ଗ୍ରାମରେ କରୋନା ପଜିଟିଭ୍ ବାହାରିବାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିପିଏମଙ୍କ ଘର ଉପରେ ଆକ୍ରମଣ

ପାଟଣା: ଗତ ୨୯ ତାରିଖ ସାହାରପଡା ବ୍ଲକ ଗଣ୍ଡବେଡା ପଞ୍ଚାୟତରେ ଗ୍ରାମବାସୀଙ୍କ ପାଇଁ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାପିଡ୍ ଟେଷ୍ଟ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ପଞ୍ଚାୟତ ଅଞ୍ଚଳରୁ ମୋଟ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ପଜିଟିଭ୍ ଏହି ପଞ୍ଚାୟତ ଅନ୍ତର୍ଗତ ସୁହାଗପୁର ଗ୍ରାମରୁ ବାହାରିଥିଲେ । ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମଣ ଯୋଗୁଁ ସୁହାଗପୁରରେ ଏତେ ସଂଖ୍ୟକ ପଜିଟିଭ୍ ବାହାରିବା ପରେ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଥିଲା । ତେବେ ସୁହାଗପୁର ଗ୍ରାମର ଖଗେଶ୍ୱର ମହାନ୍ତଙ୍କ ପୁଅ ଧିରେନ ମହାନ୍ତ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ୍ ଥିବାରୁ ତାଙ୍କ ପରିବାରର କେହି ପଜିଟିଭ୍ କେସ୍‍ ନବାହାରିବା ଓ ଅନ୍ୟ ପରିବାରରେ କିପରି କେମିତି ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ବାହାରିଲେ ସେ ନେଇ ଗ୍ରାମରେ ମୃଦୁ ଗୁଞ୍ଜରଣ ଗତକାଲି ଉଗ୍ରରୂପ ନେଇଥିଲା । ଗ୍ରାମର ୩୦ରୁ ଉର୍ଦ୍ଧ୍ବ ଲୋକ ଧିରେନ ମହାନ୍ତଙ୍କ ଘରକୁ ଯାଇ ଗାଳିଗୁଲଜ କରିବା ସହ ଟେକା ପଥର ଫୋପଡା ଫୋପଡି କରିଥିଲେ । ଯାହା ଫଳରେ ଧିରେନ ମହାନ୍ତଙ୍କ ପରିବାର ଜୀବନ ଭୟରେ ଅଛନ୍ତି । ଆଜି ଏନେଇ ଧିରେନ ମହାନ୍ତଙ୍କ ପକ୍ଷରୁ ପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।

Comments are closed.