ମଦ ଦୋକାନା ସମ୍ମୁଖରେ ମରଣାନ୍ତକ ଆକ୍ରମଣ, ୨ ଯୁବକ ଗୁରୁତର

- ମାସକ ଭିତରେ ଦ୍ୱିତୀୟ ଘଟଣା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ସୂଚନା

ବଲାଙ୍ଗିର : ପୁଣି ବଲାଙ୍ଗିରରେ ବିଦେଶୀ ମଦ ଦୋକାନରେ ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗତ କିଛି ଦିନ ପୂର୍ବରୁ ସୁଦପଡା ବିଦେଶୀ ମଦ ଦୋକାନ ନିକଟରେ ଦୁଇ ଜଣ ଯୁବକ ଅନ୍ୟ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଥିବା ବେଳେ ଜଣକର ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଶନିବାର ଅପରାହ୍ନରେ କଦମପଡା ନିକଟସ୍ଥ ବିଦେଶୀ ମଦ ଦୋକାନ ଠାରେ ସହରର ଦୁଇ ଜଣ ଯୁବକଙ୍କୁ କିଛି ଯୁବକ ଅତର୍କିତ ଭାବେ ସଂଘବଦ୍ଧ ଆକ୍ରମଣ କରିଥିଲେ ।

ସୂଚନା ଅନୁସାରେ ଗାନ୍ଧୀନଗରପଡାରେ ରହୁଥିବା ତୁଷାର ପାଢୀ ଓ ରାଜୀବ ନଗରର ଗରୀବ ପାଣ୍ଡେ ଅପରାହ୍ନ ସାଢେ ୪ ଟା ସମୟରେ କଦମପଡା ନିକଟରେ ଥିବା ୭ନଂ ବିଦେଶୀ ମଦ ଦୋକାନ ସମ୍ମୁଖରେ ଛିଡା ହୋଇଥିଲେ । ସେହି ସମୟରେ କିଛି ଯୁବକ ଆସି ତୁଷାର ଓ ଗରୀବକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଉଭୟଙ୍କ ମୁଣ୍ଡକୁ ଛଡରେ ଆକ୍ରମଣ କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀ ମାନେ ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକେ ଉଭୟ ଯୁବକଙ୍କୁ ଉଦ୍ଧାର କରି ଟାଉନ ପୁଲିସ ପିସିଆରକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପିସିଆର ଟିମ ପହଞ୍ଚି ଯୁବକମାନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଆକ୍ରମଣର କାରଣ ସ୍ପଷ୍ଟ ଭାବେ ଜଣାପଡିନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଆଲୋଚନା ହେଉଛି । ଉଭୟ ଯୁବକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା । ଟାଉନ ପୁଲିସ ଘଟଣାର ତଦନ୍ତ କରୁଥିବା ଥାନା ଅଧକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖରେ ସୁଦପଡା ବିଦେଶୀ ମଦ ଦୋକାନ ନିକଟରେ ବେହେରାପାଲି ସଂପର୍କୀୟଙ୍କ ଘରକୁ ଆସିଥିବା ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଏହି ଘଟଣାରେ ପୁଲିସ ବେହେରାପାଲିର ଦୁଇ ଜଣ ଯୁବକ ଗିରଫ ହୋଇଥିଲେ । ମାସକ ଭିତରେ ଏହା ଦ୍ୱିତୀୟ ଘଟଣା ହୋଇଥିବା ବେଳେ ସହରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.