ସ୍ପଷ୍ଟ ଦିବାଲୋକରେ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ : ରକ୍ତ ଜୁଡୁବୁଡୁ ଆହତ ଯୁବକ ଉଦ୍ଧାର

ଅଶାନ୍ତ ସମ୍ବଲପୁର

ସମ୍ବଲପୁର :  ସମ୍ବଲପୁରରେ ଆଇନ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୂଷୁଡି ପଡିଥିବା ବେଳେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ ବାସଭବନ ଠାରେ ମାତ୍ର କେଇ ମିଟର ମଧ୍ୟରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ସୋମବାର ଅପରାହ୍ନରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ରହିଥିବା ଚାଉଁରପୁର ପୋଲ ଠାରେ ପୂର୍ବ ଶତ୍ରୁତାକୁ ନେଇ ଚାରଭାଟି ନିବାସୀ ଶେଖ ୱାସିଫ ନାମକ ଜଣେ ଯୁବକଙ୍କୁ ଅପହରଣ କରି ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରାଯାଇ ଅପରାଧି ମାନେ ଫିଙ୍ଗି ଚାଲି ଯାଇଥିଲେ। ପୋଲ ଦେଇଯାଉଥିବା ଲୋକେ ଦେଖି ପିସିଆରକୁ ଖବର ଦେବାରୁ ତୁରନ୍ତ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ରକ୍ତ ଜୁଡୁବୁଡୁ ଆହତ ୱାସିଫଙ୍କୁ ମୁମୁର୍ଶ ଅବସ୍ଥାରେ ଉଦ୍ଧାର କରିଛ । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, ଆହତ ହୋଇଥିବା ଯୁବକ ଓ ଆକ୍ରମଣକାରୀ ଯୁବକଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଏ ନେଇ ଧନୁପାଲି ଥାନାରେ ଅପହରଣ ଓ ଆକ୍ରମଣ ଦଫା ଲଗାଯାଇ ଏକ ମାମଲା ରୁଜୁ କରାଯାଇ ଫେରାର ଥିବା ଆକ୍ରମଣକାରୀ ମାନଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଥିବାର ଜଣାପଡିଛି।

ପୂର୍ବଶତ୍ରୁତାକୁ ନେଇ ଆକ୍ରମଣ
ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଶେଖ ୱାସିଫଙ୍କ ପରିବାର ଓ ମୁଖ୍ୟ ଆକ୍ରମଣକାରୀଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ପୁର୍ବ ଶତ୍ରୁତା ରହିଥିଲା। ଏହାକୁ ନେଇ ଗତ ସପ୍ତାହରେ ବିବାଦ ହେବାରୁ ଧନୁପାଲି ଥାନାରେ ଉଭୟ ପକ୍ଷ ମଧ୍ୟରେ ବୈଠକ କରାଯାଇ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ଏହି ଘଟଣା ସମୟରେ ମୁଖ୍ୟ ଆକ୍ରମଣକାରୀ ପ୍ରତିଷୋଧ ନେବା ପାଇଁ ଖୋଲାଖୋଲି ଭାବରେ ଥାନା ଭିତରେ ଧମକ ଦେଇଥିଲେ। ତେବେ ପୁଲିସର ହସ୍ତକ୍ଷେପ ପରେ ଆପୋଷ ବୁଝାମଣା ସମ୍ପନ୍ନ ହୋଇଥିଲା। ଅଚାନକ ମୁଖ୍ୟ ଆକ୍ରମଣକାରୀ ଓ ତାଙ୍କ ସାଥି ମାନେ ଆହତ ୱାସିଫଙ୍କ ସାନ ଭାଇକୁ ପ୍ରତିଷୋଧ ନେବା ପାଇଁ ଖୋଜିଥିଲେ । କିନ୍ତୁ ତାଙ୍କୁ ନ ପାଇବାରୁ ୱାସିଫଙ୍କୁ ସେ ରହୁଥିବା ଚାରଭାଟି ଅଞ୍ଚଳରୁ ଅପରାହ୍ନରେ ଏକ ଚାରି ଚକିଆ ଯାନରେ ଅପହରଣ କରି ନେଇ ଭିଆଇପି ଅଞ୍ଚଳ କଚେରୀ ଛକ ଓ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ଚାଉଁରପୁର ପୋଲ ଉପରକୁ ଯାଇଥିଲେ। ସେଠାରେ ରଡ ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ସାହାଯ୍ୟରେ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ୱାସିଫଙ୍କୁ ମୁଣ୍ଡ, ପେଟ ଓ ଜଙ୍ଘରେ ମରଣାନ୍ତକ ଆକ୍ରମଣ କରି ନିସ୍ତୁକ ମାଡ ମାରିଥିଲେ । ଫଳରେ ୱାସିଫଙ୍କ ମୁଣ୍ଡ, ପେଟ ଓ ଜଙ୍ଘରେ ଗଭୀର ଆଘାତ ଲାଗିବାରୁ ସେ ମୁମୁର୍ଶ ଅବସ୍ଥାରେ ରହିଥିବା ବେଳେ ଆକ୍ରମଣକାରୀ ମାନେ ତାଙ୍କୁ ପୋଲ ଉପରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଖବର ପାଇ ଟାଉନ ପୁଲିସ ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲା।

