ଦୁତୀଙ୍କୁ ରୌପ୍ୟ; ଶ୍ରାବଣୀଙ୍କୁ ବ୍ରୋଞ୍ଜ

0

କଟକ : ଆସାମର ଗୁଆହାଟୀରେ ଚାଲିଥିବା ୫୮ତମ ଜାତୀୟ ଆନ୍ତଃରାଜ୍ୟ ସିନିୟର ଆଥ୍‍ଲେଟିକ୍‍ ଚମ୍ପିଆନ୍‍ସିପ୍‍ରେ ଓଡ଼ିଶାର ଦୁତୀ ଚାନ୍ଦ ରୌପ୍ୟ ଓ ଶ୍ରାବଣୀ ନନ୍ଦ ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି। ବୁଧବାର ମହିଳା ୨୦୦ ମିଟର ଫାଇନାଲରେ ଦୁହେଁ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହି ଏହି ୨ଟି ପଦକ ଜିତିଛନ୍ତି। ସୂଚନାଯୋଗ୍ୟ; ହିଟ୍‍ସରେ ଦୁତୀ ଚାନ୍ଦ ୨୩.୪୬ ସେକେଣ୍ଡ ସମୟ ନେଇ ଇଣ୍ଡୋନେସିଆ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ମହିଳା ୨୦୦ ମିଟର ଦୌଡ଼ ପାଇଁ ଏସୀୟ କ୍ରୀଡ଼ା ଲାଗି ଏଏଫ୍‍ଆଇ ରଖିଥିବା ଯୋଗ୍ୟତା ଟାଇମିଂ ହେଉଛି ୨୩.୫୦ ସେକେଣ୍ଡ। ଫାଇନାଲରେ ଦୁତୀ ୨୩.୪୧ ସେକେଣ୍ଡ ସମୟ ନେଇ ଫିନିସ ଲାଇନ୍‍ ପାର କରିଥିଲେ। ଫଳରେ ୨ୟ ସ୍ଥାନରେ ରହି ଦୁତୀ ରୌପ୍ୟ ଜିତିଥିଲେ। ଶ୍ରାବଣୀ ୨୩.୮୭ ସେକେଣ୍ଡ ସମୟ ନେଇ ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍‍ପଦକ ଜିତିଛନ୍ତି। ତେବେ ଶ୍ରାବଣୀ ଏସୀୟ କ୍ରୀଡ଼ା ପାଇଁ ଧାର୍ଯ୍ୟ ଟାଇମିଂ ହାସଲ କରି ପାରିନଥିବାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ଫାଇନାଲରେ ଆସାମର ହିମା ଦାସ ୨୩.୧୦ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ମଙ୍ଗଳବାର ମହିଳା ୪୦୦ ମିଟର ହର୍ଡଲ୍‍ସରେ ଓଡ଼ିଶାର ଜଉନା ମୁର୍ମୁ ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ କ୍ରୀଡ଼ା ଟାଇମିଂ ହାସଲକରି ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।

Leave A Reply