ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା ଉଦ୍ୟମ : ଜଣେ ଅଟକ

ନୀଳଗିରି : ପୁଲିସ ଇନଫର୍ମର ସନ୍ଦେହରେ ବାଲେଶ୍ୱର ଜିଲା ଅନ୍ତର୍ଗତ ନୀଳଗିରି ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଗାଡ଼ି ଚପାଇ ହତ୍ୟା ଉଦ୍ୟମ କରାଯାଇଛି । ଘଟଣାସ୍ଥଳରେ ଜଣେ ଦୁର୍ବୃତ୍ତଙ୍କୁ ଅଞ୍ଚଳବାସୀ କାବୁ କରି ନେଇଥିବା ବେଳେ ଅନ୍ୟ ୪/୫ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।
ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଈଶ୍ୱରପୁର ଗାଁର ନାଗା ଓରଫ ସୁଦର୍ଶନ ମହାନ୍ତି (୩୫) ଶନିବାର ରାତିରେ ବିଦୁ ବଜାରରୁ ଘରକୁ ଫେରୁଥିବା ଦେଖି ପୂର୍ବଯୋଜନା ମୁତାବକ ୪/୫ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ତାଙ୍କୁ ପିଛା କରିଥିଲେ। ଈଶ୍ୱରପୁର ହାଇସ୍କୁଲ ପଡ଼ିଆ ନିକଟରେ ନିଛାଟିଆ ଦେଖି ଦୁର୍ବୃତ୍ତମାନେ ତାଙ୍କ ଉପରେ ବୋଲେରୋଟି ଚାପି ଦେବା ପରେ ଠେଙ୍ଗା, ଭୁଜାଲି, ବେଣ୍ଟ ପ୍ରଭୃତି ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ସ୍ଥାନୀୟଲୋକେ ପହଞ୍ଚି ଯିବାରୁ ବୋଲେରୋ ଚାଳକ ତଥା ଭୀମେଇ ଗାଁର ଦିବାକର ମଳିକ (୩୦)କୁ କାବୁ କରାଯାଇଥିବା ବେଳେ ଅନ୍ୟମାନେ ଖସି ପଳାଇ ଯାଇଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ପୃକ୍ତ ଠିକାଦାରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଈଶ୍ୱରପୁର, ବାଲେଶ୍ୱର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମ୍ପ୍ରତି ଠିକାଦାରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ନୀଳଗିରି ଆଇଆଇସି ମିନତି ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ଏଥିପାଇଁ ବ୍ୟବହୃତ ବୋଲେରୋ, ମାରଣାସ୍ତ୍ର ଆତି ଜବତ କରିଥିବା ବେଳେ ଅଟକଥିବା ଅଭିଯୁକ୍ତକୁ ଗିରଫ କରିଛନ୍ତି।
ସୂଚନା ଯେ, ଦିଲ୍ଲୀରେ କିଛିଦିନ ପୂର୍ବରୁ ଜଣେ ଡାକ୍ତରଙ୍କ ଘରୁ ୫କୋଟିରୁ ଊର୍ଦ୍ଧ୍ବ ନଗଦ ଟଙ୍କା ସମେତ ହୀରା ଓ ସୁନାଗହଣା ଚୋରି ହୋଇଥିଲା । ଏନେଇ ଦିଲ୍ଲୀ ପୁଲିସ ନୀଳଗିରିରେ ପହଞ୍ଚି ଭୀମେଇ ଗାଁର ଜଣେ ଚୋରକୁ ଗିରଫ କରି ତା’ଠାରୁ ୬୦ ଲକ୍ଷ ଟଙ୍କା ଜବତ କରିଥିଲା । ତେବେ ପୁଲିସକୁ ଏହି ସବୁ ତଥ୍ୟ ଏବଂ ଚୋରଦଳଙ୍କ ସନ୍ଧାନ ଯୋଗାଉଥିବା ସନ୍ଦେହ କରି ଦୁର୍ବୃତ୍ତମାନେ ସମ୍ପୃକ୍ତ ଠିକାଦାରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ଉଦ୍ୟମ କରିଥିବା ନେଇ ଚର୍ଚ୍ଚା ହୋଇଛି।

 

Comments are closed.