ବିଧାୟିକାଙ୍କ ଘରେ ଲଙ୍କାକାଣ୍ଡ : ପଥର ବୃଷ୍ଟି, ଘନଘନ ବୋମାମାଡ଼

୨ ଜଣ ଗୁରୁତର, ୨ ମୋଟରସାଇକଲ କ୍ଷତିଗ୍ରସ୍ତ

ଖଲ୍ଲିକୋଟ : ଶତ୍ରୁତାକୁ କେନ୍ଦ୍ର କରି ଖଲ୍ଲିକୋଟ‌ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଲଙ୍କାକାଣ୍ଡ କରିଛନ୍ତି ବିପକ୍ଷ ଗୋଷ୍ଠୀ। ବିଧାୟିକାଙ୍କ ଖଲ୍ଲିକୋଟ ସହରସ୍ଥିତ ଘର ଉପରକୁ ପଥର ବୃଷ୍ଟି କରାଯାଇଥିବା ବେଳେ ତାଙ୍କ ନିଜ ଗାଁ କେଶପୁରସ୍ଥିତ ଘର ସମ୍ମୁଖରେ ଦୁର୍ବୃତ୍ତମାନେ ଘନଘନ ବୋମାମାଡ କରିଛନ୍ତି। ଦୁର୍ବୃତ୍ତଙ୍କ କ୍ରୋଧ ଏତିକିରେ ସୀମିତ ରହିନି, ବରଂ ସେମାନେ ଖଣ୍ଡାକାତି ବୁଲାଇ ୨ଟି ମୋଟରସାଇକଲକୁ ନଷ୍ଟ କରିବା ସହ ଦୁଇଜଣଙ୍କୁ ଖଣ୍ଡାରେ ହାଣି ଗୁୁରୁତର ଆହତ କରିଛନ୍ତି। ଦୀର୍ଘ ଘଣ୍ଟାଏ କାଳ ଏଭଳି ଆତଙ୍କରାଜରେ ସମଗ୍ର କେଶପୁର ସ୍ତବ୍ଧ ହୋଇପଡିଥିଲା।
ସୂଚନା ପ୍ରକାରେ ଆଜି ଖଲ୍ଲିକୋଟ ବ୍ଲକର ତୁଳସୀପୁର ଗ୍ରାମରେ ପୂର୍ବତନ ବିଧାୟିକା ଭି .ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମ ଦିନ ପାଳନ ଅବସରରେ ଆୟୋଜିତ ହେଉଥିବା ଏକ ରକ୍ତଦାନ ଶିବିର ପାଇଁ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ତାଙ୍କ ସ୍ୱାମୀ ଦୈତାରୀ ବେହେରା ବ୍ୟସ୍ତ ଥିଲେ। ଅପରାହ୍ଣ ପ୍ରାୟ ୩ଟା ବେଳେ ୩ଟି ବାଇକରେ ୯ଜଣ ଲୋକ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ କେଶପୁରସ୍ଥିତ ବାସଭବନ ଆଗରେ ଘନଘନ ବୋମାମାଡ କରି ଆତଙ୍କରାଜ ସୃଷ୍ଟି କରିଥିଲେ। ସେଠାରେ ବିଧାୟିକାଙ୍କ ସମର୍ଥକ ମୋହନ ମଲ୍ଲିକ( ୫୦ )ଙ୍କୁ ଠେଙ୍ଗାରେ ଆକ୍ରମଣ କରି ଡାହାଣ ଗୋଡ ଭାଙ୍ଗି ଦେଇଥିଲେ। ସେହିପରି ଅନ୍ୟଜଣେ ସମର୍ଥକ ସୀମାଞ୍ଚଳ ବେହେରା ରମ୍ଭା ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ମଧ୍ୟ ଅଟକାଇ ଦୁର୍ବୃତ୍ତମାନେ ଖଣ୍ଡାରେ ଗୋଡ ଓ ହାତକୁ ହାଣି ଗୁରୁତର ଆହତ କରିଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହାପରେ ସେମାନେ ଅପରାହ୍ନ ପ୍ରାୟ ୪ଟା ସମୟରେ ବିଧାୟିକାଙ୍କ ଖଲ୍ଲିକୋଟ ସହରର ନିର୍ମଳଝରସ୍ଥିତ ଘର ଭିତରକୁ ଧସେଇ ପଶିଥିଲେ। ସେଠାରେ କାହାକୁ ନପାଇ ବାସଭବନ ଉପରକୁ ଟେକା ଓ ପଥର ବୃଷ୍ଟି କରିଥିଲେ। ଏହାସହ ବିଧାୟିକାଙ୍କ ଘର ଆଗରେ ଥିବା ୨ଟି ଗାଡ଼ିକୁ ଖଣ୍ଡାରେ ହାଣି ନଷ୍ଟ କରିଥିଲେ।

ଦୁଇଦିନ ତଳେ କେଶପୁର ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ବିଧାୟିକାଙ୍କ ସମର୍ଥକଙ୍କ ନାମରେ ଖଲ୍ଲିକୋଟ ଥାନାରେ ଏତଲା ହୋଇଥିଲା। ପୁଲିସ ତିନିଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ବିଧାୟିକାଙ୍କ ଗ୍ରାମ କେଶପୁରରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଥାନା ଅଧିକାରୀଙ୍କ ସହ ଏକ ପ୍ଲାଟୁନ ପୁଲିସ ବାହିନୀ ଗ୍ରାମରେ ମୁତୟନ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଗତ ବିଧାନସଭା ନିର୍ବାଚନଠାରୁ ଗ୍ରାମର ଶ୍ମଶାନ ଓ ହନୁମାନ ମନ୍ଦିର ଜମିକୁ ନେଇ ଲାଗି ରହିଥିବା ବିବାଦ ସଂଘର୍ଷର ରୂପ ନେଇଥିଲା। ପୁଲିସ, ତହସିଲଦାର ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସେହି ବିବାଦର ସମାଧାନ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ରାଜନୈତିକ ରୂପ ନେବା ସହ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି। ଏବେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପୁଲିସ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ବିଧାୟିକା ଓ ତାଙ୍କ ସମର୍ଥକମାନେ ପୁଲିସ ଉପରେ ଦୋଷାରୋପ କରିଛନ୍ତି। ସରକାରୀ ଦଳର ବିଧାୟିକାଙ୍କୁ ସୁରକ୍ଷା ଦେବାରେ ପୁଲିସ ବିଫଳ ହୋଇଛି ବୋଲି ସେମାନେ ଅଭିଯୋଗ କହିଛନ୍ତି।

Comments are closed.