ସ୍ମିଥ୍‌ଙ୍କ କ୍ରମାଗତ ଶତକ ; ସିରିଜ୍ ଜିତିଲା ଅଷ୍ଟ୍ରେଲିଆ

ସିଡ୍‌ନୀ : କ୍ରମାଗତ ୨ୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଓପ୍‌ନର ଚମତ୍କାର ପ୍ରଦର୍ଶନ କରିଛନ୍ତି। କ୍ରମାଗତ ୨ୟ ମ୍ୟାଚ୍‌ରେ ଷ୍ଟିଭେନ୍‌ ସ୍ମିଥ୍ ୬୨ ବଲ୍‌ରେ ଶତକ ପୂରଣ କରିଛନ୍ତି। କ୍ରମାଗତ ୨ୟ ମ୍ୟାଚ୍‌ରେ ଭାରତୀୟ ବୋଲର ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛନ୍ତି। କ୍ରମାଗତ ୨ୟ ମ୍ୟାଚ୍‌ରେ ଭାରତ ବିପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ତା’ର ସର୍ବାଧିକ ଦିନିକିଆ ସ୍କୋର୍ କରିପାରିଛି। ଫଳରେ କ୍ରମାଗତ ୨ୟ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଛି। ରବିବାର ୨ୟ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫୧ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଏହି ବିଜୟ ସହ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୨-୦ରେ ଆଗୁଆରହି ଏହି ସିରିଜ୍ ହାତେଇ ନେଇଛି। ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ବିସ୍ଫୋରକ ଶତକ ଏବଂ ୪ଟି ଅର୍ଦ୍ଧଶତକ ବଳ​‌େ​‌ର ପ୍ରଥମେ ବ୍ୟାଟିଂକରି ଅଷ୍ଟ୍ରେଲିଆ ୪ ୱିକେଟରେ ୩୮୯ ରନ୍‌ର ପାହାଡ଼ ଛିଡ଼ା କରିଥିଲା। ପରେ ଅଧିନାୟକ ବିରାଟ କୋହଲି ଓ କେ.ଏଲ୍‌. ରାହୁଲଙ୍କ ଲଢ଼ୁଆ ଇନିଂସ ବଳରେ ଭାରତ ୯ ୱିକେଟରେ ୩୩୮ ରନ୍ କରି ପାରିଥିଲା। ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ୨୦୧୬-୧୭ରେ ପାକିସ୍ତାନକୁ ହରାଇବା ପରେ ଘରୋଇ ମାଟିରେ ଏହା ଅଷ୍ଟ୍ରେଲିଆର ପ୍ରଥମ ଦିନିକିଆ ସିରିଜ୍ ବିଜୟ।
ଭାରତ ସମ୍ମୁଖରେ ୩୯୦ ରନ୍‌ର କଷ୍ଟକର ବିଜୟଲକ୍ଷ୍ୟ ଥିବା ବେଳେ ଏହାର ଓପ୍‌ନର ୫୮ ରନ୍‌ର ଭାଗିଦାରୀ କରିଥିଲେ। ତେବେ ୨ ରନ୍‌ ମଧ୍ୟରେ ଉଭୟ ଓପ୍‌ନର ଆଉଟ ହୋଇ ଯାଇଥିଲେ। ଶିଖର ଧାୱନ ୨୩ ବଲ୍‌ରୁ ୩୦ ଏବଂ ମୟଙ୍କ ଅଗ୍ରୱାଲ ୨୬ ବଲ୍‌ରୁ ୨୮ରନ୍ କରିଥିଲେ। ପରେ ବିରାଟ କୋହଲି ଓ ଶ୍ରେୟାସ ଆୟର ୩ୟ ୱିକେଟ ପାଇଁ ୧୫ ଓଭରରେ ୯୭ ରନ୍‌ ଯୋଗ କରିଥିଲେ। ଆୟର ୩୬ ବଲ୍‌ରୁ ୩୮ ରନ୍‌ କରିଥିଲେ। କୋହଲି-ରାହୁଲ ଯୋଡ଼ି ବେଶ୍‌ ଫଳପ୍ରସୂ ଥିଲା। ଦୁହେଁ ଦର୍ଶନୀୟ ଷ୍ଟ୍ରୋକ୍‌ସବୁ ଖେଳି ଦ୍ରୁତ ୭୨ ରନ୍ ଯୋଡ଼ିଥିଲେ। ତେବେ କୋହଲି ଆଉଟ ହୋଇଯିବା ଭାରତ ପାଇଁ ଶକ୍ତ ଧକ୍କା ଥିଲା। କୋହଲି ୮୭ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୮୯ ରନ୍‌ କରିଥିଲେ। ଆବଶ୍ୟକ ରନ୍‌ହାର ବଢ଼ି ଚାଲିଥିବା ବେଳେ ବଡ଼ ସଟ୍‌ ମାରିବା ପ୍ରୟାସରେ ରାହୁଲ ଆଉଟ ହୋଇଥିଲେ। ରାହୁଲ ୬୬ ବଲ୍‌ରୁ ୫ଟି ଛକା ଓ ୪ଟି ଚୌକା ସହ ୭୬ ରନ୍ କରିଥିଲେ। ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜା ବ୍ୟାଟିଂକରିବା ବେଳେ ଆବଶ୍ୟକ ରନ୍‌ଗତି ୧୭ ରନ୍‌​‌େ​‌ର ପହଞ୍ଚି ଯାଇଥିଲା। ଏହି ଚାପରେ ଦୁହେଁ ପ୍ୟାଟ୍‌ କମିନ୍‌ସଙ୍କ କ୍ରମାଗତ ୨ଟି ବଲ୍‌ରେ ଆଉଟ ହୋଇଥିଲେ। ପାଣ୍ଡ୍ୟା ୩୧ ବଲ୍‌ରୁ ୨୮ ଏବଂ ଜାଡ଼େଜା ୧୧ ବଲ୍‌ରୁ ୨୪ ରନ୍‌ କରିଥିଲେ। କମିନ୍‌ସ ୩ଟି ଏବଂ ଜୋସ୍ ହାଜେଲଉଡ୍‌ ଓ ଆଡାମ୍ ଜାମ୍ପା ୨ଟି ଲେଖାଏଁ ୱିକେଟ ନେଇଥିଲେ। କ୍ରମାଗତ ୨ୟ ମ୍ୟାଚ୍‌ରେ ଷ୍ଟିଭେନ୍ ସ୍ମିଥ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ନେବା ପରେ କ୍ରମାଗତ ୨ୟ ମ୍ୟାଚ୍‌ରେ ଏହାର ଓପ୍‌ନର ୨୦ରୁ ଅଧିକ ଓଭର୍ କ୍ରିଜ୍‌ରେ ରହି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ଅଷ୍ଟ୍ରେଲିଆର ଓପ୍‌ନର ୧୪୨ ରନ୍‌ର ଭାଗିଦାରୀ କରିଥିଲେ। ଅଧିନାୟକ ଆରୋନ୍ ଫିଞ୍ଚ୍‌ ୬୯ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୬୦ ରନ୍‌ କରିଥିଲେ। ପରେପରେ ଆତ୍ମଘାତୀ ୨ୟ ରନ୍‌ ନେବା ପ୍ରୟାସରେ ଡେଭିଡ୍‌ ୱାର୍ଣ୍ଣର ରନ୍‌ଆଉଟ ହୋଇଥିଲେ। ବାମହାତି ୱାର୍ଣ୍ଣର ୭୭ ବଲ୍‌ରୁ ୩ଟି ଛକା ଓ ୭ଟି ଚୌକା ସହ ୮୩ ରନ୍ କରିଥିଲେ। ସ୍ମିଥ୍ କ୍ରିଜ୍‌କୁ ଆସିବା ମାତ୍ରେ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଥିବା ବେ​‌େ​‌ଳ ମାର୍ନସ ଲାବୁସେନ୍ କଳାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୧୩୬ ରନ୍ କରିଥିଲେ। ପ୍ରଥମ ଦିନିକିଆରେ ୬୨ ବଲ୍‌ରୁ ସ୍ମିଥ୍ ଶତକ ପୂରଣ କରିଥିବା ବେ‌େ‌ଳ ଏହି ମ୍ୟାଚ୍‌ରେ ମଧ୍ୟ ସମାନ ୬୨ ବଲ୍‌ରୁ ୧୧ଶ ଦିନିକିଆ ଶତକ ପୂରଣ କରିଥିଲେ। ସ୍ମିଥ୍ ୬୪ ବଲ୍‌ରୁ ୨ଟି ଛକା ଓ ୧୪ଟି ଚୌକା ସହ ୧୦୪ ରନ୍ କରିଥିଲେ। ଲାବୁସେନ୍ ୬୧ ବଲ୍‌ରୁ ୫ଟି ଚୌକା ସହ ୭୦ ରନ୍ କରିଥିଲେ। ଶେଷଆଡ଼କୁ ଗ୍ଲେନ୍ ମ୍ୟାକ୍ସୱେଲ୍‌ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୨୯ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୩ ରନ୍‌କରି ଅପରାଜିତ ଥିଲେ। ଶେଷ ୧୨ ଓଭରରୁ ଅଷ୍ଟ୍ରେଲିଆ ୧୩୯ ରନ୍ କରିଥିଲା।

Comments are closed.