ଗ୍ରାମ୍ୟ ଉନ୍ନୟନ ଅଫିସ ସମ୍ପତ୍ତି ବିକ୍ରି କରି ଠିକା ସଂସ୍ଥାର ବକେୟା ସୁଝ: କନ୍ଧମାଳ ଜିଲା ଜଜ୍‌

0

ଫୁଲବାଣୀ: କନ୍ଧମାଳ ଜିଲା ଜଜ୍ ଆଜି ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ପତ୍ତି ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ୧୨ ତାରିଖ ଦିନ ସମ୍ପତ୍ତି ନିଲାମ କରିବାକୁ ଦିଆଯାଇଥିବା ନିର୍ଦେଶକୁ ଡେଙ୍ଗୁରା ମାଧ୍ୟମରେ ଅଫିସ୍‌ ସାମ୍ନା ଓ କୋର୍ଟ ଛକରେ ପ୍ରଚାର କରାଯାଇଛି। ଜବତ ସମ୍ପତ୍ତିର ମୂଲ୍ୟ ୩ ଲକ୍ଷ୪୯ହଜାର ୯୯୪ ଟଙ୍କା ୫୦ପଇସା ହେବ ବୋଲି କୋର୍ଟ ଆକଳନ କରିଛନ୍ତି। ଜବତ ସମ୍ପତ୍ତି ନିଲାମରୁ ମିଳିବା ଟଙ୍କାକୁ ଏକ ଠିକା ସଂସ୍ଥାର ପ୍ରାପ୍ୟ ବାବଦରେ ଦିଆଯିବ ବୋଲି କୋର୍ଟ ନିର୍ଦେଶ ଦେଇଛି। ନିଲାମ ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ଅଫିସ୍‌ ଜିପ୍,ନିର୍ବାହୀ ଯନ୍ତ୍ରୀଙ୍କ ଚେୟାର ଓ ଟେବୁଲ, ୫ଟି ଚେୟାର,୩ଟି ଆଲମିରା ଓ ଗୋଟିଏ କମ୍ପୁ୍ୟଟର ରହିଛି। ଅଫିସ୍‌ କାନ୍ଥରେ କୋର୍ଟଙ୍କ ନିର୍ଦେଶନାମାକୁ ଲଗାଇଦିଆଯାଇଛି।
୧୯୯୫ରେ ଚାଉଳଧୁଆ ନାଳ ରାସ୍ତା କାମର ଦେୟ ବାବଦକୁ ନୀଳଚକ୍ର କନଷ୍ଟ୍ରକସନ୍ କମ୍ପାନୀ ଫୁଲବାଣୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଠାରୁ ୮,୮୦,୯୩୫ ଟଙ୍କା ୫୦ ପଇସା ପାଇବାକୁ ଥିଲା। ତେବେ ବିଲ୍ ଟଙ୍କା ନ ପାଇବାରୁ କମ୍ପାନୀର ମ୍ୟାନେଜିଙ୍ଗ ପାର୍ଟନର ବିପ୍ରଚରଣ ପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏଥିପାଇଁ ସୋଲ୍ ଆର୍ବିଟ୍ରେଟର ଭାବେ କଟକର ବିଭୁଦେନ୍ଦ୍ର ମିଶ୍ରଙ୍କୁ ନିଯୁକ୍ତ କରିଥିଲେ। ଆରବିଟ୍ରେସନ୍‌ ମାମଲା ରୁଜୁ କରିବା ପରେ ବିଭାଗକୁ ସୁଧ ମୂଳ ସହିତ ୨୮ ଲକ୍ଷ ୧୭ ହଜାର ୩ ଶହ ୨ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ହୋଇଥିଲା। ଏଥିମଧ୍ୟରେ ସୁଧ ବାବଦକୁ ୧୯ଲକ୍ଷ ୩୬ହଜାର ୩୬୭ଟଙ୍କା ରହିଛି। ୨୦୦୯ ଏପ୍ରିଲ ୨ ତାରିଖ ସୁଦ୍ଧା ପିଟିସନକାରୀଙ୍କୁ ସମସ୍ତ ଦେୟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ଟଙ୍କା ନ ମିଳିବା ଯୋଗୁଁ କନ୍ଧମାଳ ଜିଲା ଦୌରା ଜଜ୍‌ ଙ୍କ କୋର୍ଟରେ ଏକ ଏଗ୍ଜିକ୍ୟୁସନ ମାମଲା ରୁଜୁ ହୋଇଥିଲା। ୨୦୧୫ ଅକ୍ଟୋବର ୬ରେ ଏ ସଂକ୍ରାନ୍ତରେ ଜିଲା ଜଜ୍ ରାୟ ଦେବା ପରେ କୋର୍ଟ ଆଦେଶ ବଳରେ ଅଫିସ ସିଲ୍ କରିବା ସହିତ ବିଭାଗର ସମ୍ପତ୍ତିି ଜବତ କରାଯାଇଥିଲା। ୨୦୧୫ ଅକ୍ଟୋବର ୧୬ରେ ଜିଲା ଜଜ୍‌ ଙ୍କ ଆଦେଶ ବଳରେ ଅଫିସ୍‌କୁ ସିଲ୍ କରାଯିବା ସହିତ ସମ୍ପତ୍ତିି ଜବତ କରାଯାଇଥିଲା। ଏହାସହିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଥିବା ଅଫିସ୍‌ ଆକାଉଣ୍ଟକୁ ମଧ୍ୟ ଅଚଳ କରାଯାଇଥିଲା। ଆଜି ଜବତ ସମ୍ପତ୍ତିର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରପକ୍ଷରେ କାର୍ଯ୍ୟାଳୟ ସମ୍ପତ୍ତି ବିକ୍ରି କରିବା ପରେ ମଧ୍ୟ ଠିକା ସଂସ୍ଥାର ବକେୟା ସମ୍ପୂର୍ଣ୍ଣ ପରିଶୋଧ ହୋଇ ପାରୁ ନାହିଁ। ଫଳରେ ଆଗାମୀ ଦିନରେ ଠିକା ସଂସ୍ଥା ଅବଶିଷ୍ଟ ଟଙ୍କା ପାଇଁ ପୁଣି ଥରେ କୋର୍ଟ ଙ୍କ ଦ୍ୱାରସ୍ତ ହେବାର ସମ୍ଭାବନା ଦେଖା ଦେଇଛି।

Leave A Reply