ନାବାଳକକୁ ମରଣାନ୍ତକ ଆକ୍ରମଣ; ଧରା ପଡ଼ିଲା ଅକ୍ରମଣକାରୀ

ଲଖନପୁର : ମାଂସ କଟା ଧାରୁଆ ଚାପଡ଼ ଅସ୍ତ୍ର ଯୋଗେ ଜଣେ ନାବାଳକ ବେକରେ ମରଣାନ୍ତକ ଆକ୍ରମଣ କରି ଫେରାର ମାରୁଥିବା ଜଣେ ଅଭିଯୁକ୍ତକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ଏଭଳି ଏକ ଘଟଣା ବେଲପାହାଡ଼ ଗୁମାଡେରା ଜାହାଜପଡ଼ା କଂସେଇ ଖାନା ଅଞ୍ଚଳରେ ଘଟିଛି। ଆହତ ନାବାଳକ ଜଣକ ବ୍ରଜରାଜନଗର ମଣ୍ଡଳିଆ ଅଞ୍ଚଳର ସୋନି ସାହୁ(୧୭) ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଲଖନପୁରରେ ଏକ କଂସେଇ ଦୋକାନ କରିଥିବା ମହମ୍ମଦ ଚାନ୍ଦ(୩୧) ବୋଲି ଜଣାପଡ଼ିଛି।
ସୂଚନାରୁ ପ୍ରକାଶ ଯେ, ଜାହାଜପଡ଼ାସ୍ଥିତ କଂସେଇ ଖାନାରେ ବନ୍ଧବାହାଲର ଏମଡି କମାଲଙ୍କ କଂସେଇ ଦୋକାନରେ ମଣ୍ଡଳିଆର ନାବାଳକ ସୋନି କାମ କରନ୍ତି। ଅଭିଯୁକ୍ତ ଏମଡି ଚାନ୍ଦ ଓ ଏମଡି କମାଲଙ୍କ ମଧ୍ୟରେ ପୂର୍ବରୁ କୌଣସି କଥାକୁ ନେଇ ଶତ୍ରୁତା ଥିଲା। ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଏମଡି ଚାନ୍ଦ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏମଡି କମାଲର ଦୋକାନରେ ପହଞ୍ଚିଥିଲା । ସେଠାରେ ଅଳ୍ପ ଅନ୍ଧାରୁଆ ଥିବାବେଳେ ଏକ ମାଂସ କଟା ଧାରୁଆ ଚାପଡ଼ରେ ଏମଡି କମାଲଙ୍କ ପରିବର୍ତ୍ତେ ତାଙ୍କ ଦୋକାନରେ କାମ କରୁଥିବା ନାବାଳକ ସୋନି ସାହୁ ବେକରେ ଆକ୍ରମଣ କରିଥିଲା । ହେଲେ ଏହା ଏମଡି କମାଲ ନୁହେଁ ବୋଲି ଜାଣିବା ପରେ ପାଖରେ ଛିଡ଼ା ହୋଇଥିବା ଏମଡି କମାଲଙ୍କ ଉପରେ ମାରଣାସ୍ତ୍ର ଫିଙ୍ଗି ପ୍ରହାର କରିବାକୁ ପ୍ରୟାସ କରିଥିଲାବେଳେ ସେ ବର୍ତ୍ତି ଯାଇଥିଲେ । ଏହା ପରେ ଏମଡି କମାଲ ସେଠାରୁ ଜୀବନ ଆକୁଳରେ ପଳାଇବାକୁ ଚେଷ୍ଟା କରିବାବେଳେ ଚାନ୍ଦ ଭୂମି ତଳୁ ଚାପଡ଼ ଉଠାଇ ପୁଣି ଆକ୍ରମଣ କରିବାକୁ ଧାଇଁଥିଲା । ଏହା ଦେଖି ଆଖପାଖର ଦୋକାନୀ ଓ ସ୍ଥାନୀୟ ବାସିନ୍ଦା ପାଟିତୁଣ୍ଡ କରିବାରୁ ଚାନ୍ଦ ଫେରାର ମାରୁଥିବାବେଳେ ଲୋକେ କାବୁ କରି ପୁଲିସର ଜିମା ଦେଇଥିଲେ । ତେବେ ଦୁଇଜଣଙ୍କ ଶତ୍ରୁତାରେ ନିରୀହ ସାଧାରଣ ନାବାଳକ ବଳି ପଡ଼ିବା ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆହତ ସୋନୁକୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଆହତ ସୋନୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି । ଏନେଇ ବେଲପାହାଡ଼ ପୁଲିସ ଅଭିଯୁକ୍ତ ଏମଡି ଚାନ୍ଦକୁ ଗିରଫ କରିବା ସହ ଥାନାରେ ଅଟକ ରଖି ପ୍ରାଥମିକ ତଦନ୍ତ ଆରମ୍ଭ କରିଦେଇଛି । ପୁଲିସ ଘଟଣା ସ୍ଥଳରୁ ଅକ୍ରମଣ ପାଇଁ ବ୍ୟବହୃତ ଧାରୁଆ ଚାପଡ଼ ଜବତ କରିଛି । ଅପର ପକ୍ଷରେ ବନ୍ଧବାହାଲର ଏମଡି କମାଲ ମଧ୍ୟ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

Comments are closed.