ୱାର୍ଣ୍ଣରଙ୍କ ଶତକ ; ବାଂଲାଦେଶକୁ ହରାଇ ଶୀର୍ଷରେ ଅଷ୍ଟ୍ରେଲିଆ

ଟ୍ରେଣ୍ଟବ୍ରିଜ୍ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ୪ର୍ଥ ବ୍ୟାଟ୍‌ସମ୍ୟାନ୍ ଭାବେ ୨ଟି ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଓପ୍‌ନର ଡେଭିଡ୍ ୱାର୍ଣ୍ଣର। ପୁଣି ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଉସ୍‌ମାନ ଖାୱାଜା ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି। ଫଳରେ ଗୁରୁବାର ବିଶ୍ବକପ୍ ମୁକାବିଲାରେ ବାଂଲାଦେଶକୁ ୪୮ ରନ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂକରି ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ୫ ୱିକେଟରେ ୩୮୧ ରନ୍‌ କରିଥିଲା। ମୁସ୍‌ଫିକୁର ରହିମ୍‌ଙ୍କ ଲଢ଼ୁଆ ଶତକ ସତ୍ତ୍ବେ ବାଂଲାଦେଶ ଏହି ବିଶାଳ ସ୍କୋର୍‌ର ପିଛାକରି ୮ ୱିକେଟରେ ୩୩୩ ରନ୍‌ କରି ପାରିଥିଲା। ୬ଷ୍ଠ ମ୍ୟାଚ୍‌ରେ ୫ମ ବିଜୟ ପରେ ଅଷ୍ଟ୍ରେଲିଆ ୧୦ ପଏଣ୍ଟ ସହ ଟେବୁଲର ଶୀର୍ଷକୁ ଫେରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବାର ଖୁବ୍ ନିକଟତର ହୋଇଛି। ୬ଷ୍ଠ ମ୍ୟାଚ୍‌ରେ ୩ୟ ପରାଜୟ ଭୋଗି ୫ମ ସ୍ଥାନରେ ରହିଛି ବାଂଲାଦେଶ।
୩୮୨ ରନ୍ ଲକ୍ଷ୍ୟରେ ବାଂଲାଦେଶ ଇନିଂସ ଆରମ୍ଭ କରିବା ପରେ ଓପ୍‌ନର ସୌମ୍ୟ ସରକାର ୧୦ ରନ୍‌କରି ରନ୍‌ଆଉଟ ହୋଇଥିଲେ। ପରେ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ତମିମ୍ ଇକ୍‌ବାଲ ଓ ସାକିବ୍ ଅଲ୍‌ ହାସନ୍ ସ୍କୋର୍‌କୁ ଆଗେଇ ନେଇଥିଲେ ଏବଂ ୭୯ ରନ୍ ଯୋଡ଼ିଥିଲେ। ଗତ ମ୍ୟାଚ୍‌ରେ ଶତକ ମାରିଥିବା ସାକିବ୍ ୪୧ ବଲ୍‌ରୁ ୪ଟି ଚୌକା ସହ ୪୧ ରନ୍‌କରି ଆଉଟ ହୋଇଥିଲେ। ଗତ ମ୍ୟାଚ୍‌ର ହିରୋ ଲିଟନ୍ ଦାସ ୧୭ ବଲ୍‌ରୁ ୩ଟି ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ୧୭୫ ରନ୍‌ରେ ୪ଟି ୱିକେଟ ହରାଇ ବାଂଲାଦେଶ ସଙ୍କଟରେ ପଡ଼ି ଯାଇଥିଲା। ତେବେ ମୁସ୍‌ଫିକୁର ରହିମ୍ ଓ ମହମ୍ମଦୁଲ୍ଲା ଲଢ଼ୁଆ ବ୍ୟାଟିଂ ଜାରି ରଖିଥିଲେ। ୧୫୮ ରନ୍‌ର ଭାଗିଦାରୀ ପରେ ୫୦ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୬୯ ରନ୍‌କରି ମହମ୍ମଦୁଲ୍ଲା ଆଉଟ ହୋଇଥିଲେ। ସାବିର ରେହ୍‌ମାନ ପରବର୍ତ୍ତୀ ବଲ୍‌ରେ ଆଉଟ ହୋଇଥିଲେ। ମୁସ୍‌ଫିକୁର ରହିମ୍ ଶତକ ମାରି ୯୭ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୧୦୨ ରନ୍‌କରି ଅପରାଜିତ ଥିଲେ। ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍ ଓ ନାଥାନ୍ କୌଲ୍‌ଟର-ନାଇଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଡେଭିଡ୍ ୱାର୍ଣ୍ଣର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଦୁଇ ଓପ୍‌ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ବ୍ୟାଟିଂ ଫର୍ମ ଜାରିରଖି ୨୧ ଓଭର ପର୍ଯ୍ୟନ୍ତ ପୃଥକ୍ ହୋଇନଥିଲେ। ୧୨୧ ରନ୍‌ର ଭାଗିଦାରୀ ପରେ ଅଧିନାୟକ ଫିଞ୍ଚ୍ ୫୧ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୩ ରନ୍‌କରି ଆଉଟ ହୋଇଥିଲେ। ପରେ ୱାର୍ଣ୍ଣର ଓ ଉସ୍‌ମାନ ଖାୱାଜା ୨ୟ ୱିକେଟ ପାଇଁ ୯୨ ରନ୍‌ର ଭାଗିଦାରୀ କରିଥିଲେ। ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିବା ଡେଭିଡ୍ ୱାର୍ଣ୍ଣର ପୁଣି ଏକ ଶତକ ମାରିଥିଲେ। ୪୫ମ ଓଭରରେ ଆଉଟ ହୋଇଥିବା ୱାର୍ଣ୍ଣର ୧୪୭ ବଲ୍‌ରୁ ୫ଟି ଛକା ଓ ୧୪ଟି ଚୌକା ସହ ୧୬୬ ରନ୍‌ କରିଥିଲେ। ଚଳିତ ବିଶ୍ବକପ୍‌ରେ ୱାର୍ଣ୍ଣରଙ୍କ ୧୬୬ ରନ୍ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍। ଗ୍ଲେନ୍ ମ୍ୟାକ୍ସୱେଲ୍ କ୍ରିଜ୍‌କୁ ଆସିବା ମାତ୍ରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ରନ୍‌ଆଉଟ ହେବା ପୂର୍ବରୁ ମ୍ୟାକ୍ସୱେଲ ୧୦ଟି ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୨ ରନ୍ କରିଥିଲେ। ୩୮ରୁ ୪୪ ଓଭର ମଧ୍ୟରେ ୬ ଓଭରରୁ ଅଷ୍ଟ୍ରେଲିଆ ୮୧ ରନ୍ ନେଇଥିଲା। ତେବେ ଏହା ଏକାଧିକ ୱିକେଟ ହରାଇବାରୁ ଶେଷ ୪ ଓଭରରୁ ମାତ୍ର ୩୫ ରନ୍ ହୋଇଥିଲା। ମାର୍କସ ଷ୍ଟୋଇନିସ୍ ୧୭ ଓ ଆଲେକ୍ସ କ୍ୟାରି ୧୧ ରନ୍‌କରି ଅପରାଜିତ ଥିଲେ। ସୌମ୍ୟ ସରକାର ୩ଟି ୱିକେଟ ପାଇଥିଲେ।

Comments are closed.