ଇତିହାସ ପାଲଟିଲା ‘ଆଟଲାସ୍‌’

ନୂଆଦିଲ୍ଲୀ : ଇତିହାସ ପାଲଟି ଯାଇଛି ‘ଆଟଲାସ୍‌’। ଏହାର ପ୍ୟାଡେଲ ୭୫ବର୍ଷରେ ବନ୍ଦ ହୋଇଯାଇଛି। ଗତ ପ୍ରାୟ ୫ବର୍ଷ ହେଲା ଥକିପଡ଼ିଥିବା ଆଟଲାସ୍‌କୁ ବଞ୍ଚାଇ ରଖିବାରେ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ କିମ୍ବା ‘ଫିଟ୍‌ ଇଣ୍ଡିଆ’ ଭଳି କୌଣସି ଯୋଜନା ସଫଳ ହୋଇ ନାହିଁ। ଦୁର୍ଭାଗ୍ୟର ବିଷୟ ହେଉଛି, ଆନ୍ତର୍ଜାତିକ ସାଇକଲ ଦିବସ ଅବସରରେ ଏହି ଖବର ଲୋକଲୋଚନକୁ ଆସିଛି; ତେବେ ସୌଭାଗ୍ୟର ବିଷୟ ହେଉଛି, ଆଖି ବୁଜିବା ପୂର୍ବରୁ ସ୍ବିଡେନ୍‌ର ଷ୍ଟକ୍‌ହୋମ୍‌ସ୍ଥିତ ନୋବେଲ ଏକାଡେମି ମ୍ୟୁଜିୟମ୍‌ରେ ଏହା ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ବାଛିନେଇଛି।
ହଁ; ଭାରତର ଘରେ ଘରେ ପରିଚିତ ଆଟଲାସ୍‌ ସାଇକଲ କଥା ହିଁ କହୁଛୁ। ଏକଦା ଭାରତରେ ସାଇକଲ ଆନ୍ଦୋଳନର ପୁରୋଧା ସାଜିଥିବା ଜାନକି ଦାସ୍‌ କପୁରଙ୍କ ପ୍ରତିଷ୍ଠିତ ‘ଆଟଲାସ୍‌ ସାଇକଲ୍ସ ହରିୟାଣା ଲିମିଟେଡ୍‌’ ୧୯୫୧ରୁ ନିରବଚ୍ଛିନ୍ନ ଭାବେ ଆଗକୁ ଗଡ଼ିଚାଲିଥିଲା। ରାଲେ ସାଇକଲକୁ ପ୍ରତିହତ କରି ଖୁବ୍‌ କମ୍‌ ଦିନ ମଧ୍ୟରେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଞ୍ଚି ଯାଇଥିଲା। ହରିୟାଣାର ସୋନେପତ୍‌ର ଏକ ଟିଣ ଛପର ଘରୁ ଆରମ୍ଭ ହୋଇଥିବା ଆଟଲାସ୍‌ କାରଖାନା​‌ ମାତ୍ର ବର୍ଷକ ମଧ୍ୟରେ ୨୫ ଏକର ଜମିକୁ ପରିବ୍ୟାପ୍ତ ହୋଇଥିଲା। ପ୍ରଥମ ବର୍ଷ ଏହା ଦୈନିକ ୧୨ହଜାର ସାଇକଲ ଉତ୍ପାଦନକରି ଚମକାଇ ଦେଇଥିଲା। ପରବର୍ତ୍ତୀ ସମୟରେ ଏହା ଉତ୍ତରପ୍ରଦେଶର ସାହିବାବାଦ ଓ ମଧ୍ୟପ୍ରଦେଶର ମାଲାନପୁରକୁ ସମ୍ପ୍ରସାରିତ ହୋଇଥିଲା। ୧୯୫୮ରେ ଆଟଲାସ୍‌ ବିଦେଶକୁ ରତ୍ପାନୀ ଆରମ୍ଭ ହୋଇଥିଲା। ୧୯୭୮ରେ ଏହା ଭାରତରେ ତିଆରି କରିଥିଲା ପ୍ରଥମ ‘ରେସିଂ ସାଇକଲ’। କେବଳ ସେତିକି ନୁହେଁ; ୧୯୮୨ରେ ଅନୁଷ୍ଠିତ ଦିଲ୍ଲୀ ଏସିଆନ୍‌ ଗେମ୍ସ ପାଇଁ ଆଟଲାସ୍‌ ଥିଲା ‘ଅଫିସିଆଲ ଯାନ‘। ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍‌ ଓ ଅଭିଜିତ ବାନାର୍ଜୀ ଆଟଲାସ୍‌ ଚଳାଇ ଯେଉଁ ସାମାଜିକ ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରିଥିଲେ ତାହା ହିଁ ସେମାନଙ୍କୁ ନୋବେଲ ପୁରସ୍କାର ଦିଆଇଥିଲା। ସେଥିପାଇଁ ନୋବେଲ ଏକାଡେମି ମ୍ୟୁଜିୟମରେ ସ୍ଥାନ ପାଇଛି ଆଟଲାସ୍‌। ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବଜାରରେ ଆଟଲାସ୍‌ର ପ୍ରଚାର ପ୍ରସାର ପାଇଁ ଏକଦା କାର୍ଯ୍ୟ କରିଥିଲେ ଟେନିସ ତାରକା ସାନିଆ ମିର୍ଜା, ବନ୍ଧୁକ ଚାଳନାତାରକା ଅଭିନବ ବିନ୍ଦ୍ରା ଓ ସିନେତାରକା ସୁନିଲ ସେଟ୍ଟି।
ଏସବୁ ସତ୍ତ୍ବେ ଆଧୁନିକତାର ପ୍ରତିଯୋଗିତା ଓ ବିଦେଶୀ ସାମଗ୍ରୀ ବ୍ୟବହାରର ଚାହିଦା ଆଗରେ ହାରି ଯାଇଥିଲା ଆଟଲାସ୍‌। ‘ଆମ୍ବାସ୍ୟାଡର’ କାର୍‌ ଓ ଏଚ୍‌ଏମ୍‌ଟି ଘଣ୍ଟା ଭଳି ଏହା ଆଖି ବୁଜିଲା। ୨୦୦୪ରୁ କାରଖାନାରେ ସମସ୍ୟା ଦେଖାଦେଇଥିଲା। ୨୦୧୪ରେ ମଧ୍ୟପ୍ରଦେଶ କାରଖାନାକୁ ବନ୍ଦ କରିଦିଆଯାଇଥିଲା। ୨୦୧୮ରେ ବନ୍ଦ ହେଲା ଜନ୍ମସ୍ଥାନ ସୋନେପତ୍‌ କାରଖାନା। ଚଳିତ ମାସ ୩ତାରିଖରେ ବନ୍ଦ ହୋଇଛି ସାହିବାବାଦ କାରଖାନା। ତାଲାବନ୍ଦ ପରିପ୍ରେକ୍ଷୀରେ ଗତ କିଛି ଦିନ ହେଲା ବନ୍ଦ ଥିବା ସାହିବାବାଦ କାରଖାନା ଖୋଲିବ ବୋଲି କର୍ମଚାରୀମାନେ ଭାବିଥିଲେ; କିନ୍ତୁ ସେମାନେ ୩ତାରିଖରେ ଫାଟକ ନିକଟରେ ହଞ୍ଚିବାବେଳକୁ ସେଠାରେ ନୋଟିସ ଝୁଲା ହୋଇଥିଲା, ‘ସାମ୍ପ୍ରତିକ ପରିସ୍ଥିତିରେ କଞ୍ଚାମାଲ ଆଣିବା ସମ୍ଭବ ହେଉନି। ପରିସ୍ଥିତି ଏତେ ଜଟିଳ ଯେ କାରଖାନା ଚଳାଇ ରଖିବା ସମ୍ଭବ ନୁହେଁ…।’

Comments are closed.