ଏସପି ଙ୍କ କାର୍ଯ୍ୟାଳୟ ନିକଟରେ ଅପରାଧିକ ଗତିବିଧିର ଲମ୍ବା ଇତିହାସ
ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଓ ବାସଭବନ ରହିଥିବା ଅଞ୍ଚଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ପଶ୍ଚିମ ଓଡିଶାସ୍ତରୀୟ ସରକାରୀ କାର୍ଯ୍ୟାଳୟ ଗୁଡିକ ରହିଛି। ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରୁ ମାତ୍ର କେଶ ଶହ ମିଟର ପରିଧି ମଧ୍ୟରେ ଜିଲା ପୁଲିସ ଗୁଇନ୍ଦା କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଆବାସ, ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜିଙ୍କ ବାସଭବନ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଙ୍କ କାର୍ଯ୍ୟାଳୟ, ଉପ ଜିଲାପାଳ ଙ୍କ କାର୍ଯ୍ୟାଳୟ, ବିଭିନ୍ନ ଅଦାଲତ ସମୁହ, ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। କିନ୍ତୁ ବିଗତ ଦିନର ଘଟଣାବଳୀ ଗୁଡିକ ଉପରେ ନଜର ପକାଇଲେ, ଏସପିଙ୍କ କାର୍ଯ୍ୟାଳୟ ନିକଟବର୍ତ୍ତୀ ଅଞ୍ଚଳରେ ଅପରାଧି ମାନେ ନିର୍ଭୟରେ ବିଭିନ୍ନ ଅପରାଧିକ ଗତିବିଧି ଗୁଡିକୁ ଭିଆଇ ନିଶ୍ଚିନ୍ତରେ ଫେରାର ମାରୁଛନ୍ତି। ଏହି ଅଞ୍ଚଳରେ ବ୍ୟାପକ ସିସିଟିଭି ସମେତ ଅନ୍ୟାନ୍ୟ ସୁରକ୍ଷା ଉପାୟ ସହିତ ପୁଲିସର ପହରା ମଧ୍ୟ ରହୁଛି। କିନ୍ତୁ ଠିକଣା ସମୟରେ କୌଣସି ପ୍ରତିଷେଧ ବ୍ୟବସ୍ଥା କାମ କରୁ ନାହିଁ କି ଅପରାଧି ମାନଙ୍କୁ ଧରିବାରେ ପୁଲିସ ବିଫଳ ମଧ୍ୟ ହେଉଛି। ବିଗତ ଦିନରେ ଅନେକ ଚେନ ଲୁଟ, ନିଶା କାରବାର ଆଦି ମାମଲା ଗୁଡିକ ଏସପିଙ୍କ କାର୍ଯ୍ୟାଳୟ ନିକଟସ୍ଥ ଅଞ୍ଚଳ ଓ ଚାଉଁରପୁର ପୋଲ ଉପରେ ଘଟି ଯାଇଥିବା ବେଳେ କିନ୍ତୁ ପୁଲିସ ସିଂହଭାଗ ମାମଲା ଗୁଡିକରେ ଚେନ ଲୁଟିଆ ଓ ନିଶା କାରବାରୀ ମାନଙ୍କୁ ପୁଲିସ ଧରି ପାରି ନାହିଁ। ଯଦି ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ନିକଟରେ ଏଭଳି ଆଇନ ବ୍ୟବସ୍ଥା ରହିଛି, ତାହା ହେଲେ ସାରା ଜିଲାରେ ପୁଲିସ ବ୍ୟବସ୍ଥା ସହଜେ ଅନୁମେୟ।

