ବିକାଶ ମଞ୍ଚ ପକ୍ଷରୁ ଆଦିବାସୀଙ୍କୁ କମ୍ବଳ ବଣ୍ଟନ

ଆଠଗଡ : ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ରବିବାର ଗରିବ ଆଦିବାସୀମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏବେ ହଠାତ୍ ଶୀତର ପ୍ରକୋପ ବଢୁଥିବାବେଳେ ବିକାଶ ମଞ୍ଚ ପକ୍ଷରୁ ଗରିବ ଶ୍ରେଣୀ ତଥା ଆଦିବାସୀ ଓ ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ରବିବାର ଆଠଗଡ ବ୍ଲକର ବେଣ୍ଟପଦା ପଞ୍ଚାୟତ ଅନ୍ତର୍ଗତ ମାନପୁର ଶବରସାହିରେ ପହଞ୍ଚି ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ୩୦ରୁ ଉର୍ଦ୍ଧ୍ବ ବୃଦ୍ଧବୃଦ୍ଧା ଓ ମହିଳାଙ୍କୁ କମ୍ବଳ ବଣ୍ଟନ କରିଥିଲେ। ସଂପୃକ୍ତ ଆଦିବାସୀ ବୃଦ୍ଧବୃଦ୍ଧା ଆଠଗଡ ବିକାଶ ମଞ୍ଚ ଓ ଏହାର ସଭାପତି ଶ୍ରୀ ବସ୍ତିଆଙ୍କୁ କୃତଜ୍ଞତା ଜଣାଇଥିଲେ। ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଆଠଗଡ ଓ ତିଗିରିଆ ବ୍ଲକ ଦ୍ୱୟରେ ଥିବା ଅପହଞ୍ଚ ଇଲାକା, ଆଦିବାସୀ ଓ ଅନୁସୂଚିତ ଜାତି ଅଧ୍ୟୁସିତ ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି। ବିଶେଷକରି କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଗତ ୮ମାସ ମଧ୍ୟରେ କାମଧନ୍ଦା ନପାଇ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ଗରିବ ଦିନ ମଜୁରିଆ, ଆଦିବାସୀ ଓ ଅନୁସୂଚିତ ଜାତି, ମନ୍ଦିର ଓ ମଠର ସେବାୟତ ଏବଂ କୃଷି ଶ୍ରମିକଙ୍କୁ ବିକାଶ ମଞ୍ଚର ନିରବଚ୍ଛିନ୍ନ ସହାୟତାକୁ ସାଧାରଣରେ ପ୍ରଶଂସା କରାଯାଉଛି।

Comments are closed.