ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ପଂଚାୟତ ମହୁଲଧର ଗ୍ରାମରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଗତ ୭ତାରିଖ ଦିନ ରାତିରେ ମହୁଲଧର ଗ୍ରାମର ଅଭିମନ୍ୟୁ ଲେଙ୍କା ଘରେ ଶୋଇଥିଲେ। ଏହି ସମୟରେ ପଡ଼ୋଶୀ ବାସିନ୍ଦା ଲକ୍ଷ୍ମଣ ଜାଲ ଓ ତାର ସ୍ତ୍ରୀ ପ୍ରମୋଦିନୀ ଦୁହେଁ ଅଭିମନ୍ୟୁଙ୍କ ଘରକୁ ଆସି ଅଭିମନ୍ୟୁଙ୍କ ସ୍ତ୍ରୀ କୁନିଙ୍କୁ ତାଙ୍କ ସ୍ତ୍ରୀ ବିଷୟରେ କଣ କହିଛୁ ବୋଲି ପଚାରିଥିଲେ। କୁନି କିଛି କହିନାହିଁ ବୋଲି ଉତର ଦେବାରୁ ଏଥିରେ ଉତ୍ୟକ୍ତ ହୋଇ ଲକ୍ଷ୍ମଣ ଜାଲ କୁନିଙ୍କ ତଂଟିକୁ ଧରିବାରୁ ତାଙ୍କ ସ୍ୱାମୀ ଅଭିମନ୍ୟୁ ଛଡାଇବା ଉଦ୍ୟମ କଲେ। ଏହି ସମୟରେ ଲକ୍ଷ୍ମଣଙ୍କ ଭିଣୋଇ ଲକ୍ଷ୍ମୀଧର ବାରିକ ଯୋଜନାବଦ୍ଧ ଭାବେ ଏକ ଠେଙ୍ଗାରେ ଅଭିମନ୍ୟୁଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିବାରୁ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଯାଇଥିଲେ। ଏହାପରେ ଲକ୍ଷ୍ମଣ ଜାଲ ମଧ୍ୟ ତାଙ୍କୁ ଲାତ, ଗୋଇଠା, ବିଧା ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ତାଙ୍କୁ ଯୋଜନାବଦ୍ଧ ଭାବେ ଉଭୟେ ମିଶି ଆକ୍ରମଣ କରିଥିବା ବେଳେ ଘଟଣାର ୬ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବାରୁ ସେ ବୌଦ୍ଧ ଏସପିଙ୍କ ଦ୍ୱାରସ୍ଥ ହୋଇଥିବା ମଧ୍ୟ ଜଣାପଡିଛି । ଅଭିମନ୍ୟୁଙ୍କ ଅଭିଯୋଗକୁ ଭିତିକରି ହରଭଙ୍ଗା ଥାନା କେଶ ନଂ ୩୬/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରହିଥିବା ହରଭଙ୍ଗା ଥାନା ଏଏସଆଇ ପ୍ରାଣବନ୍ଧୁ ସାହୁ ସୂଚନା ଦେଇଛନ୍ତି।

Comments are closed.