ସମ୍ବଲପୁର ଏଟିଏମ ଲୁଟ ମାମଲା : ଛତିଶଗଡ ପୁଲିସ ହାତରେ ଏଟିଏମ ଲୁଟେରା

ସମ୍ବଲପୁର ପୁଲିସ ରିମାଣ୍ଡରେ ଆଣିବ

ସମ୍ବଲପୁର : ଗତ ଜୁନ ୨୫ – ୨୬ ତାରିଖ ମଧ୍ୟ ରାତ୍ରିରେ ସମ୍ବଲପୁର ଜିଲା ବୁର୍ଲା ଥାନା ଅର୍ନ୍ତଗତ ବୈଜାମୁଣ୍ଡା ଓ ଗୋଡଭଗା ଛକ ସ୍ଥିତ ୟୁକୋ ବ୍ୟାଙ୍କର ଦୁଇଟି ଏଟିଏମରୁ ଲୁଟେରା ମାନେ ଯଥା କ୍ରମେ ୧୬ ଲକ୍ଷ ୫ ହଜାର ୨୦୦ ଟଙ୍କା ଓ ୮ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ସିସିଟିଭି ଫୁଟେଜ ଥିବା ସତ୍ୱେ ଏ ପର୍ଯ୍ୟନ୍ତ ସମ୍ବଲପୁର ପୁଲିସ ଏହି ଲୁଟେରା ମାନଙ୍କୁ ଧରିବାରେ ବିଫଳ ହୋଇଥିବା ବେଳେ ପଡୋଶୀ ରାଜ୍ୟର ଛତିଶଗଡ ପୁଲିସ ଏହି ଏଟିଏମ ଲୁଟେରା ଗ୍ୟାଙ୍ଗର ୭ ଜଣକୁ ଧରିବାରେ ସଫଳତା ପାଇଛି। ଛତିଶଗଡର ବଲୋଦା ବଜାର ପୁଲିସ ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିଛନ୍ତି। ସମସ୍ତ ଲୁଟେରା ହରିୟାଣା ରାଜ୍ୟର ମେବାତ ଅଞ୍ଚଳର ନିବାସୀ ଅଟନ୍ତି। ସେମାନେ ଓଡିଶା ଓ ଛତିଶଗଡର ବିଭିନ୍ନ ସ୍ଥାନରେ ଏଟିଏମ୍ ଲୁଟ ଘଟଣାରେ ସାମିଲ ରହିଛନ୍ତି।

