ବୁର୍ଲା ଭିମସାର: ସୁରକ୍ଷାକର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ଦୁର୍ବୃତ୍ତ

ବୁର୍ଲା ଭିମସାରର ଏକଜିକ୍ୟୁଟିଭ ସର୍ଭିସେସ ସୁରକ୍ଷା ସଂସ୍ଥା ପୁଣି ଚର୍ଚ୍ଚାରେ

ବୁର୍ଲା: ବୁର୍ଲା ଭିମସାର ହସପିଟାଲ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚାର ପରିସରଭୁକ୍ତ ହୋଇ ଆସୁଛି। ହସପିଟାଲରେ ନିୟୋଜିତ ବିବାଦୀୟ ସୁରକ୍ଷା ସଂସ୍ଥା ବିଭିନ୍ନ କାରଣକୁ ନେଇ ସମାଲୋଚନାର ଶିକାର ହୋଇ ଆସୁଛି। ଅପରାଧିକ କାର୍ଯ୍ୟକଳାପକୁ ସୁରକ୍ଷା ସଂସ୍ଥା ରୋକିବାରେ ସମ୍ପୂର୍ଣ୍ଣ ଭାବରେ ଫେଲ ମାରିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନପାରେ। ମାଳ ମାଳ ସୁରକ୍ଷା କର୍ମୀଙ୍କ ସତ୍ୱେ ଅସୁରକ୍ଷିତ ହୋଇ ରହିଛନ୍ତି ଭିମସାରର ଡାକ୍ତରଙ୍କଠାରୁ କର୍ମଚାରୀ ଏବଂ ରୋଗୀ ତଥା ତାଙ୍କ ସମ୍ପର୍କିୟମାନେ। ତେବେ ଗତ କିଛିଦିନ ତଳେ ଜଣେ ହସପିଟାଲର ସୁରକ୍ଷା କର୍ମୀ ଜଣେ ଯୁବକଙ୍କୁ ଜୋତାରେ ଗୋଇଠା ମାରୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ପୁଣି ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଜଣ ସୁରକ୍ଷା କର୍ମୀ ଦୁର୍ବୃତ୍ତଙ୍କ ଆକ୍ରୋଶର ଶୀକାର ହୋଇ ଲହୁଲୁହାଣ ହେବା ଏକ ଘଟଣା ପୁଣି ଚର୍ଚ୍ଚାର ପରିସର ଭୁକ୍ତ ହୋଇଛି। ତେବେ ଯଦିବା ସୁରକ୍ଷା କର୍ମୀ ସୁରକ୍ଷିତ ନାହାନ୍ତି ତ ତାଙ୍କ ଭରସାରେ ରହିଥିବା ରୋଗୀ ଏବଂ ସମ୍ପର୍କୀୟ କିଭଳି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ ଉଙ୍କି ମାରୁଛି। ଗତକାଲି ବିଳମ୍ବିତ ରାତିରେ ମେଡିକାଲ ପରିସରରେ କାର୍ଯ୍ୟରତ ଦୁଇଜଣ ଏକଜିକ୍ୟୁଟିଭ ସର୍ଭିସେସ ଲିମିଟେଡ଼ର ସୁରକ୍ଷା କର୍ମୀ ସେମାନଙ୍କ ଜଣେ ସମ୍ପର୍କୀୟଙ୍କୁ କିଛି ଦୁର୍ବୃତ୍ତ ମେଡିକାଲ ପରିସରରେ ଗୋଡାଇ ଗୋଡାଇ ଆକ୍ରମଣ କରିବା ଭଳି ଏକ ଘଟଣା ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ନେଇ ବୁର୍ଲା ଥାନାର ଦ୍ୱାରସ୍ଥ ହୋଇଛନ୍ତି ସୁରକ୍ଷା କର୍ମୀ। ଜଣେ ସୁରକ୍ଷା କର୍ମୀ ଏବଂ ତାଙ୍କ ଜଣେ ସମ୍ପର୍କୀୟ ଗୁରୁତର ଆହତ ହୋଇ ମେଡିକାଲରେ ଭତ୍ତି ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବୁର୍ଲା ସହର ଯେଭଳି ଭାବରେ ଅପରାଧିଙ୍କ ସହର ପାଲଟିଛି ସେହିପରି ବୁର୍ଲା ଭିମସାର ମଧ୍ୟ ବୋଲି ଚର୍ଚ୍ଚା ହେଉଛି।

