ଅଟୋ-ବାଇକ୍‍ ମଧ୍ୟରେ ଧକ୍କା: ଜଣେ ମୃତ, ୨ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ବରିଗୁଡ଼ା ନିକଟରେ ଏକ ଅଟୋ ଓ ବାଇକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‍ ଚାଳକଙ୍କ ମୃତ୍ୟୁ ହେବା ସହିତ ଅନ୍ୟ ୨ ଜଣ ଗୁରୁୂତର ହୋଇଛନ୍ତି। ଗୁରୁତରମାନଙ୍କୁ ପ୍ରଥମେ ଫୁଲବାଣୀ ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଥିବା ପ୍ରକାଶ। ମୃତକଙ୍କ ନାମ ଚାରୁଦତ ବେହେରା (୫୪)।

ଖବର ପ୍ରକାରେ, ୨ ଜଣ ବାଇକ୍‍ ଚାଳକ ପାବୁରିଆଠାରୁ ସାରଙ୍ଗଡ଼ ଯାଉଥିବା ବେଳେ ବରିଗୁଡ଼ାଠାରେ ଏକ ଅଟୋ ସହିତ ଧକ୍କା ହୋଇଥିଲା। ଫଳରେ ବାଇକ୍‍ ଚାଳକଙ୍କ ସହିତ ଅନ୍ୟଜଣେ ଓ ଅଟୋରେ ଜଣେ ଗୁରୁତର ହୋଇପଡ଼ିଥିଲେ। ଖବର ପାଇ କିଛି ସମାଜସେବୀ ଓ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ସେଠାରେ ଜଣକୁ ମୃତ ଘୋଷଣା କରାଯାଇଥିଲା। ଏନେଇ ସାରଙ୍ଗଡ଼ ଥାନାରେ କେସ ନଂ ୯ା୨୧ରେ ଏକ ମାମଲା ରୁଜୁକରି ବାଇକ୍‍ ଓ ଅଟୋକୁ ଜବତ କରାଯାଇ ଅଧିକ ତଦନ୍ତ ଚାଲିଥିବା ବେଳେ ଆହତମାନଙ୍କର ନାମ ଜଣାପଡ଼ିନାହିଁ ବୋଲି ଥାନା ଅଧିକାରୀ ଅନିତା କିଡୋ ପ୍ରକାଶ କରିଛନ୍ତି।

Comments are closed.