MEllora 950×100

ହକି ବିଶ୍ବକପ: ସ୍ପେନକୁ ହରାଇ ସେମି ଫାଇନାଲରେ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ୪-୩ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲକୁ ଉନ୍ନୀତ

ଭୁବନେଶ୍ବର:ଆଜି କଳିଙ୍ଗ ଷ୍ଟାଡ଼ିୟମରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ର କ୍ବାଟରଫାଇନାଲ ଆରମ୍ଭ ହୋଇଛି। ପ୍ରଥମ କ୍ବାଟର ଫାଇନାଲରେ ଅଷ୍ଟ୍ରେଲିଆ ଓ ସ୍ପେନ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଚଳିତ ପୁରୁଷ ହକି ବିଶ୍ବକପର ପ୍ରଥମ କ୍ବାଟର ଫାଇନାଲ ମ୍ୟାଚରେ ସ୍ପେନକୁ ହରାଇ ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲ୍‌ରେ ପ୍ରବେଶ କରିଛି।
ହକି ବିଶ୍ବକପ୍‌-୨୦୨୩ର ପ୍ରଥମ କ୍ବାଟରଫାଇନାଲ ମ୍ୟାଚ୍ ଆରମ୍ଭରୁ ଓ ଶେଷ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଓ ସ୍ପେନ୍ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ପ୍ରଥମ କ୍ବାର୍ଟରରେ କେହି କାହାରିକୁ ଗୋଲ୍ ଦେଇପାରି ନଥିଲେ। ଦ୍ବିତୀୟ କ୍ବାର୍ଟରରେ ସ୍ପେନ୍ ଲଗାତାର ୨ଟି ଗୋଲ୍ ଦେଇ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିଥିଲା ଏବଂ ୨-୦ଗୋଲରେ ଆଗୁଆ ରହିଥିଲା। ଜାଭିୟର ଗିସ୍ପର୍ଟ ଓ ମାର୍କ ରିକାସେନ୍ସ ୧୯ ଓ ୨୩ ମିନିଟ୍ରେ ଫିଲ୍ଡ ଗୋଲ୍ ଦେଇଥିଲେ। ଏହାର ଜବାବରେ କଙ୍ଗାରୁ ଦଳ ପକ୍ଷରୁ ୨୯ ମିନିଟରେ ଫ୍ଲାଇନ୍ ଓଗିଲଭି ଗୋଲ୍ ଦେଇଥିଲେ। ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ୩ଟି ଗୋଲ୍ (୩୧, ୩୨ ଓ ୩୬ ମିନିଟ୍‌) ଦେଇଥିଲା। ଅପରପକ୍ଷରେ ସ୍ପେନ୍ ଗୋଟିଏ ଗୋଲ୍ ଦେଇପାରିଥିଲା। ଅଷ୍ଟ୍ରେଲିଆ ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ୪-୩ ଗୋଲରେ ଅଗ୍ରଣୀ ରହିଥିଲା, ଯାହାକି ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଜାରି ରଖିବାରେ ସମ୍ଭବ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ୪-୩ରେ ବିଜୟୀ ହୋଇଥିଲା।
ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅଷ୍ଟ୍ରେଲିଆ ୪-୩ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। କଙ୍ଗାରୁ ଦଳ ଆସନ୍ତା ୨୭ ତାରିଖ‌େ ‌ସେମିଫାଇନାଲ ଖେଳିବ। ଆସନ୍ତାକାଲି (ଜାନୁଆରି ୨୫) ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲର ବିଜେତା ଟିମ୍‌ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

Comments are closed.