ତ୍ରିପୁରାରେ ମସଜିଦ ଭଙ୍ଗାରୁଜା, ଦୋକାନରେ ନିଆଁ ଲଗାଇଦେଲେ

ଅଗରତାଲା: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ପ୍ରତିବାଦରେ ତ୍ରିପୁରାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ପକ୍ଷରୁ ଆୟୋଜିତ ବିକ୍ଷୋଭ ଶୋଭାଯାତ୍ରା ଅବସରରେ ଉତ୍ତର ତ୍ରିପୁରାର ପାଣିସାଗର ଉପଖଣ୍ଡରେ ଥିବା ଏକ ମସଜିଦରେ ଭଙ୍ଗାରୁଜା ଘଟଣା ଘଟିଛି । ଏଥିସହିତ କେତେକ ଦୋକାନରେ ନିଆଁ ଲଗାଇ ଦିଆଯାଇଛି । ଉତ୍ତର ତ୍ରିପୁରା ଜିଲା ପୁଲିସ କହିବା ଅନୁଯାୟୀ ଗତ ପ୍ରାୟ ଏକ ସପ୍ତାହ ହେଲା ରାଜ୍ୟର ଅଳ୍ପ କିଛି ସ୍ଥାନରେ ଏଭଳି ବିରୋଧାଭାସ ଦେଖିବାକୁ ମିଳୁଛି । ତେବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ରାଜ୍ୟ ପୁଲିସ ମହାନିଦେ୍ର୍ଦଶକ ଭି ଏସ ଯାଦବ କହିଛନ୍ତି ଯେ, ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଏବଂ ଉତ୍ତର ତ୍ରିପୁରା ଜିଲାରେ ଥିବା ସମସ୍ତ ମସଜିଦରେ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଛି । ଏଥିସହିତ ରାଜ୍ୟର ସମସ୍ତ ମସଜିଦକୁ ଅନୁରୂପ ସୁରକ୍ଷା ପ୍ରଦାନ କରାଯାଇଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଉତ୍ତର ତ୍ରିପୁରା ଜିଲାରେ ଘଟିଥିବା ଘଟଣା ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତ୍ରିପୁରର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ପୁଲିସ ଆଇଜି ସୌରଭ ତ୍ରିପାଠୀ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଅପପ୍ରଚାର କରାଯାଉଛି । ଜନସାଧାରଣ ଏହା ଉପରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଭଳି ଗୁଜବ ପ୍ରଚାରକାରୀଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜ୍ଜୁ କରାଯାଇଛି । ଉତ୍ତର ତ୍ରିପୁରାର ଚାମତିଲ୍ଲାରେ ଭଙ୍ଗାରୁଜା ଘଟଣା ଘଟିବା ପରେ ସମୁଦାୟ ପାଣିସାଗର ଏବଂ ପଡୋଶୀ ଧର୍ମନଗର ଉପଖଣ୍ଡରେ ୧୪୪ ଧାରା ଜାରି କରାଯାଇଛି । ଜଣାଯାଇଛି ଯେ ମଙ୍ଗଳବାର ଦିନ ଭିଏଚପି ଶୋଭାଯାତ୍ରା ସମୟରେ ଗୋଟିଏ ମସଜିଦରେ ଭଙ୍ଗାରୁଜା କରାଯିବାସହିତ ଦୁଇଟି ଦୋକାନରେ ନିଆଁ ଲଗାଇ ଦିଆଯାଇଥିଲା ।

Comments are closed.