ଥାନା ପାଲଟିଛି ସେଟିଂ କେନ୍ଦ୍ର !
ସମ୍ବଲପୁର ଜିଲାର ଅନ୍ୟତମ ପ୍ରମୁଖ ଥାନା ଓ ସ୍ପର୍ଶକାତର ଥାନା ମଧ୍ୟରେ ଧନୁପାଲି ଥାନା ପରିଗଣିତ। ଏହି ଥାନାରେ ଅନେକ ପ୍ରକାରର ଅପରାଧିକ ଗତିବିଧି ଘଟୁଥିବାର ନଜୀର ରହିଥିବା ବେଳେ ଅନେକ ସ୍ଥାନରେ ମାମଲା ମାନ ମଧ୍ୟ ରୁଜୁ ହେଉଛି ଏବଂ କିଛି କ୍ଷେତ୍ରରେ ଅପରାଧି ମାନେ ଧରା ମଧ୍ୟ ପଡି କାରାଗାରକୁ ଯାଉଛନ୍ତି । କିନ୍ତୁ ବିଗତ କିଛି ମାସ ହେବ ଏହି ଥାନାକୁ ଅପରାଧି ମାନେ ସେଟିଂ କେନ୍ଦ୍ର ନାମ ଦେଇଥିବାର ସହରରେ ଚର୍ଚ୍ଚା ଜୋର ଧରିଛି । ବିଗତ ଦିନରେ ସାକ୍ଷୀପଡା ଅଞ୍ଚଳରେ ଏକ ଜମିକୁ ନେଇ ଥାନାର ଭୂମିକା ଏବେ ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଥିବା ବେଳେ ଏହି ମାମାଲରେ ଜମି ଦଲାଲକୁ ଅହେତୁକ ଅନୁକମ୍ପା ଥାନା ପକ୍ଷରୁ ପରୋକ୍ଷରେ ଯୋଗାଇ ଦିଆଯାଇଥିବାର ଓ ଯାଉଥିବାର ଅଭିଯୋଗ ହୋଇ ଆସୁଛି। ସେହିଭଳି ଆଜି ଘଟିଥିବା ଘଟଣାର ପୂର୍ବ କ୍ଷିୟ ଯାଇ ଧନୁପାଲି ଥାନାରେ ଯୋଡି ହେଉଥିବାରୁ ଜନ ଚର୍ଚ୍ଚାରେ ସତ୍ୟତା ଥିବାର ଅନୁମାନକୁ ବଳ ମିଳୁଛି। ପୁଲିସ ତାର ମୂଳ କାର୍ଯ୍ୟ ଓ ଲକ୍ଷ୍ୟରୁ ଓହରି ଯାଉଥିବାରୁ ଅପରାଧିକ ଘଟଣାମାନ ଘଟି ଚାଲିଥିବାରୁ ଏହା ଉପରେ ଉଚିତ ଓ ତ୍ୱରିତ ପଦକ୍ଷେପ ନିଆଯାଉ ବୋଲି ସବୁ ମହଲରୁ ଦାବି ହେଉଛି।

 

Comments are closed.