ଅଙ୍ଗ ସାନ ସୁକିଙ୍କ ଦଣ୍ଡାଦେଶ ଆଉ ୪ବର୍ଷ ବୃଦ୍ଧି

ନାପିତୌ : ମ୍ୟାଁମାରର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ତଥା ନୋବେଲ ଶାନ୍ତି ପୁରସ୍କାର ବିଜେତା ଅଙ୍ଗ ସାନ ସୁକିଙ୍କ କାରାଦଣ୍ଡ ଅବଧିକୁ ଆଉ ୪ବର୍ଷ ବୃଦ୍ଧି କରାଯାଇଛି। ସୋମବାର ସୁକିଙ୍କ ବିରୋଧରେ ଆଗତ ଅଭିଯୋଗର ଦ୍ବିତୀୟ ରାୟ ପ୍ରକାଶ ପୂର୍ବକ ସର୍ବୋଚ୍ଚ ଅଦାଲତ ଦଣ୍ଡାଦେଶକୁ ଆଉ ୪ବର୍ଷ ବଢାଇଛନ୍ତି। ମ୍ୟାଁମାରର ସାଂସଦ ଥିବା ସୁକିଙ୍କୁ ଏବେ ଗୃହବନ୍ଦୀ କରି ରଖାଯାଇଛି। ୧୧ମାସ ତଳେ ମ୍ୟାଁମାରରେ ସେନା କ୍ଷମତା ଦଖଲ କରିବା ପୂର୍ବକ ସୁକିଙ୍କୁ ଗୃହବନ୍ଦୀ କରି ରଖିଛି। ଦେଶର ସେନା ତାଙ୍କ ବିରୋଧରେ ଦୁର୍ନୀତି, ୨୦୨୦ ନିର୍ବାଚନ ସମୟରେ କୋଭିଡ ନିୟମ ଉଲ୍ଲଙ୍ଘନ କରିବା, ବେଆଇନ ଭାବେ ୱାକି ଟକି ରଖିବା, ଉତ୍ତେଜନା ସୃଷ୍ଟିକରିବା ସମେତ ପ୍ରାୟ ୧୨ଟି ଅଭିଯୋଗ ଆରୋପ କରିଛି। ପ୍ରତି ଅଭିଯୋଗ ଉପରେ ସର୍ବାଧିକ ୧୫ବର୍ଷ କାରାଦଣ୍ଡ ହେବାର ସମ୍ଭାବନା ରହିଛି। ଏ ସମସ୍ତ ଅଭିଯୋଗକୁ ସୁକି ଖଣ୍ଡନ କରିଛନ୍ତି। ତାଙ୍କର ସମର୍ଥକମାନେ କହିଛନ୍ତି ଯେ ଏହିସବୁ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

Comments are closed.