ଅଷ୍ଟ୍ରେଲିଆନ୍‌ ଓପନ୍‌ : ଚତୁର୍ଥ ରାଉଣ୍ଡରେ ଜୋକୋଭିକ୍‌, ହାଲେପ୍‌

ମେଲବୋର୍ଣ୍ଣ  : ଏଠାରେ ଖେଳାଯାଉଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‌ସର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ୧ନଂ ସିଡ୍‌ ନୋଭାକ୍‌ ଜୋକୋଭିକ୍‌। ତୃତୀୟ ରାଉଣ୍ଡରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜୋକୋଭିକ୍‌ ଫ୍ରିଟ୍‌ଙ୍କୁ ୭-୬, ୬-୪, ୩-୬, ୪-୬, ୬-୨ ସେଟ୍‌ରେ ପରାସ୍ତ କରିଥିଲେ। ସେହପରି ଅନ୍ୟ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୬ଷ୍ଠ ସିଡ୍‌ ଜେରେଭ୍‌ ୬-୩, ୬-୩, ୬-୧ ସେଟ୍‌ରେ ମାନାରିନୋଙ୍କୁ, ୧୮ତମ ସିଡ୍‌ ଡିମିଟ୍ରୋଭୋ ବୁସ୍ତାଙ୍କୁ, କାରାଟସେଭ୍‌ ୮ନଂ ସିଡ୍‌ ସ୍କ୍ବାଡମ୍ୟାନ୍‌ଙ୍କୁ ୬-୩, ୬-୩, ୬-୩ ସେଟ୍‌ରେ, ୩ୟ ସିଡ୍‌ ଡୋମିନିକ୍‌ ଥିଏମ୍‌ ୪-୬, ୪-୬, ୬-୩, ୬-୪, ୬-୪ ସେଟ୍‌ରେ କିର୍ଗିଓସ୍‌ଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ମହିଳା ସିଙ୍ଗଲ୍‌ସରେ ୨ନଂ ସିଡ୍‌ ସିମୋନା ହାଲେପ୍‌ ୬-୧, ୬-୩ ସେଟ୍‌ରେ କୁଡେରମେଟୋଭାଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟ ୩ୟ ରାଉଣ୍ଡ ମ୍ୟାଚ୍‌ରେ ୭ମ ସିଡ୍‌ ସାବାଲେଙ୍କା ୬-୩, ୬-୧ ସେଟ୍‌ରେ ଏ. ଲିଙ୍କୁ, ୧୯ତମ ସିଡ୍‌ ଭଣ୍ଡରସୋଭା ୬-୨, ୬-୪ ସେଟ୍‌ରେ କ୍ରିଷ୍ଟିଙ୍କୁ, ସିଏସ୍‌ ୬-୪, ୨-୬, ୭-୫ ସେଟ୍‌ରେ ଏରାନିଙ୍କୁ, ୧୦ମ ସିଡ୍‌ ସେରେନା ୱିଲିୟମ୍‌ସ ୭-୬, ୬-୨ ସେଟ୍‌ରେ ପୋଟାପୋଭାଙ୍କୁ, ୧୪ତମ ସିଡ୍‌ ମୁଗୁରୁଜା ୬-୧, ୬-୧ସେଟ୍‌ରେ ଡିଆସ୍‌ଙ୍କୁ, ୩ୟ ସିଡ୍‌ ଓସାକା ୬-୩, ୬-୨ ସେଟ୍‌ରେ ଜାବେଉରଙ୍କୁ ଓ ସ୍ବାଟେକ୍‌ ୬-୪, ୬-୩ ସେଟ୍‌ରେ ଫେରୋଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ମେଲବୋର୍ଣ୍ଣ ଲକ୍‌ଡାଉନ୍‌; ବିନା ଦର୍ଶକରେ ଅଷ୍ଟ୍ରେଲିଆନ୍‌ ଓପନ୍‌

ମେଲବୋର୍ଣ୍ଣ ସହରରେ କରୋନା ସଂକ୍ରମଣ ଦେଖା ଦେଇଥିବାରୁ ସ୍ଥାନୀୟ ପ୍ରଶାସନ ପୁନର୍ବାର ୫ଦିନିଆ ଲକ୍‌ଡାଉନ୍‌ ଶୁକ୍ରବାରରୁ ଘୋଷଣା କରିଛି। ବର୍ତ୍ତମାନ ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ଅଷ୍ଟ୍ରେଲିଆନ୍‌ ଓପନ୍‌ ଆରମ୍ଭରୁ ଅଳ୍ପସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡ଼ିୟମକୁ ମ୍ୟାଚ୍‌ ଦେଖିବାକୁ ଛଡ଼ା ଯାଉଥିଲା। ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଆଗାମୀ ମ୍ୟାଚ୍‌ ସମୟରେ ଷ୍ଟାଡ଼ିୟମରେ କୌଣସି ଦର୍ଶକ ରହିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି।
ଭିକ୍ଟୋରିଆ ରାଜ୍ୟର ମନ୍ତ୍ରୀ ଡାନିଏଲ୍‌ ଆଣ୍ଡ୍ର୍ୟୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ମେଲବୋର୍ଣ୍ଣରେ ବୃଦ୍ଧି ପାଇଛି। ସରକାର ୫ ଦିନିଆ ଲକ୍‌ଡାଉନ୍‌ ଜାରି କରିଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ ନିର୍ଦେଶକ କ୍ରେଗ୍‌ ଟିଲେ କହିଛନ୍ତି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଆସିଥିବା ଖେଳାଳିମାନେ ଜୈବ ନିରାପତ୍ତା ବଳୟରେ ରହୁଥିବାରୁ ମ୍ୟାଚ୍‌ ଆୟୋଜନରେ କୌଣସି ଅସୁବିଧା ନାହିଁ। ତେବେ ପୂର୍ବରୁ ଷ୍ଟାଡ଼ିୟମରେ ଦର୍ଶକ ଉପସ୍ଥିତ ରହୁଥିବା ବେଳେ ଆଗାମୀ ମ୍ୟାଚ୍‌ ଗୁଡିକ ବିନା ଦର୍ଶକରେ ଖେଳାଯିବ।

Comments are closed.