କୋଭିଡ କେନ୍ଦ୍ରରେ ଶିକ୍ଷକମାନଙ୍କୁ ଦୁର୍ବ୍ୟବହାର ବରଦାସ୍ତ କରାଯିବ ନାହିଁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : କୋଭିଡ କେନ୍ଦ୍ରମାନଙ୍କରେ ଶିକ୍ଷକମାନଙ୍କୁ ଦୁର୍ବ୍ୟବହାର କଦାପି ବରଦାସ୍ତ କରାଯିବ ନାହିଁ । ଏପରି ଅସାମାଜିକ କାର୍ଯ୍ୟକଳାପ କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ରାଜ୍ୟରେ କରୋନା ମହାମାରୀ ବିରୁଦ୍ଧରେ ଚାଲିଥିବା ସଂଗ୍ରାମରେ ପ୍ରାୟ ୬୨ ହଜାର ୪୩୬ ଜଣ ଶିକ୍ଷକ ନିୟୋଜିତ ହୋଇଛନ୍ତି । ସେମାନେ ପୂର୍ଣ୍ଣ ପ୍ରାଣରେ ନିଜକୁ ଉତ୍ସର୍ଗ କରି ଏହି କାମ କରୁଛନ୍ତି । ତେବେ କେତେକ କୋଭିଡ କେନ୍ଦ୍ରମାନଙ୍କରେ ଅସାମାଜିକ ବ୍ୟକ୍ତିମାନେ ଦାୟିତ୍ବ ନିର୍ବାହ କରୁଥିବା ଶିକ୍ଷକମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହସ୍ତଗତ ହେବା ପରେ ମନ୍ତ୍ରୀ ଶ୍ରୀ ଦାଶ ଏହା କହିଛନ୍ତି ।

ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କ୍ଷେତ୍ରମୁଣ୍ଡାଳୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ନାୟକଙ୍କୁ ଅସଦାଚରଣ କରାଯିବା ଏବଂ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ତୋଟାପଡା ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ପରିଡାଙ୍କୁ ଶାରୀରିକ ନିର୍ଯାତନା ଦିଆଯିବା କଥା ପ୍ରଶାସନର ଦୃଷ୍ଟିଗୋଚର ​ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯାଇଛି । ଶିକ୍ଷକ ସମାଜର ଉତ୍ସର୍ଗୀକୃତ ସେବା ମନୋଭାବକୁ ସରକାର ଭୂୟସୀ ପ୍ରଶଂସା କରିବା ସହ ସେମାନେ ବିଚଳିତ ନ ହେବା  ପାଇଁ ମନ୍ତ୍ରୀ ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି ।

Comments are closed.