ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରା ମାଡ଼ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରାଜା ବଜାରରେ ବୁଧବାର ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଛୁରା ମାଡ଼ରେ ସୁଶାନ୍ତ ଓରାମ ନାମକ ଜଣେ ଯୁବକ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ଶିବରାତ୍ରୀ ସମୟରେ ସୁଶାନ୍ତଙ୍କ ସହ ସୁମନ୍ତ ନାମକ ଜଣେ ଯୁବକଙ୍କର କୌଣସି ଏକ କାରଣକୁ ନେଇ ଝଗଡ଼ା ହୋଇଥିଲା। ଆଜି ସକାଳୁ ସୁଶାନ୍ତ ବଜାରକୁ ଯାଇଥିବା ସମୟରେ ହଠାତ୍ ସୁମନ୍ତ ତାଙ୍କୁ ଦେଖି ଏକ ଛୁରୀରେ ସୁଶାନ୍ତଙ୍କୁ ଆକ୍ରମଣ କରିଥିଲେ। ଛୁରୀଟି ସୁଶାନ୍ତଙ୍କ ପେଟରେ ପସି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ସୁଶାନ୍ତଙ୍କୁ ସଦର ମେଡିକାଲକୁ ନେଇଥିଲେ ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ତୁରନ୍ତ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଅଇଁଠାପାଲି ଥାନାରେ ଏକ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ସୁମନ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Comments are closed.