ବୁର୍ଲା ଭୁମସାର ଏକ ପ୍ରକାର କୌଣସି ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ର ପାଲଟିବାକୁ ବସିଲାଣି। ଏପରିକି ଏକ ରଣକ୍ଷେତ୍ରରେ ରୁପାନ୍ତରିତ ହୋଇଥିବା ଭିମସାର ହସପିଟାଲ। ଗତକାଲି ହସପିଟାଲରେ କାର୍ଯ୍ୟରତ ରହିଥିବା ଘରୋଇ ସଂସ୍ଥା ଏକଜିକ୍ୟୁଟିଭ ସାର୍ଭିସେସ ଲିମିଟେଡ଼ର ଦୁଇଜଣ ସୁରକ୍ଷା କର୍ମୀଙ୍କୁ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ଭଳି ଏକ ଅଭିଯୋଗ ହୋଇଛି। ଏପରିକି ଦୁଇ ସୁରକ୍ଷା କର୍ମୀ ଉଭୟ ଭାଇ ହୋଇଥିବା ବେଳେ ସେମାନଙ୍କୁ ଦୁର୍ବୃତ୍ତଙ୍କ କବଳରୁ ବଞ୍ଚାଇବାକୁ ଆସି ସେମାନଙ୍କ ଅନ୍ୟଭାଇ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶୀକାର ହୋଇଥିବା ଜଣାପଡ଼ିଛି। ଆହତ ଦୁୁଇ ସୁରକ୍ଷାକର୍ମୀ ବୁର୍ଲାର ଶରତ ସୁନା ଏବଂ ନିରଞ୍ଜନ ସୁନା ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଶରତ ଏବଂ ନିରଞ୍ଜନ ବୁର୍ଲା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନା ମତେ ଶରତ ସୁନା ଏବଂ ନିରଞ୍ଜନ ସୁନା ଦୁଇ ଭାଇ ବୁର୍ଲା ହସପିଟାଲରେ ଘରୋଇ ସୁରକ୍ଷା ସଂସ୍ଥାରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟରତ। ଗତକାଲି ବିଳମ୍ବିତ ରାତିରେ ଉଭୟ ଭାଇ ମେଡିସିନ ବିଭାଗରେ ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟରତ ଥିଲେ। ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଦୁଇଜଣ ଯୁବକ ଆସି ମେଡିସିନ ବିଭାଗରେ ଡ୍ୟୁଟି କରୁଥିବା ସୁରକ୍ଷା କର୍ମୀ ନିରଞ୍ଜନ ସୁନାଙ୍କ ନିକଟରେ ବସିଥିଲେ। ତେବେ ରାତିରେ ନିରଞ୍ଜନ ଏଠାରେ କାହିଁକି ବସିଛ ଏଠାରୁ ଚାଲିଯାଅ ବୋଲି କହିଥିଲେ। ଏହାପରେ ସମ୍ପୃକ୍ତ ଯୁବକ ନିରଞ୍ଜନଙ୍କୁ ଧମକ ଦେଇଥିବା ସହିତ ତଳକୁ ଆସିବୁ ବୋଲି କହି ସେଠାରୁ ଚାଲି ଯାଇଥିଲେ। ଏହାପରେ ନିରଞ୍ଜନ ତଳକୁ ଓହ୍ଲାଇବା ପରେ ଷ୍ଟିୱାର୍ଡ ଅଫିସ ସମ୍ମୁଖରୁ ଫାଣ୍ଡି ପର୍ଯ୍ୟନ୍ତ ଦୁଇ ଯୁବକ ହକି ବାଡି ଏବଂ ଅନ୍ୟ ମାରଣାସ୍ତ୍ର ଫାଇବରରେ ଗୋଡାଇ ଗୋଡାଇ ନିରଞ୍ଜନକୁ ଆକ୍ରମଣ କରିଥିବା ସୂଚନା ଦେଇଛନ୍ତି।