ଛତିଶଗଡ ପୁଲିସର ଜେରାରୁ ଜଣାପଡିଛି ଯେ, ଏହି ଗ୍ୟାଙ୍ଗ ୟୁଟ୍ୟୁବ ଓ ଚଳଚ୍ଚିତ୍ର ଦେଖି ଲୁଟ୍ ପାଇଁ ସାଧାରଣତଃ ଜାତୀୟ ରାଜପଥ କଡରେ ରହିଥିବା ଏଟିଏମ୍ ଗୁଡିକୁ ଟାର୍ଗେଟ କରିଥାନ୍ତି। ସେମାନେ ଏଥି ପାଇଁ ଚାରି ଚକିଆ ଯାନ ଓ ଅନ୍ୟାନ୍ୟ ଦ୍ରବ୍ୟ ପରିବହନ ପାଇଁ ବ୍ୟବହୃତ ବଡ କଣ୍ଟେନର ଯାନ, ମାରୁତି ଇକୋ ଭ୍ୟାନ ଗାଡି ଓ ଗ୍ୟାସ କଟରର ବ୍ୟବହାର କରିଥାନ୍ତି। ସେମାନେ କଣ୍ଟେନର ମଧ୍ୟରେ ହରିୟାଣାରୁ ଚୋରି କରିଥିବା କାରକୁ ନେଇ ଲୁଟ ପାଇଁ ଓଡିଶା ଓ ଛତିଶଗଡକୁ ଆସିଥାନ୍ତି। ପ୍ରଥମେ କଣ୍ଟେନର ଗାଡିକୁ ଘଟଣାସ୍ଥଳରୁ ପ୍ରାୟ ୨୦ କିମି ଦୂରରେ ରଖି ରାତ୍ରରେ ଏଟିଏମକୁ ଗ୍ୟାସ କଟର ସାହାଯ୍ୟରେ କାଟି ନଗଦ ଟଙ୍କା ଲୁଟ କରି ପୁର୍ନବାର କାରକୁ କଣ୍ଟେନର ମଧ୍ୟରେ ଗାଡିକୁ ପୁରାଇ ଫେରାର ହୋଇଯାଉଥିଲେ। କଣ୍ଟେନରକୁ ସୁରକ୍ଷା ଦେବା ପାଇଁ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ଅନ୍ୟ ଏକ ଟ୍ରକରେ ସାଥିରେ ଯାତ୍ରା କରୁଥିଲେ। ରବିବାର ରାତ୍ରିରେ ଏହି ଗ୍ୟାଙ୍ଗ ଅନୁଗୁଳ ଜିଲାରେ ଏଟିଏମ୍ କାଟି ଲୁଟ କରିବା ପରେ ଛତିଶଗଡକୁ ଫେରିବା ସମୟରେ ସୀମାଞ୍ଚଳରେ ବଲୋଦା ବଜାର ପୁଲିସ ସେମାନଙ୍କୁ ଧରିଥିଲା। ପୁଲିସ ସେମାନଙ୍କ ନିକଟରୁ ଅନୁଗୁଳର ଉପକଣ୍ଠସ୍ଥ କରଡାଗାଡିଆ ଛକରେ ଜାତୀୟ ରାଜପଥ କଡରେ ଥିବା ଏଟିଏମରୁ ଲୁଟ ହୋଇଥିବା ୧୮ ଲକ୍ଷ ୫୦ ହଜାର ଟଙ୍କା ଓ ଛତିଶଗଡର ସିମଗା ଠାରେ ଏଟିଏମରୁ ଲୁଟ ହୋଇଥିବା ୩ ଲକ୍ଷ ୫୦ ହଜାର ସମେତ ସମୁଦାୟ ୨୨ ଲକ୍ଷ ଟଙ୍କା ନଗଦ ଛତିଶଗଡ ପୁଲିସ ଜବତ କରିଛି। ଏହା ସହିତ ପୁଲିସ ଅଭିଯୁକ୍ତ ଅମର ଅଲ୍ଲୀ ଓରଫ ତୈଫିକ (୨୮), ହେଦର ଅଲ୍ଲୀ ଖାନ (୨୮), ତାରିଫ ଖାନ (୨୪), ମହମ୍ମଦ ଓରଫ ଚବ୍ୱନ୍ନି (୨୭), ମୁନଫୈଦ (୩୦), ଅମାନତ (୨୫) ଓ ଆଜାଦ (୩୨)କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, ୫ଟି ଧାରୁଆ ଛୁରୀ, ଏକ ଡିଟୋନେଟର ଓ ଫ୍ୟୁଜ ତାର, ଗୋଟିଏ ଜିଲେଟିନ ରଡ, ଗ୍ୟାସ କଟର, ୨ଟି ଅମ୍ଲଜାନ ସିଲିଣ୍ଡର, ଏକ ଏଲପିଜି ସିଲିଣ୍ଡର, ୩ଟି ସ୍ପ୍ରେ ପେଣ୍ଟ, ୨ଟି ନଗର ଟାୟର ଲିଭର ରଡ, ୨ଟି ଗ୍ଲୋଭସ, ୨ଟି ପେଚକସ, ଗୋଟିଏ ପାନା, ସିଲିଣ୍ଡର ଚାବି, ତାର କଟର ଓ ୫ଟି ମୋବାଇଲ ଫୋନ ଜବତ କରିଛି।

ଏହିି ଘଟଣା ସର୍ମ୍ପକରେ ଜଣା ପଡିବା ପରେ ସମ୍ବଲପୁର ପୁଲିସର ଏକ ସ୍ୱତନ୍ତ୍ର ଦଳ ଛତିଶଗଡର ରାଜଧାନୀ ରାୟପୁର ପଚରାଉଚୁରା ପାଇଁ ଯାଇଛି। ଏ ସର୍ମ୍ପକରେ ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ଡା. କନୱର ବିଶାଳ ସିଂହଙ୍କୁ ପଚରାଯିବାରୁ ସେ ଘଟଣାକୁ ସ୍ୱିକାର କରିବା ସହିତ କହିଛନ୍ତି ଯେ ସମ୍ବଲପୁର ପୁଲିସ ଗିରଫ ହୋଇଥିବା ଲୁଟେରାମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି। ଅନ୍ୟ ପଟରେ ଅନୁଗୁଳ ଜିଲା ପୁଲିସର ଏକ ଦଳ ମଧ୍ୟ ରାୟପୁରରେ ରହି ଏହି ଲୁଟେରାମାନଙ୍କୁ ପଚରାଉଚୁରା କରିବା ସହିତ ରିମାଣ୍ଡରେ ଆଣିବା ପାଇଁ ପ୍ରଚେଷ୍ଟାରତ ରହିଛି। ସୂଚନାଯୋଗ୍ୟ ଯେ, ଗତ ଜୁନ ମାସରେ ଜାତୀୟ ରାଜପଥ କଡରେ ଥିବା ବୈଜାମୁଣ୍ଡା ଓ ଗୋଶାଳା ଛକରୁ ଦୁଇଟି ଏଟିଏମକୁ ଗ୍ୟାସ କଟର ସାହାର୍ଯ୍ୟରେ କାଟି ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ସମ୍ବଲପୁର ପୁଲିସ ପାଇଁ ଏହି ଘଟଣା ଏକ ବିରାଟ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।

Comments are closed.