କୋରଙ୍ଗାରେ ପୁଣି ଅବକାରୀ ଚଢାଉ, ୩୯୦୦ଲିଟର ପୋଚ ଜବତ

ଆଠଗଡ: ଅବକାରୀ ବିଭାଗ ପକ୍ଷରୁ ମାତ୍ର ୯ଦିନ ବ୍ୟବଧାନ ମଧ୍ୟରେ ଶନିବାର ସକାଳେ ପୁଣି ଥରେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଜୋରଦାର ଚଢାଉ କରାଯାଇ ବିପୁଳ ପରିମାଣର ଗୁଡପୋଚ ଜବତ କରାଯାଇଥିବା ଜଣାପଡ଼ିଛି। ଅବକାରୀ କମିଶନର ଅଞ୍ଜନ କୁମାର ମାଣିକଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଓ ଡେଙ୍କାନାଳ ଜିଲ୍ଲା ଅବକାରୀ ଅଧିକ୍ଷକ ଆଠଗଡ ଓ ତିଗିରିଆ ଅଞ୍ଚଳରେ ଚାଲିଥିବା ବେଆଇନ ମଦଭାଟି ଏବଂ ମଦ ଚାଲାଣ ଉପରେ ଜୋରଦାର ଚଢାଉ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ଆଠଗଡ ଓ ତିଗିରିଆ ଅଞ୍ଚଳରେ ଗତ ମାସକ ମଧ୍ୟରେ ବେଆଇନ ମଦପ୍ରସ୍ତୁତି ପାଇଁ କୁଖ୍ୟାତ କୋରଙ୍ଗା, ଭିରୁଡା ଓ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ ଗ୍ରାମରେ ଜୋରଦାର ଚଢାଉ କରାଯାଇଛି। ଶନିବାର ସକାଳେ କଟକ ଓ ଢେଙ୍କାନାଳ ଜିଲ୍ଲା ଅବକାରୀ, ଆଠଗଡ ଅବକାରୀ ଓ ପୁଲିସ ପକ୍ଷରୁ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓଙ୍କ ଉପସ୍ଥିତିରେ କୋରଙ୍ଗା ନିକଟବର୍ତ୍ତୀ ଚାଷଜମି ଓ ଝାଟି ଜଙ୍ଗଲ ଅଞ୍ଚଳରେ ଗଚ୍ଛିତ ଥିବା ୩୯୦୦ଲିଟର ଗୁଡପାଚ ଜବତ କରାଯାଇଥିଲା। ଜବତ ଗୁଡପୋଚ ଓ ଶତାଧିକ ପ୍ଲାଷ୍ଟିକ ଜାରକିନ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ଆଠଗଡ ଅବକାରୀ ନିରୀକ୍ଷକ ସଞ୍ଜିତ୍‍ ବାର୍ଲା, ଢେଙ୍କାନାଳ ନିରୀକ୍ଷକ ସମୀର କୁମାର ମହାନ୍ତିଙ୍କ ନେତୃତ୍ୱରେ କରାଯାଇଥିବା ଏହି ଚଢାଉରେ ଅବକାରୀ ଏସଆଇ ବିଜୟ କୁମାର ଭଞ୍ଜ ବେଣୁଧର ସାମଲ, ନିରାକାର ଦେହୁରୀ, ଟେଲିସ୍ଫୋର ଲାକ୍ରା, ଲକ୍ଷ୍ମୀପ୍ରିୟା ସିଂହଙ୍କ ସମେତ ବହୁ ଅବକାରୀ ଓ ପୁଲିସ ଅଧିକାରୀ/କର୍ମଚାରୀ ଏହି ଚଢାଉରେ ସାମିଲ ଥିଲେ।

Comments are closed.