ଭାରାସାମ୍ୟ ହରାଇ ଗଛକୁ ପିଟିଲା ଅଟୋ : ୧ ମୃତ,୫ ଗୁରୁତର 

ଠାକୁରମୁଣ୍ଡା :  ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାଳପଦା- ସିମଡ଼ିହା ରାସ୍ତାର ଲକ୍ଷ୍ମୀପୋଷି ଗ୍ରାମ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଭାରାସାମ୍ୟ ହରାଇ ରାସ୍ତା କଡରେ ଥିବା ଶାଳ ଗଛରେ ପିଟି ହୋଇଯିବାରୁ ଅଟୋରେ ଚାପି ହୋଇ ରହିଯାଇ ଥିବା ୨ ଜଣଙ୍କ ମଧ୍ୟରୁ ଅଟୋ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ଏଥିରେ ୫ ଜଣ ଯାତ୍ରୀ ଗୁରୁତର ହୋଇଥିଲା ବେଳେ୪ ଆହତ ହୋଇଛନ୍ତି । ଗୁରୁତର ଓ ଆହତଙ୍କୁ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ମୃତ ଅଟୋ ଡ୍ରାଇଭର ଜଣକ ପଡ଼ିଆବେଡା ଗ୍ରାମପଞ୍ଚାୟତ ଅଧିନ ବୋରିଂ ଗ୍ରାମର କୀର୍ତ୍ତନ ମହାନ୍ତ ବୋଲି ଜଣାପଡିଛି।

ପ୍ରକାଶ ଯେ ଅଟୋ ଯୋଗେ ସିମଡିହା ଗ୍ରାମର ଗୋଟିଏ ପରିବାରର ଲୋକମାନେ କପ୍ତିପୋଦା ବ୍ଲକ ଅନ୍ତର୍ଗତ ଶରତ ଅଞ୍ଚଳକୁ ବନ୍ଧୁ ଘରକୁ ଯାଇ ଫେରୁଥିବା ବେଳେ ଅଟୋଟି ଭାରସମ୍ୟ ହରାଇ ରାସ୍ତା କଡରେ ଥିବା ଶାଳ ଗଛରେ ପିଟି ହୋଇ ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅଟୋରେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା।ଦୁର୍ଘଟଣାରେ ଶୁକ୍ରା ବେହେରା, ରଂଜିତା ବେହେରା (୧୦), ରାଜୁ ବେହେରା, ଜଗନ୍ନାଥ ବେହେରା, ହୀରା ବେହେରା,ବୀଣାପାଣି ବେହେରା,ଶୈଳ ବେହେରାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଲକ୍ଷ୍ମୀମଣି ବେହେରା, ମହେଶ୍ୱର ବେହେରା, ଗଣେଶ୍ୱର ବେହେରା,ଶୁଭମ ବେହେରା ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଠାକୁରମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Comments are closed.