ଅଟୋକୁ ମିଳିବ ସ୍ଥାନ, ଜନପଥରେ ଚିହ୍ନଟ ହେବ ଜାଗା

ଭୁବନେଶ୍ବର: ଅଟୋ ନିମନ୍ତେ କେଉଁଠି ଷ୍ଟାଣ୍ଡ ନାହିଁ ତ ଆଉ କେଉଁଠି ଯାତ୍ରୀ ଉଠାଇବା ପାଇଁ ନିର୍ଦିଷ୍ଟ ସ୍ଥାନ ଚିହ୍ନଟ ହୋଇନି। ମୋ ବସ୍‌ ଏବଂ ମୋ ସାଇକଲକୁ ବିଏମ୍‌ସି ଷ୍ଟାଣ୍ଡ ଯୋଗାଇ ଥିବାବେଳେ ଅଟୋଚାଳକଙ୍କ ଦୀର୍ଘଦିନର ଦାବି ପୂରଣ ହେଉନି। ଫଳରେ ଅଟୋ ଚାଳକମାନେ ଟ୍ରାଫିକ୍‌ ପୁଲିସ ଦ୍ବାରା ଦଣ୍ଡିତ ହେଉଥିବାବେଳେ ଅଧିକାଂଶ ସମୟରେ ଜନତାଙ୍କ ଅକ୍ରୋଶର ଶିକାର ହେଉଛନ୍ତି। ମଙ୍ଗଳବାର ପାର୍କିଂ ସ୍ଥାନ ଚିହ୍ନଟ ସହିତ ଅନ୍ୟାନ୍ୟ ଦାବି ନେଇ ଅଟୋଚାଳକ ମହାସଂଘ ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମ୍‌ ଚନ୍ଦ୍ର ଚୌଧାରୀଙ୍କ ସହିତ ବିଡିଏ ସମ୍ମିଳନୀ କକ୍ଷରେ ଆଲୋଚନା କରିଛନ୍ତି।

ଅଟୋ ପାର୍କିଂ ପାଇଁ ନିର୍ଦିଷ୍ଟ ଜାଗା ଚିହ୍ନଟ କରାଯିବା ନେଇ ପଦକ୍ଷେପ ନିଆଯିବ ବୋଲି ବିଏମ୍‌ସି କମିସନର ମହାସଂଘକୁ ପ୍ରତିଶ୍ରୁତି ଦେଇଛନ୍ତି। ମହାସଂଘ ପକ୍ଷରୁ କୁହାଯାଇଥିଲା ଯେ, ରାଜଧାନୀରେ ବିଭିନ୍ନ ସ୍ଥାନରେ ରାସ୍ତା ସମ୍ପ୍ରସାରଣ ସହ ବିକାଶମୂଳକ କାର୍ଯ୍ୟ ଚାଲିଛି। ଫଳରେ ପୂର୍ବରୁ ଚିହ୍ନଟ ଅଟୋଷ୍ଟାଣ୍ଡଗୁଡ଼ିକରେ ଏବେ ଅଟୋ ରଖିବା ସମ୍ଭବପର ହେଉନାହିଁ। ଅନ୍ୟପକ୍ଷେ ଷ୍ଟାଣ୍ଡ ସୁବିଧା ନଥିବାରୁ ଚାଳକ ବିଭିନ୍ନ ସ୍ଥାନରେ ଅଟୋ ରଖିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ଟ୍ରାଫିକ୍‌ ପୁଲିସ ପକ୍ଷରୁ ବେଅାଇନ ପାର୍କିଂ ଅଭିଯୋଗରେ ଜୋରିମାନା ଆଦାୟ କରାଯାଉଛି। ପାର୍କିଂ ପାଇଁ ଶୀଘ୍ର ସ୍ଥାନ ଚିହ୍ନଟ ହେଲେ ଉକ୍ତ ସମସ୍ୟା ଦୂର ହେବ ବୋଲି ସଂଘ କହିଛି।

ରାଜଧାନୀରେ ପ୍ରାୟ ୩୦ ହଜାର ଅଟୋ ଚଳାଚଳ କରୁଛି। ଅାଗାମୀ ଦିନରେ ଅଟୋ ରହଣି ପାାଇଁ ବ୍ୟବସ୍ଥା କରାଯାଉ ବୋଲି ସଂଘର କର୍ମକର୍ତ୍ତା ବିଏମ୍‌ସି ନିକଟରେ ଦାବି ରଖିଛନ୍ତି। ବୈଠକରେ ଅଲ୍‌ ଓଡ଼ିଶା ଅଟୋ ମହାସଂଘର ସଭାପତି ତଥା ରାଜ୍ୟସଭା ସାଂସଦ ସୁବାସ ସିଂ ଓ ଭୁବନେଶ୍ୱର ଅଟୋ ମହାସଙ୍ଘ ସଭାପତି ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହିତ ମହାସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Comments are closed.