ଭାରତ ବିପକ୍ଷରେ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ପାଇଁ ଅଷ୍ଟ୍ରେଲିଆର ଯୋଜନା

ବ୍ରିସ୍‍ବେନ୍‍ : ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମହାମାରୀ ରୂପ ଧାରଣ କରିଥିବା ବେଳେ ଦିନକୁ ଦିନ ଏହା କରାଳ ରୂପ ଧାରଣ କରିବାରେ ଲାଗିଛି। ତେଣୁ ଚଳିତବର୍ଷର ପ୍ରଥମାର୍ଦ୍ଧରେ ଆୟୋଜନ ହେବାର ଥିବା ପ୍ରାୟ ସମସ୍ତ କ୍ରିକେଟ୍‍ ସିରିଜ୍‍ ଓ ଟୁର୍ଣ୍ଣାମେଣ୍ଟ ବାତିଲ ହୋଇଯାଇଛି କିମ୍ବା ସ୍ଥଗିତ ରଖାଯାଇଛି। କ୍ରିକେଟ୍‍ ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହିଁ। କେବେ ଆନ୍ତର୍ଜାତିକ କ୍ରିକେଟରମାନେ ପଡ଼ିଆକୁ ଓହ୍ଲାଇବେ; ତାହା କେହି ଜାଣନ୍ତିନାହିଁ। ଏପରି ସ୍ଥିତିରେ ଭ୍ରମଣକାରୀ ଭାରତୀୟ ଦଳ ବିପକ୍ଷରେ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଆୟୋଜନ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଯୋଜନା କରୁଛି। କରୋନା ସଂକ୍ରମଣ ଯୋଗୁଁ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଏକାଧିକ ସିରିଜ୍‍ ବାତିଲ ହୋଇଯାଇଛି। ଏହାର ଭରଣା କରିବା ପାଇଁ ଉପରୋକ୍ତ ଟେଷ୍ଟ ସିରିଜ୍‍ର ଯୋଜନା କରିଛି କ୍ରିକେଟ ଅଷ୍ଟ୍ରେଲିଆ ।
ଏହି ସନ୍ଦର୍ଭରେ ମଙ୍ଗଳବାର କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍‍ ରବର୍ଟସ କହିଛନ୍ତି ଯେ ଭାରତ ସହ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଆୟୋଜନ ପାଇଁ ଆମେ ସମସ୍ତ ପ୍ରକାର ଯୋଜନା କରିଛୁ ଏବଂ ଏକାଧିକ ବିକଳ୍ପ ଖୋଲାରଖିଛୁ। ଏପରି ବି ହୋଇପାରେ ଯେ ସିରିଜ୍‍ର ସମସ୍ତ ମ୍ୟାଚ୍‍ ଗୋଟିଏ ସ୍ଥାନରେ ଖେଳା ଯାଇପାରେ। ଏହି ସିରିଜ୍‍ ଆସନ୍ତା ଡିସେମ୍ବର/ଜାନୁୟାରୀରେ ଖେଳା ଯାଇପାରେ। ରବର୍ଟସଙ୍କ କହିବା ଅନୁସାରେ ଭାରତୀୟ କ୍ରିକେଟ ଦଳ ବିପକ୍ଷରେ ସିରିଜ୍‍ ଖେଳିବାକୁ ବିଶ୍ୱର ସମସ୍ତ ଦଳ ଚାହାଁନ୍ତି। କାରଣ ଭାରତ ବିପକ୍ଷରେ କ୍ରିକେଟ ସିରିଜ୍‍ରୁ ସର୍ବାଧିକ ରାଜସ୍ୱ ମିଳିଥାଏ। ତେବେ ରବର୍ଟସ ଏହା ମଧ୍ୟ କହିଛନ୍ତି ଯେ ଭାରତ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍‍ ଅପେକ୍ଷା କ୍ରିକେଟ ଅଷ୍ଟ୍ରେଲିଆ ପାଇଁ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଅଧିକ ଗୁରୁତ୍ୱପୂର୍ଣ୍ଣ। ଚଳିତବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ଖେଳାଯିବ। ତେବେ କରୋନା ସଂକ୍ରମଣ ଯୋଗୁଁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ତା’ର ସୀମାକୁ ସିଲ୍‍ କରିଦେଇଛି। ତେବେ କ୍ରିକେଟ ଆୟୋଜନ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ଅନାଇ ରହିଛି। ଅନ୍ୟଥା ଏହାକୁ ବହୁତ କ୍ଷତି ସହିବାକୁ ପଡ଼ିବ। କେଭିନ୍‍ ରବର୍ଟସ କହିଛନ୍ତି, ଏକ ଘରୋଇ ସିଜିନ୍‍ ବାତିଲ ହୋଇଯିବାର ଅର୍ଥ ହେଉଛି କେତେ ନିୟୁତ ଡଲାର କ୍ଷତି ସହିବା। ତେଣୁ ୨୦୨୦-୨୧ ସିଜିନ୍‍ର ସମସ୍ତ ମ୍ୟାଚ୍‍ ନିର୍ଦ୍ଧାରିତ ସମୟରେ ଆୟୋଜନ କରିବାକୁ ଆମେ ପ୍ରୟାସ କରିବୁ। କ୍ରିକେଟ୍‍ ପରେ ଅଷ୍ଟ୍ରେଲିଆରେ ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ହେଉଛି ଜାତୀୟ ରଗ୍‍ବୀ ଲିଗ୍‍ (ଏନ୍‍ଆର୍‍ଏଲ୍‍)। ଗତମାସରେ ଏହାର ୨ ରାଉଣ୍ଡ ମ୍ୟାଚ୍‍ ଖେଳାଯିବା ପରେ ଏହାକୁ ସ୍ଥଗିତ ରଖାଯାଇଛି। ଆସନ୍ତାମାସରେ ଏହି ଲିଗ୍‍କୁ ପୁଣି ଆରମ୍ଭ କରିବାର ଯୋଜନା ରହିଛି। ଅଷ୍ଟ୍ରେଲିଆନ୍‍ ଫୁଟ୍‍ବଲ ଲିଗ୍‍ ମଧ୍ୟ ସ୍ଥଗିତ ରହିଥିବା ବେଳେ ଜୁନ୍‍ରେ ଏହାକୁ ପୁଣି ଆୟୋଜନ କରିବାକୁ ଯୋଜନା କରାଯାଉଛି। ମାର୍ଚ୍ଚ ୮ରେ ମେଲ୍‍ବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ ହେଉଛି ଅଷ୍ଟ୍ରେଲିଆରେ ଆୟୋଜିତ ଅନ୍ତିମ ବଡ଼ ଟୁର୍ଣ୍ଣାମେଣ୍ଟ। ଏହି ଫାଇନାଲରେ ଭାରତକୁ ୮୫ ରନ୍‍ରେ ହରାଇ ଅଷ୍ଟ୍ରେଲିଆ ଚମ୍ପିଆନ୍‍ ହୋଇଥିଲା। ଅଷ୍ଟ୍ରେଲିଆରେ ଏବେ ସୁଦ୍ଧା ୬୫ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୭ ଜଣ ମୃତ୍ୟୁବରଣ କରିଛନ୍ତି।

Comments are closed.