ଦାଦାବଟି ନ ଦେବାରୁ ଯୁବକଙ୍କୁ ଗୋଡ଼େଇ ଗୋ​‌​ଡ଼େଇ ହାଣିଲେ

ଖଣ୍ଡା, ଭୁଜାଲି, କଟୁରି ଜବତ; ୪ ଅଟକ

ଭୁବନେଶ୍ୱର : ଗୋଟିଏ ପଟେ ଦାଦାବଟି ବନ୍ଦ ପାଇଁ ପୁଲିସ ଅଣ୍ଟା ଭିଡ଼ିଥିବାବେଳେ ଅନ୍ୟପଟେ ଅସାମାଜିକ ପୁଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଉଛନ୍ତି। ପୂଜା ପୂର୍ବରୁ ଅଶାନ୍ତ ହୋଇଛି ରାଜଧାନୀ। ଦାଦାବଟି ପାଇଁ ରବିବାର ଜଣେ ବ୍ୟବସାୟୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣି ଅଭିଯୁକ୍ତ ଗୁରୁତର କରିଛନ୍ତି। ଆହତ ବ୍ୟବସାୟୀ ନୂଆପଲ୍ଲୀ ଥାନା ବ୍ରିଟ୍‌ କଲୋନୀର ଶୁଭମ ସ୍ୱାଇଁ(୨୨)। ଖଣ୍ଡଗିରି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ଉଦ୍ଧାର କରିବା ସହ ୪ ଆକ୍ରମଣକାରୀଙ୍କୁ କାବୁ କରିଛି। ତାଙ୍କଠାରୁ ମାରଣାସ୍ତ୍ର ଖଣ୍ଡା, କଟୁରି ଓ ଭୁଜାଲି ଆଦି ଜବତ ହୋଇଛି।
ସୂଚନାଯୋଗ୍ୟ, ନୂଆପଲ୍ଲୀ ବ୍ରିଟ୍‌ କଲୋନୀର ଶୁଭମ ଜଣେ କାର୍‌ ବ୍ୟବସାୟୀ। ରବିବାର ସନ୍ଧ୍ୟାରେ ସେ ତାଙ୍କର ଜଣେ ସାଥୀ ସହ ଜାଗମରା ନୂଆ ରାସ୍ତାରେ ଖାଇବାକୁ ଯାଇଥିଲେ। ସେହି ସମୟରେ ନୂଆପଲ୍ଲୀ ହାଡ଼ି ସାହିର ଦୁଇ ଜଣ ଯୁବକ ସେଠାରେ ପହଞ୍ଚି ଶୁଭମଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଶୁଭମଙ୍କ ମୁଣ୍ଡ, ପେଟ ଓ ଛାତିରେ ଶକ୍ତ ଆଘାତ ଲାଗିଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶୁଭମଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଖଣ୍ଡଗିରି ପୁଲିସ ୪ ଅଭିଯୁକ୍ତଙ୍କୁ ଧରି ଥିବାବେଳେ ୩ଜଣ ଫେରାର ହୋଇଯାଇଛନ୍ତି। ପୂର୍ବରୁ ଅନେକ ଥର ଅଭିଯୁକ୍ତମାନେ ଶୁଭମଙ୍କୁ ଦାବାବଟି ମାଗିଥିଲେ। ସେ ଟଙ୍କା ନଦେବାରୁ ଯୁବକମାନେ ସେମାନଙ୍କୁ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ଅଭିଯୁକ୍ତମାନେ ଅନ୍ୟ ସାଙ୍ଗଙ୍କୁ ଫୋନ୍‌ କରି ଡାକିଥିଲେ। ୫ରୁ ୬ ଅଭିଯୁକ୍ତ ହାତରେ ଖଣ୍ଡା, କଟୁରି ଓ ଭୁଜାଲି ଧରି ସେଠାରେ ପହଞ୍ଚିବା ପରେ ଶୁଭମ ଏବଂ ତା’ର ସାଥୀଙ୍କୁ ଆକ୍ରମଣ କରିଥିଲେ। ଏହାକୁ ନେଇ ସେଠାରେ ଆତଙ୍କ ସୃଷ୍ଟି ହୋଇଥିଲା। ପୁଲିସ ଆହତଙ୍କୁୁ ଆମ୍ବୁଲାନ୍ସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଅଟକ ଅଭିଯୁକ୍ତଙ୍କ ନାମରେ ଖଣ୍ଡଗିରି, ନୂଆପଲ୍ଲୀ ଥାନାରେ ଅନେକ ମାମଲା ରହିଛି। ପୂର୍ବରୁ ଦାଦାବଟି ମାଗିବା ଅଭିଯୋଗରେ ସେମାନଙ୍କୁ ପୁଲିସ ଗିରଫ କରିଥିଲା। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଅଟକ ଯୁବକଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 

Comments are closed.