୧୫ ଅଗଷ୍ଟକୁ ସ୍ୱାଧୀନତା ଦିବସ ଭାବେ ଧାର୍ଯ୍ୟ କରିବାର କାରଣ

0

ଚଳିତ ବର୍ଷ ଆମେ ଦେଶର ୭୨ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି। ତେବେ ଆପଣଙ୍କ ମନରେ କେବେ ଏ ପ୍ରଶ୍ନ ଉଙ୍କି ମାରିଛି କି, ଯେ ୧୫ ଅଗଷ୍ଟ ୧୯୪୭ ରେ ହିଁ ଆମକୁ ଇଂରେଜ ମାନଙ୍କ କବଳରୁ କାହିଁକି ମୁକ୍ତି ମିଳିଲା ବା ରାତି ୧୨ ଟାରେ ହିଁ କାହିଁକି ଆମେ ସ୍ୱାଧୀନ ହେଲେ? ବାସ୍ତବରେ ଏହି ଦୁଇ ପ୍ରଶ୍ନ ପଛରେ ଏକ ବଡ଼ କାରଣ ଲୁଚି ରହିଥିଲା। ଏହାର ଉତ୍ତର ପ୍ରସିଦ୍ଧ ଲେଖକ ଲ୍ୟାରି କୋଲିନ୍‍ସ ଓ ଡ଼ୋମିନିକ୍‍ ଲାପିୟର୍‍ ତାଙ୍କ ଚର୍ଚିତ ପୁସ୍ତକ ‘ଫ୍ରିଡ଼ମ୍‍ ଆଟ୍‍ ମିଡ୍‍ନାଇଟ୍‍’ ପୁସ୍ତକରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି।

ଇତିହାସ ଅନୁସାରେ ବ୍ରିଟେନ୍‍ ସରକାର ୨୬ ଫେବୃଆରୀ ୧୯୪୭ରେ ହିଁ ଭାରତକୁ ସ୍ୱାଧୀନତା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଏଥିପାଇଁ ଜୁନ୍‍ ୧୯୪୮ ପର୍ଯ୍ୟନ୍ତର ସମୟସୀମା ନିର୍ଦ୍ଧାରିତ କରା ଯାଇଥିଲା। କ୍ଷମତାର ହସ୍ତାନ୍ତର ପାଇଁ ଲର୍ଡ଼ ମାଉଣ୍ଟବ୍ୟାଟେନ୍‍ଙ୍କୁ ଭାରତର ଭାଇସରାୟ ବା ବଡ଼ଲାଟ ଭାବେ ନିଯୁକ୍ତ କରା ଯାଇଥିଲା। ଦେଶର ସ୍ୱାଧୀନତା ଓ ବିଭାଜନକୁ ନେଇ ମାଉଣ୍ଟବ୍ୟାଟେନ୍‍ ବହୁତ ବୈଠକ କରିଥିଲେ। ଶେଷରେ ୩ ଜୁନ୍‍ ୧୯୪୭ରେ ହୋଇଥିବା ଏକ ବୈଠକରେ ଭାଇସରାୟ ପ୍ରେସ୍‍ ସମ୍ମୁଖରେ ୧୫ ଅଗଷ୍ଟ ୧୯୪୭ରେ ଦେଶକୁ ସ୍ୱାଧୀନ କରିବାର ଘୋଷଣା କରିଥିଲେ। ଏହି ତାରିଖ ପଛରେ ଭାଇସରାୟଙ୍କ ନିଜ ଇତିହାସ ଜଡ଼ିତ ଥିଲା। ବାସ୍ତବରେ ୧୫ ଅଗଷ୍ଟ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନ ସେନା ତାଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ତେଣୁ ଭାଇସରାୟ ଏହି ଦିନକୁ ଶୁଭ ବୋଲି ମନେ କରୁଥିଲେ। ଏହି ସ୍ମୃତିକୁ ଚିରସ୍ମରଣୀୟ କରିବା ପାଇଁ ମାଉଣ୍ଟବ୍ୟାଟେନ୍‍ ୧୫ ଅଗଷ୍ଟରେ ଦେଶକୁ ସ୍ୱାଧୀନ କରିବା ପାଇଁ ଧାର୍ଯ୍ୟ କରିଥିଲେ।

ଯେତେବେଳେ ୩ ଜୁନ୍‍ର ବୈଠକରେ ଏହି ନିଷ୍ପତ୍ତି ନିଆଗଲା ଯେ ୧୫ ଅଗଷ୍ଟରେ ହିଁ ଦେଶ ସ୍ୱାଧୀନ ହେବ, ସେତେବେଳେ ଭାରତୀୟ ଜ୍ୟୋତିଷମାନେ ଏନେଇ ଏକ ପ୍ରତିବନ୍ଧକ ସୃଷ୍ଟି କରିଥିଲେ। ସେମାନଙ୍କ ମତ ଅନୁସାରେ ଦେଶ ପାଇଁ ୧୫ ଅଗଷ୍ଟ ୧୯୪୭ର ଦିନ ବହୁତ ଅଶୁଭ ଓ ଅମଙ୍ଗଳକାରୀ ଥିଲା। ଜ୍ୟୋତିଷଙ୍କ କହିବା ଅନୁସାରେ ସେହିଦିନ ଭାରତର ସ୍ଥିତି ମକର ରାଶି ଅନ୍ତର୍ଗତ ଥିଲା ଯାହାକି ଶକ୍ତିର ବିକେନ୍ଦ୍ରୀକରଣ କରିବାରେ ସାହାଯ୍ୟ କରିଥାଏ। ହେଲେ ମାଉଣ୍ଟବ୍ୟାଟେନ୍‍ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ସେଥିପାଇଁ ଜ୍ୟୋତିଷମାନେ ଏକ ନୂତନ ପ୍ରସଙ୍ଗ ଉପସ୍ଥାପନ କଲେ ଯେ ଦେଶକୁ ୧୪ ଅଗଷ୍ଟ ରାତି ୧୨ ଟା ସମୟରେ ହିଁ ସ୍ୱାଧୀନ କରାଯାଉ। କାରଣ ହିନ୍ଦୁ ମାନ୍ୟତା ଅନୁସାରେ ଦିନ ସୂର୍ଯ୍ୟୋଦୟ ସହିତ ଆରମ୍ଭ ହୋଇଥାଏ। ଅନ୍ୟ ପକ୍ଷରେ ଇଂରେଜଙ୍କ ପାଇଁ ରାତି ୧୨ ଟାଠାରୁ। ଏପରି ଭାବେ ଲର୍ଡ଼ ମାଉଣ୍ଟବ୍ୟାଟେନଙ୍କ କଥା ମଧ୍ୟ ରହିଥିଲା ଓ ଦେଶ ଅଶୁଭ ସମୟରେ ସ୍ୱାଧୀନ ହେବାରୁ ରକ୍ଷା ମଧ୍ୟ ପାଇଥିଲା।

Comments
Loading...