ଡାକ୍ତରଙ୍କୁ ବର୍ବର ଆକ୍ରମଣ: ୨୪ ଗିରଫ

ଗୁଆହାଟୀ: ଆସାମର ହୋଜାଇରେ ଥିବା ଉଦାଲି ମଡେଲ ହସ୍ପିଟାଲରେ ଗିସାଦୁଦ୍ଦିନ ନାମକ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କୀୟମାନେ କତ୍ତର୍ବ୍ୟରତ କନିଷ୍ଠ ଡାକ୍ତର ସିଉଜ୍‌ କୁମାର ସେନାପତିଙ୍କୁ ବର୍ବର ଆକ୍ରମଣ ଘଟଣା ଚହଳ ପକାଇଛି। ଆକ୍ରମଣର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଆକ୍ରମଣକାରୀ ଡାକ୍ତରଖାନାର ଆସବାବପତ୍ର ମଧ୍ୟ ଭଙ୍ଗାରୁଜା କରିଥିବା ଦେଖାଯାଇଛି। ଗୁରୁତର ଆହତ ଡାକ୍ତର ସେନାପତି ସମ୍ପ୍ରତି ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ଘଟିଥିବା ଏହି ଘଟଣାରେ ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ତୀବ୍ର ପ୍ରତିକ୍ରିୟା ପକ୍ରାଶ କରିଛି। ଏଥିସହିତ ବୁଧବାର ଆସାମର ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁଲିସ ୨୪ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅଭିଯୁକ୍ତମାନେ ବାସନକୁସନ, ଝାଡ଼ୁ ଓ ଅନ୍ୟ ସାମଗ୍ରୀରେ ଯୁବ ଡାକ୍ତରଙ୍କୁ ମାଡ଼ ମାରିବା ସହ ଗଡ଼ାଇତଡ଼ାଇ ଗୋଇଠା-ବିଧା ମାରୁଥିବା ଦେଖାଯାଉଛି। ସମ​‌ସ୍ତ ଆକ୍ରମଣକାରୀ ସଂଖ୍ୟାଲଘୁ ସମ୍ପ୍ରଦାୟର ଓ ସେମାନଙ୍କ ମଧ୍ୟରୁ ୨୨ଜଣଙ୍କୁ ଚିହ୍ନଟ କରାଯାଇଛି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଡାକ୍ତରଙ୍କୁ ମାଡ଼ର ଭିଡିଓକୁ ଟ୍ୱିଟ୍‌ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖୁବ୍‌ ଶୀଘ୍ର ଏହି ମାମଲାର ଅଭିଯୋଗ ଫର୍ଦ ଦାଖଲ କରାଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦେଶକ ଭାସ୍କର ଜ୍ୟୋତି ମହନ୍ତ। ଭିଡିଓରେ ଦେଖାଯାଉଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ମହନ୍ତ କହିଛନ୍ତି।

ସେଭଳି ଅନ୍ୟ ଏକ ଘଟଣା କର୍ଣ୍ଣାଟକର ଚିକ୍କାମାଗାଲୁରୁ ଜିଲାରେ ଘଟିଛି। ତାରିକେରି ସହରସ୍ଥିତ ବାସବେଶ୍ବରୀ ଡାକ୍ତରଖାନାରେ ସୋମବାର ଡେଙ୍ଗୁରେ ଆକ୍ରାନ୍ତ ଜଣେ ୬ବର୍ଷୀୟ ବାଳକର ମୃତ୍ୟୁକୁ କେନ୍ଦ୍ରକରି ତା’ର ସମ୍ପର୍କୀୟମାନେ ୫୦ବର୍ଷୀୟ ଡାକ୍ତର ଦୀପକଙ୍କୁ ପ୍ରବଳ ମାଡ଼ ମାରିବା ସହ ସର୍ବସାଧାରଣ ସ୍ଥାନରେ ଅପମାନିତ କରିଥିବା ଭିଡିଓରୁ ଦେଖାଯାଉଛି। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରିଛନ୍ତି। ଗୁରୁତର ଆହତ ଡାକ୍ତର ଦୀପକ ସମ୍ପ୍ରତି ଶିବମୋଗାଠାରେ ଚିକିତ୍ସାଧୀନ ଅଛନ୍ତି। ଗତ ୮ମାସ ମଧ୍ୟରେ ରାଜ୍ୟରେ ଡାକ୍ତରଙ୍କୁ ଆକ୍ରମଣ ସମ୍ପର୍କିତ ୧୨ ମାମଲା ରୁଜୁ କରାଯାଇଥିବା ନେଇ ଚିକିତ୍ସକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆଇଏମ୍‌ଏ ପକ୍ଷରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ହେଉଥିବା ଆକ୍ରମଣ ରୋକିବାକୁ ସାରା ଦେଶରେ ଏକକ ଆଇନ ପ୍ରଣୟନ ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଶାହାଙ୍କ ନିକଟକୁ ପଠାଯାଇଛି।

Comments are closed.