ମହିଳା ତହସିଲଦାରଙ୍କୁ ଆକ୍ରମଣ; ଅଧ୍ୟାପକଙ୍କୁ ଗିରଫ କଲା ପୁଲିସ

ଓଏଏସ୍ ସଂଘର ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି

ବାଲିଗୁଡା: କରୋନା ସଂକ୍ରମଣ ମୁକାବିଲା ଦିଗରେ କର୍ତ୍ତବ୍ୟରତ ଜଣେ ମହିଳା ତହସିଲଦାରଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି । ଅଧ୍ୟାପକଙ୍କ ନାମ ତେଜେଶ୍ବର ନାୟକ ଓ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି ।

ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମୁଣ୍ଡା ସାହି ଅଂଚଳରେ। ମୁଣ୍ଡା ସାହିରେ ଶନିବାର ଦିନ ଜଣେ ମୃତ ବ୍ୟକ୍ତିଙ୍କ ଶ୍ରାଦ୍ଧକ୍ରିୟା ଚାଲିଥିଲା । ସେଠାରେ   କୋଲକାତାରୁ ଆସି ଗୋଟିଏ ପରିବାରର ୪ ଜଣ ସଦସ୍ୟ ଯୋଗ ଦେଇଥିବା ସୂଚନା ପାଇବା ପରେ ବାଲିଗୁଡା ତହସିଲଦାର କ୍ଷୀରାବ୍ଧିତନୟା ସାହୁ ଘଟଣାସ୍ଥଳରେ  ପହଞ୍ଚି ଥିଲେ। କୋଲକାତାରୁ ଆସିଥିବା ସେହି ୪ ଜଣ କୌଣସି ପ୍ରାଧୀକୃତ ଅଧିକାରୀଙ୍କ ଠାରୁ ଅନୁମତି ଆଣିନଥିଲେ।

ତହସିଲଦାର ଏହି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଘର ମାଲିକ ତେଜେଶ୍ବର ନାୟକ ତାଙ୍କୁ  ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଏହା ସହ ତହସିଲଦାରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ପଥର ଫୋପାଡ଼ି ଥିଲେ ହେଲେ ସୌଭାଗ୍ୟବଶତଃ ତାହା ବାଜିନଥିଲା। ପରେ ତେଜେଶ୍ୱର ନାୟକ ତହସିଲଦାରଙ୍କୁ ବଳପୂର୍ବକ ଠେଲି ଦେବାରୁ ସେ ତଳେ ପଡିଯାଇଥିଲେ।

ତହସିଲଦାର କ୍ଷୀରାବ୍ଧି ତନୟା  ଏହି ଘଟଣା ସମ୍ପର୍କରେ ବାଲିଗୁଡା ଥାନାରେ ଏତଲା ଦେବା ସହ କନ୍ଧମାଳ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ପୁଲିସ ତେଜେଶ୍ବରଙ୍କୁ ଗିରଫ କରିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଓଏଏସ୍ ସଂଘ । କର୍ତବ୍ୟରତ ଅଧିକାରୀଙ୍କ ଉପରେ ଆକ୍ରମଣକୁ ସଂଘର ସଭାପତି ସରୋଜ ସାମଲ, ବିଜୟ ସ୍ବାଇଁ ପ୍ରମୁଖ ନିନ୍ଦା କରିଛନ୍ତି ।

Comments are closed.