ସୁନା ପାହାଡ଼ ଓ ଖଣିଜ ପଦାର୍ଥ ଲୁଟିବା ଉଦ୍ୟମ

କୋରାପୁଟ: କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସୀମାନ୍ତ କୋଟିଆରେ ଭରି ରହିଥିବା ପ୍ରଚୁର ଖଣିଜ ସମ୍ପଦ ଓ ସୁନା ପାହାଡ଼କୁ ଲୁଟି ନେବା ପାଇଁ ଆନ୍ଧ୍ର ସରକାର କିଛି ନ୍ୟସ୍ତସ୍ୱାର୍ଥ କମ୍ପାନୀ ସହ ଡିଲ୍ କରିଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଏଥିଯୋଗୁଁ ଏହି କମ୍ପାନୀ ଗୁଡ଼ିକର ଅର୍ଥରେ ଆନ୍ଧ୍ର ସୀମାନ୍ତବାସୀଙ୍କୁ ଫୁସୁଲାଇ ଉସୁକାଇ ଆନ୍ଧ୍ର ମୁହାଁ କରାଉଥିବା ଓ ସେମାନଙ୍କୁ ଢାଲ କରି ଏସବୁ ଲୁଟ୍ କରିବାକୁ ବିଧିବଦ୍ଧ ଭାବେ ଚକ୍ରାନ୍ତ କରୁଥିବା ଏବେ ଚର୍ଚ୍ଚା ଜୋର ଧରିଛି। ଆନ୍ଧ୍ରର ଏଭଳି ଚକ୍ରାନ୍ତ ଶୁଣା କଥା ହୋଇଥିଲେ ହେଁ ଏଥିପ୍ରତି ଓଡ଼ିଶା ସରକାର ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ ବୋଲି ପୂର୍ବତନ ଜିଲାପାଳ ତଥା ଆମ କୋଟିଆ ମଞ୍ଚର ଆବାହକ ଗଦାଧର ପରିଡ଼ା ଆଶଙ୍କା ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ଆନ୍ଧ୍ରରେ ବହୁ ଗରିବ ଲୋକ ବସବାସ କରୁଛନ୍ତି। ସେମାନଙ୍କ କଥା ନ ବୁଝି ଆନ୍ଧ୍ର ସରକାର କାହିଁକି ଓଡ଼ିଶାରେ ଅବସ୍ଥିତ କୋଟିଆରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ଚିନ୍ତାବ୍ୟକ୍ତ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

କୋଟିଆରେ ପ୍ରଚୁର ଖଣିଜ ପଦାର୍ଥ ଭରି ହୋଇ ରହିଛି। ଏହାସହ ଫାଟୁ ସିନେରୀକୁ ଲାଗି ରହିଥିବା ସୁନା ପାହାଡ଼ରୁ ହୀରା, ସୁନା ରୂପା ବାହାରୁଥିବା ଓ କିଛି ହୀରାକୁ ସ୍ଥାନୀୟ କିଛି ଜନତା ପାଇବା ପରେ ଆନ୍ଧ୍ରର କିଛି ଦଲାଲ ଏସବୁ ଚକ୍ରାନ୍ତ କରି ସେମାନଙ୍କ ନିକଟରୁ ଅଳ୍ପ ମୂଲ୍ୟରେ କିଣି ନେବା ପରେ ଏହି ପାହାଡ଼କୁୁ ଲୁଟି ନେବା ପାଇଁ ଆନ୍ଧ୍ର ବାରମ୍ବାର କିଛି କମ୍ପାନୀ ସହାୟତାରେ ଚକ୍ରାନ୍ତ କରି ଆସୁଥିବା ଅଭିଯୋଗ ହେଉଛି। ପାହାଡ଼, ଖଣିଜ ସମ୍ପଦ ହାତେଇବା ପାଇଁ ଆନ୍ଧ୍ର କୁଆଡ଼େ ସୀମାନ୍ତବାସୀଙ୍କୁ ଢାଲ କରୁଛି। ମାତ୍ର କେଇଜଣଙ୍କୁ ହାତବାରିସି କରି ସେମାନଙ୍କ ମାଧ୍ୟମରେ ସୀମାନ୍ତ ଅଞ୍ଚଳରେ ପରୋକ୍ଷରେ ରାଜ ଚଳାଇଥିବା ଆନ୍ଧ୍ର ସରକାର ନିଜ ଚକ୍ରାନ୍ତରେ ବିଭିନ୍ନ ସମୟରେ ସ୍ଥାନୀୟ ଏଜେଣ୍ଟଙ୍କ ଯୋଗୁଁ ସଫଳ ହୋଇ ଆସୁଛନ୍ତି।

