଲାଇବା ଓ ଚଢ଼ାଇବା ଉପରେ କଟକଣା ରହିଛି। ସଂଗ୍ରହାଳୟ ମୁଖ୍ୟ ଫାଟକ ସାମ୍‌ନାରୁ ୫୦ ମିଟର ଆଗରେ ପୁରୀ ବସ୍‌ ରହଣି ପାଇଁ ସ୍ଥାନ ଚିହ୍ନଟ ହୋଇଛି। ସେହିପରି ରାଜମହଲ ଛକର ଏଜିରୁ ବାଣୀବିହାର ଆଡ଼କୁ ଯିବା ବାମପଟକୁ ଅଟୋଷ୍ଟାଣ୍ଡ ଭାବେ ଚିହ୍ନଟ କରାଯାଇଛି। ରାଜମହଲର ଛକର ୩ଟି ସ୍ଥାନରେ ଅଟୋ ବେ’ ଚିହ୍ନଟ କରାଯାଇଛି। ଶିଶୁଭବନ ଛକରୁ ରାଜମହଲ ଦେଇ ଏଜି ଛକ ଆଡ଼କୁ ଯିବା ବାମପଟ, କଳ୍ପନା ଛକରୁ ରାଜମହଲ ଦେଇ ଶିଶୁଭବନ ଆଡ଼କୁ ଯିବା ବାମପଟ ଏବଂ ବାଣୀବିହାରରୁ ରାଜମହଲ ଦେଇ କଳ୍ପନା ଯିବା ରାସ୍ତାର ବାମ ପଟକୁ ଅଟୋ ବେ’ ଭାବେ ଚହ୍ନଟ କରାଯାଇଛି। ସମସ୍ତ ଅଟୋ ନିର୍ଧାରିତ ଷ୍ଟାଣ୍ଡରେ ରହିବ। ସେଠାରୁ ନିର୍ଦ୍ଧାରିତ ଅଟୋ ବେ’କୁ ଧାର୍ଯ୍ୟ ସମୟରେ ଯିବ। ଅଟୋ ବେ’ରେ କେବଳ ୫ଟି ଅଟୋକୁ ଅନୁମତି ଦିଆଯାଇଛି। ଅଧିକସଂଖ୍ୟକ ଅଟୋ କେବଳ ଷ୍ଟାଣ୍ଡରେ ଅଟକି ରହିବ। ଅଟୋଷ୍ଟାଣ୍ଡକୁ ପ୍ରଥମେ ଅାସିଥିବା ଅଟୋ ପ୍ରଥମେ ବାହାରିବ। ଅଟୋ ଷ୍ଟାଣ୍ଡ ବାହାରେ ପାର୍କିଂ ହୋଇଥିବା ଅଟୋ ଉପରେ ଜୋରିମାନା ଆଦାୟ କରାଯିବ। ରାଜମହଲ ଛକର ନିର୍ଦ୍ଧାରିତ ୪ଟି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ପାର୍କିଂ ହୋଇଥିବା ଅଟୋ ଉପରେ ଜୋରିମାନା ଆଦାୟ କରାଯିବ।
ବାଣୀବିହାର ବସ୍‌ ବେ’ ନିକଟ ସତସଙ୍ଗ ବିହାର ପାଖରେ ଦ୍ବିତୀୟ ଅଟୋଷ୍ଟାଣ୍ଡ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ସମସ୍ତ ଘରୋଇ ବସ୍‌ ବେ’ରେ ରହିବ। ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ସତସଙ୍ଗବିହାର ପର୍ଯ୍ୟନ୍ତ ରାସ୍ତାରେ ଦୁଇଟି ଅଟୋଷ୍ଟାଣ୍ଡ ରହିବ। ଏହା ମଧ୍ୟରେ ନୋ ପାର୍କିଂ ଜୋନ୍ ରହିବ। ବାଣୀବିହାର ଛକ ଡିସିପିଙ୍କ କାର୍ଯ୍ୟାଳୟରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତା ନୋ ପାର୍କିଂ ଜୋନ୍। ବିଶ୍ବବିଦ୍ୟାଳୟ ଗେଟ୍‌ ନିକଟରେ ପ୍ରଥମ ଅଟୋ ଷ୍ଟାଣ୍ଡ, ବାଣୀବିହାର ଛକରୁ ୟୁଟର୍ଣ୍ଣ ନେବା ପରେ ଦ୍ବିତୀୟ ଏବଂ ରାମମନ୍ଦିର ଆଡ଼କୁ ଯିବା ବାମପଟ ତୃତୀୟ ଅଟୋ ଷ୍ଟାଣ୍ଡ। ବାଣୀବିହାର ଛକରେ ଥିବା ପେଟ୍ରୋଲପମ୍ପ ସାମ୍‌ନାରେ ଗୋଟିଏ ଅଟୋ ବେ’ ରହିଛି। ଏହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଅଟୋ ଯାତ୍ରୀ ଉଠାଇବା ଏବଂ ଓହ୍ଲାଇବା ଉପରେ କଟକଣା ରହିଛି। ନିର୍ଦେଶନାମା ଉଲ୍ଲଘଂନ କଲେ ଚାଳକଙ୍କଠାରୁ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛି।

Comments are closed.