ଦିବାରାତ୍ର ଟେଷ୍ଟ: ନ୍ୟୁଜିଲାଣ୍ଡକୁ ୨୯୬ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ପର୍ଥ : ଆଶା ଅନୁସାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଘରୋଇ ଅଷ୍ଟ୍ରେଲିଆ। କ୍ରମାଗତ ୨ୟ ଇନିଂସରେ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ୨୯୬ ରନ୍ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ଦିବାରାତ୍ର ଗୋଲାପି ବଲ୍‌ ଟେଷ୍ଟମ୍ୟାଚ୍‌ରେ ୨ୟ ଇନିଂସରେ କଷ୍ଟସାଧ୍ୟ ୪୬୮ ରନ୍‌ର ପିଛା କରିଥିବା ନ୍ୟୁଜିଲାଣ୍ଡ ରବିବାର ମ୍ୟାଚ୍‌ର ୪ର୍ଥ ଦିନରେ ୧୭୧ ରନ୍‌କରି ଅଲ୍‌ଆଉଟ ହୋଇଯାଇ ପରାଜୟ ଭୋଗିଥିଲା। ପ୍ରଥମ ଇନିଂସରେ ୨୫୦ ରନ୍‌ରେ ଆଗରେ ରହିଥିବା ଅଷ୍ଟ୍ରେଲିଆ ୯ ୱିକେଟରେ ୨୧୭ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ପରେ ନ୍ୟୁଜିଲାଣ୍ଡକୁ ୪୬୮ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଆସନ୍ତା ୨୬ରୁ ମେଲ୍‌ବୋର୍ଣ୍ଣରେ ଉଭୟ ଦଳଙ୍କ ମଧ୍ୟରେ ୨ୟ ଟେଷ୍ଟମ୍ୟାଚ୍ ଖେଳାଯିବ।
ପ୍ରଥମ ଇନିଂସରେ ୨୫୦ ରନ୍ ଆଗରେ ରହିଥିବା ଅଷ୍ଟ୍ରେଲିଆ ୩ୟ ଦିନର ଖେଳ ଶେଷସୁଦ୍ଧା ୬ ୱିକେଟ ହରାଇ ୧୬୭ ରନ୍ କରିଥିଲା। ୪ର୍ଥ ଦିନ​ରେ ଘରୋଇ ଅଷ୍ଟ୍ରେଲିଆ ଆଉ ୫୦ ରନ୍ ଯୋଗକରି ୩ଟି ୱିକେଟ ହରାଇବା ପରେ ଇନିଂସ ଘୋଷଣା କରିଥିଲା। ପ୍ୟାଟ୍‌ କମିନ୍‌ସ ୧୩ ରନ୍‌କରି ପ୍ରଥମେ ବିଦାୟ ନେଇଥିଲେ। ପରେ ମାଥ୍ୟୁ ୱେଡ୍‌ ୪ଟି ଚୌକା ସହ ୧୭ ରନ୍‌କରି ବିଦାୟ ନେଇଥିଲେ। ଶେଷଆଡ଼କୁ ମିଚେଲ ଷ୍ଟାର୍କ ୨୧ ବଲ୍‌ରୁ ୪ଟି ​ଚୌକା ସହ ୨୩ ରନ୍‌ର ଯୋଗଦାନ କରିଥିଲେ। ଟିମ୍ ସାଉଦି ଚମତ୍କାର ବୋଲିଂକରି ୬୯ ରନ୍‌ଦେଇ ୫ଟି ୱିକେଟ ନେଇଥିଲେ। ନିଲ୍‌ ୱାଗ୍‌ନର ୩ଟି ୱିକେଟ ପାଇଥିଲେ। ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୪୬୮ ରନ୍‌ ବିଜୟଲକ୍ଷ୍ୟର ପିଛା ଦୟନୀୟ ଭାବେ କରିଥିଲା। ୫୭ ରନ୍‌ରେ ଏହା ୪ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ଲାଗୁଥିଲା। ଜିତ୍ ରାୱଲ ୧, ଟମ୍ ଲାଥାମ୍ ୧୮, ଅଧିନାୟକ କେନ୍ ୱିଲିୟମ୍‌ସନ ୧୪ ଓ ପୂର୍ବତନ ଅଧିନାୟକ ରସ୍ ଟେଲର ୨୨ ରନ୍‌କରି ଆଉଟ ହୋଇଥିଲେ। ୫ମ ୱିକେଟ ପାଇଁ ହେନ୍‌ରି ନିକୋଲ୍‌ସ ଓ ବି.ଜେ. ୱାଟ୍‌ଲିଙ୍ଗ୍ ସ୍କୋର୍‌କୁ ୯୮ ରନ୍‌ରେ ପହଞ୍ଚାଇଥିଲେ। ବାମହାତି ନିକୋଲ୍‌ସ ୨୧ ରନ୍ କରିଥିଲେ। ୱାଟ୍‌ଲିଙ୍ଗ୍ ଓ କଲିନ୍ ଡି ଗ୍ରାଣ୍ଡହୋମ୍ ୬ଷ୍ଠ ୱିକେଟ ପାଇଁ ୫୬ ରନ୍ ଯୋଗକରିବା ପରେ ସମାନ ସ୍କୋର୍‌ରେ ଦୁହେଁ ଆଉଟ ହୋଇ ଯାଇଥିଲେ। ବି.ଜେ. ୱାଟ୍‌ଲିଙ୍ଗ୍ ୪ଟି ଚୌକା ସହ ୪୦ ରନ୍ କରିଥିଲେ। ଡି ଗ୍ରାଣ୍ଡହୋମ୍ ଗୋଟିଏ ଛକା ଓ ୨ଟି ଚୌକା ସହ ୩୩ ରନ୍ କରିଥିଲେ। ୧୭ ରନ୍‌ରେ ନ୍ୟୁଜିଲାଣ୍ଡ ଶେଷ ୫ଟି ୱିକେଟ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ଫାଷ୍ଟବୋଲର ମିଚେଲ ଷ୍ଟାର୍କ ଓ ଅଫ୍‌ସ୍ପିନର ନାଥାନ୍ ଲାୟନ୍ ୪ଟି ଲେଖାଏଁ ଏବଂ ପ୍ୟାଟ୍‌ କମିନ୍‌ସ ୨ଟି ୱିକେଟ ପାଇଥିଲେ। ମ୍ୟାଚ୍‌ରେ ମୋଟ ୯ଟି ୱିକେଟ ନେଇଥିବା ମିଚେଲ ଷ୍ଟାର୍କ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Comments are closed.