ଗୁରୁତ୍ୱପୂର୍ଣ୍ଣ ବିଷୟ ଓଡ଼ିଶା ସରକାର ପାହାଡ଼ ମଥାନରେ ବିକାଶର ପାହାଡ଼ ସୃଷ୍ଟି କରିଥିଲେ ହେଁ ପ୍ରଶାସନିକସ୍ତରରେ କିଛି ଅବହେଳା ଓ ଭୌଗୋଳିକ ସ୍ଥିତି ହିଁ ତୃଣମୂଳସ୍ତରରେ ବିକାଶ ପହଞ୍ଚାଇବାରେ ଅନ୍ତରାୟ ସୃଷ୍ଟି କରିଛି। ଓଡ଼ିଶା ପକ୍ଷରୁ ପଞ୍ଚାୟତ କାର୍ୟ୍ୟାଳୟ ଅଛି, ସରକାରୀ କାର୍ୟ୍ୟାଳୟ ଖୋଲାଯାଇଛି। ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ସମସ୍ତ ସୁବିଧା ସୁଯୋଗ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର କୋଟି କୋଟିର ଅର୍ଥ ବ୍ୟୟ କରି ଚାଲିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ପକ୍ଷରୁ କୌଣସି ସରକାରୀ କାର୍ୟ୍ୟାଳୟ ଖୋଲାଯାଇନାହିଁ, ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ପଞ୍ଚାୟତ କାର୍ୟ୍ୟାଳୟ ମଧ୍ୟ ନାହିଁ, ତେବେ ସେମାନଙ୍କ ଅଧିକାରୀମାନେ ତୃଣମୂଳସ୍ତରରେ ପହଞ୍ଚି ଆନ୍ଧ୍ର ସରକାରଙ୍କ ଯୋଜନା ପହଞ୍ଚାଇବାରେ ସମର୍ଥ ହୋଇଛନ୍ତି। ଲୋକଙ୍କ ନିକଟରେ ପହଞ୍ଚି ଆନ୍ଧ୍ର ସରକାରୀ ଯୋଜନା ବିଷୟରେ ରୀତିମତ ସଚେତନ ମଧ୍ୟ କରାଉଛନ୍ତି। ସବୁଠାରୁ ବଡ଼ କଥା ହେଲା ଏତେ ବଡ଼ ପାହାଡ଼ରେ ୨୮ଟି ରାଜସ୍ୱ ଗ୍ରାମ ଓ ୧୨ଟି ପଡ଼ା ଗ୍ରାମ ଅବସ୍ଥିତ ଥିବାବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କେବଳ କୋଟିଆ ପଞ୍ଚାୟତ ଗଠନ କରାଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ର ସରକାର ଭୌଗୋଳିକ ଦୃଷ୍ଟିକୋଣରୁ ସମଗ୍ର କୋଟିଆ ପଞ୍ଚାୟତକୁ ଚାରିଗୋଟି ପଞ୍ଚାୟତରେ ବିଭକ୍ତ କରି ନିଜର ଯୋଜନା ପହଞ୍ଚାଇବାରେ ସଫଳ ହୋଇଛନ୍ତି। କୌଣସିଠାରେ ଆନ୍ଧ୍ର ସରକାର ପଞ୍ଚାୟତ କାର୍ୟ୍ୟାଳୟ କରି ନ ଥିଲେ ହେଁ ସରପଞ୍ଚ ନିର୍ବାଚିତ କରି କିମ୍ବା ମନୋନୀତ କରି ଆନ୍ଧ୍ର ସରକାରଙ୍କ ଯୋଜନା ପହଞ୍ଚାଉଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆକୁ ଗୋଟିଏ ପଞ୍ଚାୟତ ଗଠନ କରାଯାଇ ଜଣେ ସରପଞ୍ଚଙ୍କ ହାତରେ ବଡ଼ ଦାୟିତ୍ୱ ନ୍ୟସ୍ତ କରାଇଥିବା ଯୋଗୁଁ ସେ ସମସ୍ତ ଗ୍ରାମ ବୁଲି ବୁଲି ସରକାରୀ ଯୋଜନା ବିଷୟରେ ସଚେତନ ସୃଷ୍ଟି କରିବା କିମ୍ବା ସବୁ ଗ୍ରାମ ବୁଲି ଲୋକଙ୍କ ସୁବିଧା ଅସୁବିଧାରେ ଛିଡ଼ା ହେବା ଅସମ୍ଭବ ମନେ ହେଉଛି। ଏତେ ବଡ଼ ବ୍ୟାସାର୍ଦ୍ଧ ଭିତରେ ଅବସ୍ଥିତ ଏହି ପଞ୍ଚାୟତରେ ଜନସଂଖ୍ୟା କମ୍ ହୋଇଥିଲେ ହେଁ ଭୌଗୋଳିକ ଦୃଷ୍ଟିକୋଣରୁ ଆନ୍ଧ୍ର ଭଳି ଓଡ଼ିଶା ମଧ୍ୟ ପଞ୍ଚାୟତକୁ ଭାଗ ଭାଗ କରିଦେବାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଉଛି। ଲୋକଙ୍କ ସହ ରହିବା ସହ ସେମାନଙ୍କ ବିଶ୍ୱାସଭାଜନ ହେବା ପାଇଁ କୋଟିଆ ପଞ୍ଚାୟତକୁ ଅନ୍ତତଃ ୩ଟି ପଞ୍ଚାୟତରେ ବିଭକ୍ତ କରାଗଲେ ସେମାନଙ୍କ ନିକଟରେ ପହଞ୍ଚିବା ସହଜ ହେବ ବୋଲି ଶ୍ରୀ ପରିଡ଼ା ଆଶା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ରର ଡିଲ ଓ ଚକ୍ରାନ୍ତ ଅଭିଯୋଗ ନେଇ କୋରାପୁଟ ଜିଲାପାଳ ମହମ୍ମଦ ଅବ୍ଦାଲ ଅଖତରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।

Comments are closed.