ନିଲାମ ହେଲା ମାଲ୍ୟାଙ୍କ ବିଳାସପୂର୍ଣ୍ଣ ବିମାନ

0

ନୂଆଦିଲ୍ଲୀ: ଋଣ ନେଇ ବିଦେଶକୁ ପଳାଇ ଯାଇଥିବା ବିଜୟ ମାଲ୍ୟାଙ୍କ ବିଳାସପୂର୍ଣ୍ଣ ବିମାନ ଶେଷରେ ନିଲାମ ହୋଇଛି। ଏହି ବିମାନକୁ ନିଲାମ କରିବାକୁ ପୂର୍ବରୁ ଏକାଧିକ ଥର ଚେଷ୍ଟା କରାଯାଇ ଥିଲା। ତେବେ ବିମାନକୁ କିଣିଥିବା ବିଦେଶୀ କମ୍ପାନୀ ସହ ଭାରତୀୟ ସେବା କର ନିୟମକୁ ନେଇ ଦେଖା ଦେଇଥିବା ବିବାଦ ହେତୁ ଏହି ନିଲାମ ବାରମ୍ବାର ବିଫଳ ହେଉଥିଲା।
ଚଳିତ ଥର ଅନୁଷ୍ଠିତ ନିଲାମରେ ମାଲ୍ୟାଙ୍କ ବିଳାସପୂର୍ଣ୍ଣ ବିମାନଟି ୩୪.୦୮କୋଟି ମୂଲ୍ୟରେ ବିକ୍ରି ହୋଇଛି। ମାଲ୍ୟାଙ୍କ ଏହି ବିମାନ ନିର୍ମାଣ ପରଠାରୁ ଚର୍ଚ୍ଚାରେ ରହିଥିଲା। ବିମାନ ମଧ୍ୟରେ ସାଜସଜ୍ଜାଠାରୁ ଆରମ୍ଭ କରି ବିମାନର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ସ୍ୱତନ୍ତ୍ର ଥିଲା। ଆମେରିକାର ବିମାନ କମ୍ପାନୀ “ଏଭିଏସନ୍‍ ମେନେଜମେଣ୍ଟ ସେଲ୍ସ’ମାଲ୍ୟାଙ୍କ ଏହି ବିମାନକୁ କିଣିଛି। ମୁମ୍ବଇ ଉଚ୍ଚ ନ୍ୟାୟାଳୟର ପ୍ରତ୍ୟକ୍ଷତାରେ ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ଏହି ବିମାନ ବିକ୍ରି ହୋଇଛି। ଏହି ବିମାନକୁ କିଣିବାକୁ ଆମେରିକାର ଏହି କମ୍ପାନୀ ୫.୦୫ମିଲିୟନ ଡଲାର ଡାକ ଦେଇଥିଲା। ଏହି ମୂଲ୍ୟ ଗତ ଇ-ନିଲାମଠାରୁ ବେଶ୍‍ ଅଧିକ ଥିଲା। ନିଲାମର ଆରମ୍ଭ ୧.୯ମିଲିୟନ ଡଲାରରୁ ଆରମ୍ଭ ହୋଇଥିଲା। କିଂ-ଫିସର ଏୟାରଲାଇନ୍ସର ବାକି ଥିବା ସେବା କର ପୈଠ କରିବା ଉଦ୍ଦେଶ୍ୟରେ ଏହି ନିଲାମ ଅନୁଷ୍ଠିତ ହୋଇଥିଲା। ବିଜୟ ମାଲ୍ୟାଙ୍କ ଏହି ବିମାନର ମୂଲ୍ୟ ୧୦୦ମିଲିୟନ ଡଲାର ହୋଇଥିବାବେଳେ ବିମାନଟିକୁ ବହୁତ କମ୍‍ ମୂଲ୍ୟରେ ଆମେରିକାର ଏହି କମ୍ପାନୀ କ୍ରୟ କରିଛି। ବିଗତ ୫ବର୍ଷ ମଧ୍ୟରେ ଏହି ଜେଟ ବିମାନ ଆକାଶରେ ଉଡ଼ି ନଥିଲା। ମୁମ୍ବଇ ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ଏହି ବିମାନଟି ଛିଡ଼ା ହୋଇଥିଲା। ତେବେ ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ସ୍ଥାନ ଅଭାବରୁ ଏହାକୁ ତୁରନ୍ତ ସେଠାରୁ ହଟାଇବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ ମୁମ୍ବଇ ହାଇକୋର୍ଟର ଦ୍ୱରସ୍ତ ହୋଇଥିଲେ। ସେପ୍ଟେମ୍ବର ୨୦୧୩ରେ ସେବା କର ବିଭାଗ ପକ୍ଷରୁ ଏହି ବିମାନକୁ ଜବତ୍‍ କରାଯାଇ ଥିଲା। ବିମାନକୁ ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ଜବତ୍‍ କରାଯାଇ ସେଠାରେ ରଖାଯାଇ ଥିଲା। ବିମାନ ବନ୍ଦର କର୍ତ୍ତୁପକ୍ଷ ଜବତ୍‍ ବିମାନ ପାଇଁ ବିମାନ ବନ୍ଦରକୁ ପ୍ରତି ଘଣ୍ଟାକୁ ୧୩ରୁ ୧୫ହଜାର କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଉଚ୍ଚ ନ୍ୟାୟାଳୟରେ ଯୁକ୍ତି ଦର୍ଶାଇ ଥିଲେ। ଫଳରେ ମୁମ୍ବଇ ଉଚ୍ଚ ନ୍ୟାୟାଳୟ ମାମଲାକୁ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରି ଦେଇଥିଲେ। କାରଣ କିଂ-ଫିସର ଏୟାରଲାଇନ୍ସ ବେଙ୍ଗାଲୁରୁର କମ୍ପାନୀ ଥିଲା।
ଏହି ବିଳାସପୂର୍ଣ୍ଣ ବିମାନରେ ଏକକାଳୀନ ୨୫ଜଣ ବ୍ୟକ୍ତି ଯାତ୍ରା କରିବାର ବ୍ୟବସ୍ଥା ଥିଲା। ବିମାନ ମଧ୍ୟରେ ଶୟନ କକ୍ଷ, କନଫାରେନ୍ସ ହଲ ଓ ବିଳାସପୂର୍ଣ୍ଣ ଶୈଚାଳୟ ସମେତ ଏକାଧିକ ସୁବିଧା ଥିଲା।

Leave A Reply