ଏହାପରେ ନିରଞ୍ଜନକୁ ବଞ୍ଚାଇବାକୁ ଚେଷ୍ଟାକରି ତାଙ୍କ ଭାଇ ଶରତ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା କହିଛନ୍ତି। ଏହାପରେ ଖବର ପାଇ ଘରେ ଥିବା ତାଙ୍କ ବଡଭାଇ ମଧ୍ୟ ମେଡିକାଲ ପହଞ୍ଚିଥିଲେ ତାଙ୍କୁ ବି ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ନିରଞ୍ଜନ କହିଛନ୍ତି। ତେବେ ଦୀର୍ଘ ସମୟ ଧରି ହସପିଟାଲ ମଧ୍ୟରେ ଏଭଳି ଗୋଡାଇ ଗୋଡାଇ ତିନିଜଣଙ୍କୁ ଆକ୍ରମଣ ଘଟଣା ଘଟିଯାଇଥିଲେ ମଧ୍ୟ ଅନ୍ୟ ସୁରକ୍ଷା କର୍ମୀ କି ସୁପରଭାଇଜର କେହି ଏଥିରେ ହସ୍ତକ୍ଷେପ ନ କରିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। ସେପଟେ ପୁଣି ସୁରକ୍ଷା ସଂସ୍ଥା ତରଫରୁ ସୁରକ୍ଷା କର୍ମୀ ନିଯୁକ୍ତ କରାଯିବା ସମୟରେ ପ୍ରଶିକ୍ଷଣର ଅଭାବ ରହିଥିବା କିପରି ଭାବରେ କୌଣସି ଅପ୍ରିତିକର ସ୍ଥିତି ଉତ୍ପର୍ଣ୍ଣ ହେଲେ ତାକୁ ସମାଧାନ କରାଯାଏ ଏହା ବିଷୟରେ କୌଣସି ପ୍ରଶିକ୍ଷଣ ମଧ୍ୟ ଦିଆଯାଏ ବୋଲି ସୁରକ୍ଷା ସଂସ୍ଥା ଜଣ ଜାଣି ନଥିବା ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି। ସେଠାରେ ପୁଲିସ ଫାଣ୍ଡି ମଧ୍ୟ ରହିଥିବା ସତ୍ୱେ ଏହି ଆକ୍ରମଣ ଘଟଣା ଉପରେ କୌଣସି ବିରାମ ଲାଗି ପାରି ନ ଥିଲା। ଜୀବନ ବଞ୍ଚାଇବାକୁ ଫାଣ୍ଡି ମଧ୍ୟକୁ ଦୁଇ ସୁରକ୍ଷା କର୍ମୀ ପ୍ରବେଶ କରିବା ପରେ ମଧ୍ୟ ଦୁର୍ବୃତ୍ତମାନେ ଫାଣ୍ଡି ମଧ୍ୟକୁ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିଥିବା ସୁରକ୍ଷା କର୍ମୀ ଅଭିଯୋଗ କରିଛନ୍ତି। ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡ଼ିଛି। ତେବେ ଘଟଣା ପ୍ରଘଟ ହେବାପରେ ଆଜି ମେଡିକାଲ ଫାଣ୍ଡିରେ ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଣି ଶୁଣିବାକୁ ମିଳୁଛି ଯେ ପ୍ରଥମେ ଉକ୍ତ ଦୁର୍ବୃତ୍ତଙ୍କୁ ମାଡ଼ ମରାଯାଇଥିବା ବେଳେ ପୁଣି ସେମାନେ ତାଙ୍କର ଅନ୍ୟ କିଛି ସହଯୋଗୀଙ୍କ ସହିତ ଆସି ସୁରକ୍ଷା କର୍ମୀଙ୍କୁ ଏହି ମାରଣାନ୍ତକ ଆକ୍ରମଣ କରିଥିବା ସୁଚନା ମଧ୍ୟ ହସ୍ତଗତ ହୋଇଛି। ତେବେ ବୁର୍ଲା ପୁଲିସ ଏହି ଘଟଣା ଉପରେ ସବିଶେଷ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଅସୁରକ୍ଷିତ ସୁରକ୍ଷା କର୍ମୀ ବୁର୍ଲା ଭିମସାରରେ ତ କିପରି ଭାବରେ ସୁରକ୍ଷା କର୍ମୀଙ୍କ ହାତରେ ହସପିଟାଲ ସୁରକ୍ଷିତ ବୋଲି ନାନା ପ୍ରଶ୍ନ ଉଙ୍କି ମାରୁଛି। କେବଳ ଶହ ଶହ ମାତ୍ରାରେ ସୁରକ୍ଷା କର୍ମୀଙ୍କୁ ବିନା କୌଣସି ଯାଞ୍ଚ ବା ପୁଲିସ ଭେରିଫିକେସନରେ ନିୟୋଜିତ କରି ଘରୋଇ ସୁରକ୍ଷା ସଂସ୍ଥା ତାର ବ୍ୟବସାୟ ବୁର୍ଲା ଭିମସାରରୁ ବାର୍ଷିକ ଚାରିକୋଟି ନେଇ ଚଳାଉଥିବା ନେଇ ଚର୍ଚ୍ଚା ହେଉଛି।

Comments are closed.